ବାସୁଦେବପୁର, (ବି.ବି.ନୁ୍ୟଜ୍): ଭଦ୍ରକ ଜିଲ୍ଲା ବାସୁଦେବପୁର ଇଣ୍ଡିଆନ ବ୍ୟାଙ୍କ ସମ୍ମୁଖରେ ଖୋଲିଥିଲା ଦୁର୍ଗା ଏଜେନ୍ସି ଏଣ୍ଡ ସପ୍ଲାୟର । ଏହି କାଉଣ୍ଟର ଲୋକଙ୍କୁ ଅତି ମୂଲ୍ୟବାନ ଘର କରଣା ସାମଗ୍ରୀ ଯୋଗାଉଥିଲା । ବ୍ରାଣ୍ଡ କମ୍ପାନୀ ଗୁଡ଼ିକର ଧାର୍ଯ୍ୟ ମୂଲଠୁ ଅଧା ଦାମ ନେଇ ଲୋକଙ୍କୁ ଏସି, ଫ୍ରିଜ, ଏଲ୍ଇଡି, ମୋବାଇଲ, ୱାସିଂ ମେସିନ ସମେତ ଅନେକ ସଉଖିନ ସାମଗ୍ରୀ ଦେଉଥିଲା । କିସ୍ତି ମାଧ୍ୟମରେ ଟଙ୍କା ବି ନେଉଥିଲା । ଆଗୁଆ ଟଙ୍କା ପୈଠ କଲେ ଯେତେ ବିଳମ୍ବ ହେବ ରିହାତି ସେତେ ଅଧିକ ଭଳି ସ୍କିମ ଗ୍ରାହକଙ୍କ ପାଇଁ ରଖିଥିଲା । ଗୋଟିଏ ମାସ ଭିତରେ ଉକ୍ତ ଏଜେନ୍ସିର କର୍ମଚାରୀ ଲୋକଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇ ଥିଲେ । ପରେ ବହୁ ଟଙ୍କା ଅଗ୍ରିମ ଆକାରରେ ଲୋକଙ୍କଠାରୁ ନେଇ ସମ୍ପୃକ୍ତ ସଂସ୍ଥା ଏବେ ଛୁ ମାରିଛି । କାଉଣ୍ଟର ଖୋଲିବାର ମାତ୍ର ଗୋଟିଏ ମାସ ନ ହେଉଣୁ ଏହି ସଂସ୍ଥା କୋଟିଏରୁ ଅଧିକ ଟଙ୍କା ଠକି ରାତିରାତି ଚମ୍ପଟ ମାରିଥିବା ଜଣାପଡ଼ିଛି । ଆଜି ଏହି ଖବର ପ୍ରଚାରିତ ହେବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଦୁର୍ଗା ଏଜେନ୍ସି ଏଣ୍ଡ ସପ୍ଲାଏର ନାମକ ସଂସ୍ଥା ଘର ଭଡ଼ା ନେଇ ନଭେମ୍ବର ୨୩ ତାରିଖ କାଉଣ୍ଟର ଖୋଲି ଥିଲା । ଆନ୍ଧ୍ରପ୍ରଦେଶ ରାଜ୍ୟର ୫ ଜଣ ଏଜେନ୍ସିର ଥିବା ବେଳେ କାଉଣ୍ଟରର ଘର ମାଲିକ ବୁଲୁ, ବାସୁଦେବପୁର ବଣିଆସାହିର ନିଲୁ ସାହୁ, ଭୈରବପୁର ଅଞ୍ଚଳର କାଜଲ ମହାନ୍ତି ସହିତ ଅନ୍ୟ ଦୁଇ ଜଣ ସ୍ଥାନୀୟ ଯୁବକ ଓ ୩ ଜଣ ଯୁବତୀଙ୍କୁ ନେଇ ଏହି ବ୍ୟବସାୟ ଆରମ୍ଭ ହୋଇଥିଲା । ସ୍ଥାନୀୟ ଯୁବକ ଯୁବତୀ ଦୋକାନର ଦରମା ନେଇ କାମ କରୁଥିଲେ । ବିଭିନ୍ନ ଅଫରମାନ ଦେଇ ଗ୍ରାହକଙ୍କୁ ଘରକରଣା ସାମଗ୍ରୀ ଯୋଗାଇ ଆସୁଥିଲା ସଂସ୍ଥା । ଯେଉଁ ସାମଗ୍ରୀ ବଜାରର ଦର ୫୦ ହଜାର ଟଙ୍କା ତାହାକୁ ୨୭ ହଜାର ୫୦୦ ଟଙ୍କାରେ ଦେଉଥିଲା । ଖୁବ କମ ଦିନରେ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ଜିନିଷ ପ୍ରଦାନ କରି ଭଲ ବେପାର ଜମିଥିଲା । ସକାଳଠାରୁ ସଞ୍ଜ ପର୍ଯ୍ୟନ୍ତ କାଉଣ୍ଟରୁ ଗ୍ରାହକ ଆସି ଲକ୍ଷାଧିକ ଟଙ୍କାର ସାମଗ୍ରି ବୁକିଂ କରୁଥିଲେ । କେତେକ ଲୋକେ ନିଜ ଝିଅ ବିବାହ ଉପଲକ୍ଷେ ଆଗୁଆ ଟଙ୍କା ଆଣି ପୈଠ କରିଥିଲେ ।
