ରାଉରକେଲା,(ବି.ବି.ନୁ୍ୟଜ୍): ଶାଶୂକୁ ହତ୍ୟା କରିବା ଅଭିଯୋଗରେ ଅଭିଯୁକ୍ତ ବୋହୂକୁ ରାଉରକେଲା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ ଦୀପକ କୁମାର ଆଜୀବନ ସଶ୍ରମ କାରାଦାଣ୍ଡରେ ଦଣ୍ଡିତ କରିଛନ୍ତି ।
ସୁନ୍ଦରଗଡ଼ ଜିଲ୍ଲା ହାତୀବାରି ଥାନା ଅନ୍ତର୍ଗତ କରଞ୍ଜିଆ ଗ୍ରାମରେ ରହୁଥିଲେ ବେରୋନିକା ହାଁସଦା (୫୫) । ତାଙ୍କ ସ୍ୱାମୀ ଆର ପାରିକି ଚାଲି ଯାଇଛନ୍ତି । ଦୁଇ ପୁଅ ଜୋହାନ ହାଁସଦା ଓ ପାଉଲ ହାଁସଦା ମାଆ ପାଖରେ ରହୁଥିଲେ । ଜୋହାନ ଏଲାନି ହାଁସଦାଙ୍କୁ ବିବାହ କରିଥିଲେ । ସେମାନଙ୍କର ୫ ଓ ୭ ବର୍ଷର ଦୁଇ ଝିଅ ଅଛନ୍ତି । ୨୦୧୬ ଡିସେମ୍ବର ମାସ ୩ ତାରିଖରେ ବେରୋନିକାଙ୍କ ଘରକୁ ସଂଧ୍ୟା ସମୟରେ କୁଣିଆ ଆସିଥିଲେ । କୁଣିଆଙ୍କ ଖାଇବା ଲାଗି ରୁଟି ଓ ତରକାରି କରିବା ପାଇଁ ବୋହୂ ଏଲାନିଙ୍କୁ ଶାଶୂ କହିଥିଲେ । ଏଇ କଥାକୁ ନେଇ ଶାଶୂ ଓ ବୋହୂଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯାହାକି ପରବର୍ତ୍ତୀ ସମୟରେ ଉଗ୍ରରୂପ ଧାରଣ କରିଥିଲା । ଏଲାନି ଘରେ ଥିବା ଏକ କୁରାଢ଼ି ଆଣି ଶାଶୂଙ୍କ ମୁଣ୍ଡକୁ ଚୋଟ ମାରିଥିଲେ । ଫଳରେ ସେହି ଠାରେ ହିଁ ଟଳି ପଡ଼ିଥିଲେ ବେରୋନିକା । ଘରେ ଥିବା ଏଲିନାଙ୍କ ପୁତୁରା ଓ ଦିଅର ତାଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ । ହେଲେ ଏଲିନା ସେମାନଙ୍କୁ ଧମକ ଦେବା ସହ କୁରାଢ଼ି ଧରି ମାରିବାକୁ ଗୋଡ଼ାଇ ଥିଲେ । ଫଳରେ ସେମାନେ ଦୌଡ଼ି ସେଠାରୁ ପଳାଇ ଯାଇଥିଲେ ।
ପାଉଲ ଏ ନେଇ ହାତୀବାରି ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଏଲିନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାର ବିଚାର ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ଆରମ୍ଭ ହୋଇଥିଲା । ପୁତୁରା ଓ ଦିଅରଙ୍କ ସମେତ ୧୧ ଜଣ ସାକ୍ଷୀଙ୍କ ବୟାନ, ୧୩ଟି ଦସ୍ତାବିଜ ଓ ୯ଟି ବାସ୍ତବ ପଦାର୍ଥକୁ ଆଧାର କରି ଆଜି ଅପରାହ୍ନରେ ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ ଦୀପକ କୁମାର ଅଭିଯୁକ୍ତ ଏଲିନାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଏହି ମାମଲା ପରିଚାଳନା କରିଥିଲେ ଆଡିସ୍ନାଲ ପବ୍ଲିକ ପ୍ରସିକୁ୍ୟଟର ଅଜୟ କୁମାର ପ୍ରଧାନ ।
Comments are closed, but trackbacks and pingbacks are open.