ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ର ଭଗ୍ନାବଶେଷ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଠାବ କରାଯାଇଛି । ଦକ୍ଷିଣ ମେରୁର ୬୦୦ କି.ମି. ଦୂରରେ ବିକ୍ରମର ଭଙ୍ଗା ଅଂଶ ପଡିଥିବା ନେଇ ଆମେରିକା ମହାକାଶ ଗବେଷଣା ସଂସ୍ଥା ‘ନାସା’ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯିବା ସହ ତାର ଫଟୋ ମଧ୍ୟ ଜାରି କରାଯାଇଛି । ସେପ୍ଟେମ୍ବର ୭ ତାରିଖରେ ସେହି ସ୍ଥାନରେ ବିକ୍ରମ ହାର୍ଡ ଲ୍ୟାଣ୍ଡିଂ କରିବା ପରେ ଭାଙ୍ଗିରୁଜି ଯାଇଥିଲା । ଏହାର ଟୁକୁଡା ଅଂଶ ପ୍ରାୟ ୧ କି.ମି. ବ୍ୟାପୀ ଅଞ୍ଚଳରେ ବିକ୍ଷିପ୍ତ ଭାବେ ପଡିଥିଲା ।
ସବୁଠାରୁ ବଡକଥା ହେଉଛି ଚେନ୍ନାଇର ୩୩ ବର୍ଷୀୟ ମେକାନିକାଲ ଇଞ୍ଜିନିୟର ସନମୁଗ ସୁବ୍ରମଣ୍ୟମ (ସାନ୍) ବିକ୍ରମର ଏହି ଭଗ୍ନାବଶେଷ ଠାବ କରିଛନ୍ତି । ସେ ଏବେ ଚେନ୍ନାଇର ଇଞ୍ଜିନିୟରିଂ କମ୍ପାନି ଲେନକ୍ସ ଇଣ୍ଡିଆ ଟେକ୍ନୋଲୋଜି ସେଣ୍ଟରରେ କମ୍ପୁ୍ୟଟର ପ୍ରୋଗ୍ରାମର ଭାବେ କାର୍ଯ୍ୟ କରୁଛନ୍ତି । ନାସାର ଚନ୍ଦ୍ରଯାନ ଏଲ୍ଆରଓ (ଲୁନାର ରେକନାଇଜାନ୍ସ ଅର୍ବିଟର) ସେପ୍ଟେମ୍ବର ୧୭, ଅକ୍ଟୋବର ୧୪, ଅକ୍ଟୋବର ୧୫ ଓ ନଭେମ୍ବର ୧୧ ତାରିଖରେ ପଠାଇଥିବା ଚନ୍ଦ୍ରପୃÂର ଚିତ୍ରକୁ ସେ ୧୬ ଦିନ ଧରି ଲଗାତାର ଭାବେ ଅନୁଧ୍ୟାନ କରିବା ପରେ ବିକ୍ରମର ଭଗ୍ନାବଶେଷ ଠାବ କରିଥିଲେ । ପ୍ରତିଦିନ ରାତିରେ ସେ ୪ରୁ୬ ଘଣ୍ଟା ଧରି ସେହି ଚିତ୍ରକୁ ଅନୁଧ୍ୟାନ କରିଥିଲେ । ସେଥିରୁ ସେ ଜାଣିବାକୁ ପାଇଥିଲେ ଯେଉଁ ସ୍ଥାନରେ ବିକ୍ରମ ଲ୍ୟାଣ୍ଡିଂ କରିବାର ଥିଲା ସେଠାରୁ ପ୍ରାୟ ୭୫୦ ମିଟର ଦୂରରେ ଏକ ଧଳା ଚିହ୍ନ ରହିଛି । କିନ୍ତୁ ବିକ୍ରମ କ୍ରାସ ଲ୍ୟାଣ୍ଡିଂ କରିବା ପୂର୍ବରୁ ସେହି ସ୍ଥାନରେ କୌଣସି ଧଳାଚିହ୍ନ ନଥିଲା । ସେହି ଧଳା ଚିହ୍ନଟି ଅତି ଉଜ୍ୱଳ ଦେଖାଯାଉଥିଲା । ତାକୁ ଭଲ ଭାବେ ଯାଞ୍ଚ କରିବା ପରେ ଅକ୍ଟୋବର ୩ ତାରିଖରେ ସେ ନିଶ୍ଚିତ ହୋଇଥିଲେ ଯେ ତାହା ବିକ୍ରମର ଭଙ୍ଗାଅଂଶ ।
ତେଣୁ ସନ୍ମୁଗ ଟୁଇଟ କରି ଜଣାଇଥିଲେ କି ସେହି ସ୍ଥାନରେ ବିକ୍ରମ ହାର୍ଡ ଲ୍ୟାଣ୍ଡିଂ କରି ମାଟି ଭିତରେ ପୋତିହୋଇ ଯାଇଛି । ଏକଥା ସେ ନାସା ବୈଜ୍ଞାନିକମାନଙ୍କୁ ଇ-ମେଲ୍ ମାଧ୍ୟମରେ ବି ଜଣାଇଥିଲେ । ନଭେମ୍ବର ୧୧ ତାରିଖରେ ଏଲ୍ଆରଓରୁ ମିଳିଥିବା ସେହି ନିର୍ଦ୍ଧିଷ୍ଟ ସ୍ଥାନର ସଦ୍ୟତମ ଚିତ୍ର ଏବଂ ୨୦୧୭ ଡିସେମ୍ବରରେ ସେହି ସ୍ଥାନରୁ ନିଆଯାଇଥିବା ଚିତ୍ରକୁ ମିଳାଇ ଭଲ ଭାବେ ପରୀକ୍ଷା କରିବା ପରେ ନାସାର ବୈଜ୍ଞାନିକମାନେ ତାହା ବିକ୍ରମର ଟୁକୁଡା ଅଂଶ ବୋଲି ସ୍ପଷ୍ଟ ହୋଇଥିଲେ । ସେମାନେ ଏକଥା ସନ୍ମୁଗଙ୍କୁ ଇ-ମେଲ୍ ମାଧ୍ୟମରେ ଜଣାଇଥିଲେ । ମଙ୍ଗଳବାର ଭୋର ୪ଟାରେ ସନ୍ମୁଗ ତାଙ୍କ ଇ-ମେଲ ଖୋଲିବା ପରେ ବିକ୍ରମର ଭଙ୍ଗା ଅଂଶ ଖୋଜି ପାଇଥିବାରୁ ନାସା ବୈଜ୍ଞାନିକମାନେ ତାଙ୍କୁ ଧନ୍ୟବାଦ ଜଣାଇଥିବା ଦେଖିବାକୁ ପାଇଥିଲେ । ଏଥିରେ ତାଙ୍କର ଖୁସିର ସୀମା ରହିନଥିଲା ।
ସନ୍ମୁଗଙ୍କ କହିବାନୁଯାୟୀ ବିକ୍ରମ ଚନ୍ଦ୍ରପୃÂରେ ନିଖୋଜ ହେବା ପରେ ତା ବିଷୟରେ ଜାଣିବା ଲାଗି ତାଙ୍କର ଆଗ୍ରହ ବଢ଼ିଯାଇଥିଲା । ସେପ୍ଟେମ୍ବର ୧୭ ତାରିଖରେ ନାସା ବିକ୍ରମର ପ୍ରସ୍ତାବିତ ଲ୍ୟାଣ୍ଡିଂ ସ୍ଥାନର ଯେଉଁ ଫଟୋ ଜାରି କରିଥିଲା ତାହା ୧.୫ ଜି.ବି ଥିଲା । ତାକୁ ସେ ଡାଉନଲୋଡ୍ କରିଥିଲେ । ସେହି ଚିତ୍ରକୁ ସେ ଲଗାତାର ଭାବେ ଯାଞ୍ଚ କରିଥିଲେ । ତାଙ୍କୁ ଲାଗିଥିଲା ଯେ ପ୍ରସ୍ତାବିତ ଲ୍ୟାଣ୍ଡିଂ ସ୍ଥାନରୁ ଅଳ୍ପ ଦୂରରେ କିଛି ଟୁକୁଡା ଖଣ୍ଡ ପଡିଛି । ତାହା ବିକ୍ରମର ହୋଇଥାଇପାରେ ବୋଲି ତାଙ୍କର ବିଶ୍ୱାସ ହୋଇଥିଲା । ତା’ଛଡା ତାହା ମଧ୍ୟ କୌଣସି ପଥରଖଣ୍ଡ ହୋଇପାରେ ବୋଲି ସେ ସନେ୍ଦହ କରିଥିଲେ । ପରେ ସେ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ ‘ଇସ୍ରୋ’ର ବିକ୍ରମର ପ୍ରସ୍ତାବିତ ଲ୍ୟାଣ୍ଡିଂ ବେଳର ଲାଇଭ ଟେଲିମେଟ୍ରି ଡାଟା ସଂଗ୍ରହ କରିଥିଲେ । ସେଥିରୁ ବିକ୍ରମର ଅନ୍ତିମ ଗତି ଓ ସ୍ଥିତିର ହିସାବକୁ ନେଇ ଦୁଇଗୁଣ ଦୁଇ ବର୍ଗ କି.ମି. ଅଞ୍ଚଳର ଚିତ୍ରକୁ ପିକ୍ସଲ ପରେ ପିକ୍ସଲ ସ୍କାନିଂ କରିଥିଲେ । ଏଲ୍ଆରଓରେ ଲାଗିଥିବା କ୍ୟାମେରାର କ୍ଷମତା ପ୍ରତି ପିକ୍ସଲ ୧.୩ ମିଟର ଥିଲା । ଅର୍ଥାତ ୧.୩ ମିଟର ସ୍ଥାନକୁ କ୍ୟାମେରା ଏକ ବିନ୍ଦୁ ଭାବେ ଚିତ୍ରୋତ୍ତଳନ କରିଥିଲା । ବିକ୍ରମର ପତ୍ତା ଲଗାଇବାରେ ଏହି ଚିତ୍ର ତାଙ୍କୁ ବେଶ୍ ସହାୟକ ହୋଇଥିଲା ବୋଲି ସନ୍ମୁଗ କହିଛନ୍ତି ।
Comments are closed, but trackbacks and pingbacks are open.