କଟକ,(ବି.ବି.ନ୍ୟୁଜ୍): ବହୁଚର୍ଚ୍ଚିତ ରାୟଗଡ଼ାର ଟିକିରି ୟୁପି ସ୍କୁଲ୍ ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଆସାମୀ ନେତ୍ରାନନ୍ଦ ଦଣ୍ଡସେନାର ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଆଜୀବନ କାରାଦଣ୍ଡାଦେଶ ଭୋଗୁଥିବା ନେତ୍ରାନନ୍ଦ ଦଣ୍ଡସେନା ଜାମିନ ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ୍.କେ. ମିଶ୍ର ଏବଂ ବିଚାରପତି ଜଷ୍ଟିସ୍ ଏ.କେ. ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ମାମଲାର ଶୁଣାଣି କରି ଜାମିନ୍ ଆବେଦନକୁ ଖାରଜ କରିଦେଇଛନ୍ତି ।
ମାମଲାରୁ ଜଣାଯାଇଛି ଯେ, ଟିକିରି ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟରେ ଜଣେ ନନ୍ଫର୍ମାଲ୍ ଶିକ୍ଷୟିତ୍ରୀ ଭାବେ ଇତିଶ୍ରୀ ଯୋଗ ଦେଇଥିଲେ । ୨୦୧୩ ମସିହା ଅକ୍ଟୋବର ୨୭ରେ ସେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ନିଆଁ ଲଗାଇ ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିଲା । ଏଥିରେ ଗୁରୁତର ଆହତ ହୋଇ ଇତିଶ୍ରୀ ପ୍ରଥମେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଆନ୍ଧ୍ରପ୍ରଦେଶର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲାବେଳେ ନଭେମ୍ବର ପହିଲାରେ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ସ୍କୁଲ୍ ଏସ୍ଆଇ ନେତ୍ରାନନ୍ଦ ଦଣ୍ଡସେନାକୁ ଗିରଫ କରାଯାଇଥିଲା । ଏହି ମାମଲାର ଶୁଣାଣି କରି ରାୟଗଡ଼ା ଜିଲ୍ଲା ଦୌରାଜଜ୍ ନେତ୍ରାନନ୍ଦ ଦଣ୍ଡସେନାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ଦଣ୍ଡାଦେଶ ପରେ ଜେଲ୍ରେ ଥିବା ନେତ୍ରାନନ୍ଦ ଦଣ୍ଡସେନା ଜାମିନ୍ ଆବେଦନ କରି ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଓଡ଼ିଶା ହାଇକୋର୍ଟ ମାମଲାର ଶୁଣାଣି କରି ନେତ୍ରାନନ୍ଦ ଦଣ୍ଡସେନାର ଜାମିନ୍ ଆବେଦନକୁ ଖାରଜ କରି ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନଜୀବୀ ଜନ୍ମେଜୟ କଟକିଆ ମାମଲା ପରିଚାଳନା କରୁଥିଲେ ।
Comments are closed, but trackbacks and pingbacks are open.