ଲୋକସଭାରେ ବିଜୁଙ୍କ ବୀରତ୍ୱ ବଖାଣିଲେ ପିନାକୀ:ଏବେ ଦିଅ ‘ଭାରତ ରତ୍ନ’

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଲୋକସଭାରେ ଆଜି ଜାମ୍ମୁ କାଶ୍ମୀର ପୁନର୍ଗଠନ ବିଲ୍ ଆଲୋଚନା ବେଳେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ସ୍ମରଣ କରିବା ସହ ତାଙ୍କ ବୀରତ୍ୱ ବଖାଣିଥିଲେ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର । କାଶ୍ମୀର ସ୍ୱାଧୀନତା ଓ ଭାରତ ମିଶ୍ରଣ ସମୟରେ ବିଜୁଙ୍କ ପ୍ରମୁଖ ଭୂମିକା ସଂପର୍କରେ ସେ ସମଗ୍ର ଗୃହର ଦୃଷ୍ଟି ଆକର୍ଷଣ କରିବା ସହ ବିଜୁଙ୍କୁ ‘ଭାରତ ରତ୍ନ’ ସମ୍ମାନ ଦେବାକୁ ଦାବି କରିଥିଲେ ।
ସେ କହିଲେ,କାଶ୍ମୀରର ଶେଷ ମହାରାଜ ହରି ସିଂହଙ୍କ ଦ୍ୱାରା ଭାରତର ଭୂଖଣ୍ଡ ସହ କାଶ୍ମୀରର ବିଲୟ ପାଇଁ ଚୁକ୍ତି ସ୍ୱାକ୍ଷର ସମୟରେ ପାକିସ୍ତାନୀ ଆକ୍ରମଣକାରୀମାନେ କାଶ୍ମୀରରେ ଲୁଟ୍ କରିବାକୁ ମାଡ଼ି ଆସିଥିଲେ । ସେତେବେଳକୁ ମହାରାଜ ହରି ସିଂ ଶ୍ରୀନଗର ଛାଡ଼ି ସାରିଥିଲେ । ଶ୍ରୀନଗର ବିମାନ ବନ୍ଦରର ସୁରକ୍ଷା ସହ କାଶ୍ମୀର ଅଧିଗ୍ରହଣ ପାଇଁ ଲେଫ୍ଟନାଣ୍ଟ ଜେନେରାଲ ଦିୱାନ ରଞ୍ଜିତ୍ ରାୟଙ୍କ ନେତୃତ୍ୱରେ ଫାଷ୍ଟ ଶିଖ ରେଜିମେଣ୍ଟର ୧୭ ଜଣ ସୈନ୍ୟ ଏକ ସ୍ୱତନ୍ତ୍ର ବିମାନରେ ଶ୍ରୀନଗର ବିମାନବନ୍ଦରରେ ପହଞ୍ଚିଥିଲେ । ମାତ୍ର ବିମାନବନ୍ଦର ଉପରେ ବିମାନ ଉଡୁଥିଲା ବେଳେ ଏ ବିମାନବନ୍ଦର ସେ ସମୟରେ ଭାରତ ନା ପାକିସ୍ତାନ କବଜାରେ ଅଛି କାହାକୁ ଜଣାନଥିଲା । ମାତ୍ର ଅପୂର୍ବ ସାହସିକତାର ପରିଚୟ ଦେଇ ବିମାନକୁ ପାଇଲଟ ସେଠାରେ ଅବତରଣ କରାଇଥିଲେ । ସେ ପାଇଲଟ ଜଣକ ଆଉ କେହି ନୁହନ୍ତି, ସେ ଥିଲେ ସାହସୀ ଓଡ଼ିଆ ପୁଅ ବିଜୁ ପଟ୍ଟନାୟକ । ବିମାନ ଅବତରଣ ପରେ ଲେଫ୍ଟନାଣ୍ଟଙ୍କ ସୈନ୍ୟମାନେ ଘମାଘୋଟ ଲଢେଇ କରି ପାକିସ୍ତାନ ସୈନ୍ୟଙ୍କୁ ପଛକୁ ହଟାଇବାରେ ସକ୍ଷମ ହୋଇଥିଲେ ।
ପିନାକୀ କହିଥଲେ, ଏହି ବୀର ପୁରୁଷଙ୍କୁ ଭାରତ ରତ୍ନ ସମ୍ମାନ ଦେବାକୁ ପୂର୍ବରୁ ବହୁବାର ଦାବି ହୋଇଛି । ମାତ୍ର ଏହାକୁ ଅଣଦେଖା କରାଯାଇଛି । ମାତ୍ର ଏବେ କେନ୍ଦ୍ର ସରକାର ଏହି ଐତିହାସିକ ତ୍ରୁଟିକୁ ସୁଧାରନ୍ତୁ । ଜାମ୍ମୁ ଓ କାଶ୍ମୀର ପ୍ରକୃତରେ ଭାରତର ଅଙ୍ଗ ହେବା ପରେ ବିଜୁବାବୁଙ୍କୁ ସ୍ମରଣ କରି କେନ୍ଦ୍ର ତାଙ୍କୁ ଭାରତରତ୍ନ ସମ୍ମାନ ପ୍ରଦାନ କରିବାକୁ ସେ ଦାବି କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons