ବିଶୋଇ,(ବି.ବି.ନୁ୍ୟଜ): ମୟୂରଭଞ୍ଜ ଜିଲ୍ଲା ବିଶୋଇ ରେଞ୍ଜ ଅନ୍ତର୍ଗତ ଗାରଗାଡି ବିଟ୍ର କୁଞ୍ଜୁକଚା ଗାଁ ନିକଟ ଶିମିଳିପାଳ ପାଦଦେଶର ଟୁଙ୍ଗୁରୁ ସଂରକ୍ଷିତ ଜଙ୍ଗଲରୁ ଏକ ହାତୀ ଛୁଆର ମୃତଦେହ ଉଦ୍ଧାର ହୋଇଛି । ଶନିବାର ହାତୀ ଛୁଆର ମୃତଦେହ ସେଠାରେ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ । ଏନେଇ ରବିବାର ବନ ବିଭାଗକୁ ଖବର ଦିଆଯାଇଥିଲା । ଆଜି ବନ ବିଭାଗ ଅଧିକାରୀ ହାତୀ ଛୁଆର ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି । ତେବେ ହାତୀ ଛୁଆଟିର ମୃତୁ୍ୟ ମହାବଳ ବାଘ ଆକ୍ରମଣରୁ ହୋଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ପୂର୍ବରୁ ଗ୍ରାମବାସୀଙ୍କ ୪ଟି ବଳଦଙ୍କ ମୃତଦେହ ମଧ୍ୟ ଜଙ୍ଗଲରୁ ମିଳିଥିଲା । ଏବେବି ଅନେକ ଗୋରୁଙ୍କ ପତ୍ତା ନାହିଁ । ବାଘ ଆକ୍ରମଣରେ ବଳଦଙ୍କ ମୃତୁ୍ୟ ହୋଇଥିବା ଗ୍ରାମବାସୀ ସନେ୍ଦହ କରୁଛନ୍ତି । ଏନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।
ଆଜି ରାଇରଂଗପୁର ଏସିଏଫ୍ ବୈଦ୍ୟନାଥ ମାଝି, ନବୀନ ନାଏକଙ୍କ ତତ୍ୱାବଧାନରେ ବିଶୋଇ ରେଞ୍ଜର ପ୍ରଦୀପ କୁମାର ପୃଷ୍ଟି, ରାଇରଂଗପୁର ରେଞ୍ଜର ଅନ୍ତର୍ଯ୍ୟାମୀ ମହାକୁଡ, ଡବ୍ଲୁ୍ୟଟିଆଇର ଚିକିତ୍ସକ ଡ. ଭିଶାଖା ସମୀରା, ପ୍ରାକ୍ତନ ଜିଲ୍ଲା ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ପ୍ରଦୀପ୍ତ କବି ପ୍ରମୁଖଙ୍କ ସମେତ ଅନ୍ୟ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ହାତୀ ଛୁଆର ମୃତଦେହ ଉଦ୍ଧାର କରିଥିଲେ । ମୃତ ହାତୀ ଛୁଆର ବୟସ ଏକ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ତା’ ଶୁଣ୍ଢର ଅଗ୍ରଭାଗ ଓ ଶରୀରର ପଛ ପାର୍ଶ୍ୱରେ ଗଭୀର କ୍ଷତ ରହିଛି । ଶିମିଳିପାଳରେ ମହାବଳ ବାଘ ରହିଥିବା ବେଳେ ବାଘ ଆକ୍ରମଣରୁ ହାତୀ ଛୁଆର ମୃତୁ୍ୟ ହୋଇଥିବା ବିଶୋଇ ରେଞ୍ଜର ଶ୍ରୀ ପୃଷ୍ଟି କହିଛନ୍ତି । ବିଶୋଇ ପଶୁ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଛି । ପ୍ରାୟ ଦୁଇ ଦିନ ତଳେ ହାତୀ ଛୁଆର ମୃତୁ୍ୟ ହୋଇଥିବା ଡାକ୍ତର କହିଛନ୍ତି ।
ଗତ ସପ୍ତାହ ମଧ୍ୟରେ ବିଶୋଇ ବ୍ଲକ ଖଡ଼ମବେଡା ପଞ୍ଚାୟତ ଅର୍ନ୍ତଗତ ଦ୍ୱାରଶୁଣୀ ତାରାଣ ହାରିଡାଲି ଗ୍ରାମର ବିଭିନ୍ନ ଲୋକଙ୍କ ଗୋରୁ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି ନାହାନ୍ତି । ଗତ ଶୁକ୍ରବାର ବନ ବିଭାଗ ସହାୟତାରେ ଶିମିଳିପାଳ ପାଦଦେଶର ଦ୍ୱାରଶୁଣୀ ଅର୍ନ୍ତଗତ ବୁଡାପାହାଡ ଜଙ୍ଗଲରୁ ୪ ବଳଦଙ୍କ ମୃତଦେହ ଗ୍ରାମବାସୀ ଉଦ୍ଧାର କରିଛନ୍ତି । ଲକ୍ଷ୍ମଣ ଟୁଡୁ, ଦୁର୍ଗା ଟୁଡୁ, ଦୁଲି ମାର୍ଣ୍ଡିଙ୍କ ସମେତ ଅନ୍ୟ ଚାଷୀଙ୍କ ୮ଟି ବଳଦ ନିଖୋଜ ଥିବା ବେଳେ ଗୋରୁମାନେ ବାଘ ଆକ୍ରମଣର ଶିକାର ହୋଇଥିବା ଅନୁମାନ କରାଯାଉଛି । ଏହି ଚାଷୀମାନଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି କରାଯାଇଛି । ଅନ୍ୟପଟେ ଆଜି ସନ୍ଧ୍ୟାବେଳେ ବନ ବିଭାଗ ପକ୍ଷରୁ ନିକଟସ୍ଥ ଗାଁଗୁଡିକରେ ଡାକବାଜି ମାଧ୍ୟମରେ ସତର୍କ କରାଯାଇଛି । ଲୋକଙ୍କୁ ଜଙ୍ଗଲକୁ ନଯିବା ସହ ଗୋରୁମାନଙ୍କୁ ଜଙ୍ଗଲକୁ ନ ଛାଡିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି ।


Comments are closed, but trackbacks and pingbacks are open.