ମାଲକାନଗିରି,(ବି.ବି.ନୁ୍ୟଜ୍): ଯବାନଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ପୋତୁଥିଲେ । ନିଜେ ଏହାର ଶିକାର ହେଲେ । ଲ୍ୟାଣ୍ଡମାଇନଟି ହଠାତ୍ ବିସ୍ଫୋରଣ ହେବାରୁ ଗୁରୁତର ଆହତ ହୋଇଛନ୍ତି ମାଓନେତା ଭୀମା ମାଡ଼କାମୀ । ଛତିଶଗଡ ସୁକ୍ମା ଜିଲ୍ଲାରେ ଘଟିଛି ଏହି ଘଟଣା । ଯବାନମାନେ ସମ୍ପୃକ୍ତ ମାଓବାଦୀଙ୍କୁ ଡାକ୍ତରଖାନା ପଠାଇ ଚିକିତ୍ସା କରି ମାନବିକତା ଦେଖାଇଛନ୍ତି । ଏପରିକି ସମ୍ପୃକ୍ତ ମାଓବାଦୀଙ୍କୁ ଯବାନମାନେ କାନ୍ଧରେ ବୋହି ହସ୍ପିଟାଲକୁ ନେବା ଛତିଶଗଡ ସହ ମାଲକାନଗିରି ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।
ସୂଚନା ଅନୁସାରେ, ଆଜି ସକାଳେ ସୁକମା ଜିଲ୍ଲା ନାଗଲଗୁଣ୍ଡି ଜଙ୍ଗଲକୁ ଡିଆର୍ଜି ଯବାନମାନେ କମ୍ବିଂରେ ଯାଇଥିଲେ । ଯବାନଙ୍କୁ ଟାର୍ଗେଟ କରି ଫେରିବା ବାଟରେ ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ଫିଟ୍ କରୁଥିଲେ । ଏହାର ନେତୃତ୍ୱ ନେଇଥିଲେ ମାଓନେତା ଭୀମା । ସେ ଗାତ ଖୋଳି ଲ୍ୟାଣ୍ଡମାଇନ ପୋତି ତାର ଖଞ୍ଜୁଥିବାବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା । ଏଥିରେ ଆଘାତ ପାଇ ଭୀମା ଦୂରକୁ ଛିଟିକି ପଡି ଗୁରୁତର ହୋଇଥିଲେ । ବିସ୍ଫୋରଣ ଶବ୍ଦ ଶୁଣି ଅନ୍ୟ ମାଓ ସାଥୀମାନେ ଭୀମାଙ୍କୁ ଜଙ୍ଗଲରେ ଛାଡିଦେଇ ଛତ୍ରଭଙ୍ଗ ଦେଇଥିଲେ । ଭୀମା ଏକୁଟିଆ ଜଙ୍ଗଲରେ ପଡି ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଠିକ୍ ସେହି ସମୟରେ ଯବାନମାନେ ସେହି ବାଟରେ ଫେରୁଥିଲେ । ବିସ୍ଫୋରଣ ଶବ୍ଦ ଓ ଭୀମାଙ୍କ ଚିକ୍ରାର ଶୁଣି ଯବାନମାନେ ଘଟଣାସ୍ଥଳକୁ ଦୌଡି ଆସିଥିଲେ । ଭୀମାଙ୍କ ଅବସ୍ଥା ଦେଖି କାଳବିଳମ୍ବ ନକରି ତାଙ୍କୁ ମେଡିକାଲ ନେବାକୁ ଉଦ୍ୟମ ଆରମ୍ଭ କରିଥିଲେ । ଭୀମା ଜଣେ ମାଓ ନେତା ଜାଣି ମଧ୍ୟ ଯବାନମାନେ ତାଙ୍କୁ ଉଦ୍ଧାର କରିଥିଲେ । ତେବେ ସେହି ରାସ୍ତାରେ ନଦୀନାଳ ଓ କାଦୁଅ ଥିବାରୁ ଆମ୍ବୁଲାନ୍ସ ପହଞ୍ଚିବା ସମ୍ଭବ ନଥିଲା । ତୁରନ୍ତ ଯବାନମାନେ ପାଖ ଗାଁରୁ ଏକ ଖଟିଆ ଆଣି ଭୀମାଙ୍କୁ ସେଥିରେ ବସାଇଥିଲେ । ଦୀର୍ଘ ୪ କିମି ରାସ୍ତା ଯବାନମାନେ ଭୀମାଙ୍କୁ ଖଟିଆରେ ବୋହି କାଦୁଅ ପାଣି ରାସ୍ତାରେ ସୁକମା ହସ୍ପିଟାଲରେ ପହଞ୍ଚିଥିଲେ । ଗୁରୁତର ଭୀମା ଜଣେ ଦୁର୍ଦ୍ଧାନ୍ତ ମାଓନେତା ହୋଇଥିବା ବେଳେ ଛତିଶଗଡ ଓ ମାଲକାନଗିରି ଜିଲ୍ଲାରେ ସେ ବିଭିନ୍ନ ମାଓ ହିଂସାକାଣ୍ଡରେ ଲିପ୍ତ ଥିବା ଜଣାପଡିଛି । ତାଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରହିଛି । ୨୦୦୭ ରେ ଭୀମାଙ୍କ ମୁଣ୍ଡରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଆଜିର ଘଟଣା ପରେ ସୁକୁମା ଏସ୍ପି ଓ ଅନ୍ୟ ପୁଲିସ ଅଧିକାରୀମାନେ ଡାକ୍ତରଖାନାରେ ପହଞ୍ଚି ଭୀମାଙ୍କ ଚିକିତ୍ସା ସମ୍ପର୍କରେ ବୁଝିବା ସହ ସେ କେଉଁକେଉଁ ମାମଲାରେ ଜଡିତ ଥିଲେ ତାର ତଦନ୍ତ ଆରମ୍ଭ କରିଛନ୍ତି ।
Comments are closed, but trackbacks and pingbacks are open.