ଶୁକ୍ରବାର ରାତିପ୍ରାୟ ୮ଟା ବେଳେ ଦୋକାନ ବନ୍ଦ କରି ସ୍ଥାନୀୟ ସେଲ୍ସମେନ ନିଜ ଘରକୁ ଫେରିଥିଲେ । ଆନ୍ଧ୍ରରୁ ଆସିଥିବା ୫ ଯୁବକ ସତସଙ୍ଗ ବିହାର ନିକଟରେ ଭଡ଼ା ନେଇ ରହୁଥିବା ଘରକୁ ଯାଇଥିଲେ । ଶୁକ୍ରବାର ରାତି ପ୍ରାୟ ୧ରୁ୨ ଟା ବେଳେ ସେମାନେ ଏହି ସ୍ଥାନ ଛାଡ଼ିିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ପ୍ରତିଦିନ ସକାଳେ ସ୍ଥାନୀୟ ଅଞ୍ଚଳର ଅଟୋ ଚାଳକ ନିଲୁ ନିଜ ଅଟୋରେ ସେମାନଙ୍କୁ ନେବା ଆଣିବା କରନ୍ତି । ସେ ଆଜି ସକାଳୁ ସେଠି ପହଞ୍ଚିଲା ବେଳକୁ ସମ୍ପୃକ୍ତ ଘର ତାଲା ପଡ଼ିଥିଲା । ସେମାନଙ୍କ ମୋବାଇଲ ସ୍ୱିଚ୍ ଅଫ ଥିଲା । ସେପଟେ କାଉଣ୍ଟର ସମ୍ମୁଖରେ ଟଙ୍କା ଦେଇଥିବା ଶତାଧିକ ଗ୍ରାହକ ଆସି ବରାଦ ଅନୁସାରେ ଜିନିଷ ନେବାକୁ ଭିଡ଼ ଜମାଇଥିଲେ । କାଉଣ୍ଟର ନ ଖୋଲିବାରୁ ସେମାନେ ହୋ ହାଲ୍ଲା କରିଥିଲେ । ପରେ ଏଜେନ୍ସିର ମୁଖ୍ୟମାନେ ଫେରାର ହୋଇ ଯାଇଥିବା ଜଣାପଡ଼ିଥିଲା । ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବରପାଇ ବାସୁଦେବପୁର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକମାନଙ୍କୁ ବୁଝାସୁଝା କରିଥିଲେ । ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ । ଦୁର୍ଗା ଏଜେନ୍ସିକୁ ସିଲ କରାଯାଇଛି । ସିଲ ହୋଇଥିବା ଘରେ ମାତ୍ର ୩ ଲକ୍ଷ ଟଙ୍କାର ସାମଗ୍ରୀ ଥିବା ଅନୁମାନ କରାଯାଉଛି । ଟଙ୍କା ଦେଇଥିବା ଗ୍ରାହକମାନେ ଚିନ୍ତାରେ ପଡ଼ିଛନ୍ତି । ତୁରନ୍ତ ସେମାନଙ୍କୁ ଧରିବାକୁ ଦାବି ହୋଇଛି । ଏହି ଦୁର୍ଗା ଏଜେନ୍ସିି ନାମରେ ଏକ ଜିଏସଟି ନମ୍ବର ଖୋଲାଯାଇଛି । ଯାହାର ନମ୍ବର ୨୧ ଜିଆଇଟିପିକେ ୮୯୦୮ ଜେ-୧ ଜେଡ୍ଏନ ବୋଲି ଜଣାପଡ଼ିଛି ।
Comments are closed, but trackbacks and pingbacks are open.