ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିଲେ ମଧ୍ୟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଯୋଗଦେଇ ନାହାନ୍ତି । ସେ ବିଦେଶ ଗସ୍ତରେ ଅଛନ୍ତି । ଲୋକସଭାରେ ମଙ୍ଗଳବାର ତାଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ହୋଇଥିଲା । କଂଗ୍ରେସର ମୁଖ୍ୟ ସଚେତକ କେ. ସୁରେଶ ଶୂନ୍ୟକାଳରେ ରାହୁଲଙ୍କ ଆସନରେ ଠିଆହୋଇ କେରଳର ଲୋକମହତ୍ତ୍ୱ ସହ ଜଡିତ ଏକ ପ୍ରଶ୍ନ ଉଠାଇଥିଲେ । କିନ୍ତୁ ଗୃହରେ ଲାଗିଥିବା ଏଲ୍ଇଡି ସ୍କ୍ରିନରେ ରାହୁଲଙ୍କ ନାମ ପ୍ରଦର୍ଶିତ ହୋଇଥିଲା । ତେଣୁ ବାଚସ୍ପତି ଓମ ବିର୍ଲା ତାଙ୍କୁ କହିଥିଲେ କି ଆପଣଙ୍କ ଆସନ ଖାଲି ପଡିଛି । ଆପଣ ଯେଉଁ ÷ଆସନରେ ଠିଆ ହୋଇଛନ୍ତି ତାହା ରାହୁଲଙ୍କ ଆସନ । ରାହୁଲ ଆଜି ଛୁଟିରେ ଅଛନ୍ତି । ଆପଣ ନିଜ ଆସନକୁ ଯାଆନ୍ତୁ ଏବଂ ସେଠାରେ ଯାହା ପଚାରିବା କଥା ପଚାରନ୍ତୁ । ରାହୁଲଙ୍କ ପ୍ରଶ୍ନ ତାଲିକାଭୁକ୍ତ ହୋଇଛି । ସେ ଗୃହରେ ଉପସ୍ଥିତ ହେଲେ ପ୍ରଶ୍ନକାଳରେ ତାଙ୍କୁ ପ୍ରଶ୍ନ ପଚାରିବାର ସୁଯୋଗ ଦିଆଯିବ । ଲୋକସଭାର କାର୍ଯ୍ୟସୂଚୀ ଅନୁସାରେ ରାହୁଲଙ୍କ ପ୍ରଶ୍ନର ନମ୍ବର ଥିଲା ୨୮ । ଏହା କେରଳରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ସହ ଜଡିତ ପ୍ରଶ୍ନ । ମଙ୍ଗଳବାର ପ୍ରଶ୍ନକାଳରେ ୨୧ରୁ ୨୫ ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନ ଉଠାଯାଇଥିଲା । ସୂଚନାଯୋଗ୍ୟ ଯେ ଲୋକସଭାରେ ଏକ ନୂଆ ବ୍ୟବସ୍ଥା ଆରମ୍ଭ ହୋଇଛି । ଗୃହରେ ଲଗାଯାଇଥିବା ଏଲ୍ଇଡି ସ୍କ୍ରିନରେ ଆସନର ଅନୁମତି ଅନୁସାରେ ପ୍ରଶ୍ନ୍ କରୁଥିବା ସଦସ୍ୟଙ୍କ ନାମ ସ୍ୱତ୍ତଃ ସେଥିରେ ଦେଖିବାକୁ ମିଳିଥାଏ । ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ନିର୍ଦ୍ଧାରିତ ଆସନ ଅନୁସାରେ ଏହି ନାମ ଆସିଥାଏ । ତେଣୁ ରାହୁଲଙ୍କ ଆସନରେ ସୁରେଶ ପ୍ରଶ୍ନ କରିବାରୁ ସ୍କ୍ରିନରେ ରାହୁଲଙ୍କ ନାମ ହିଁ ପ୍ରଦର୍ଶିତ ହୋଇଥିଲା ।
Comments are closed, but trackbacks and pingbacks are open.