ବହଳଦା,(ବି.ବି.ନୁ୍ୟଜ୍): ଟ୍ରାକ୍ଟର ଚାପିଦେବାରୁ ମାତ୍ର ୫ ମାସର ଶିଶୁକନ୍ୟାର ଆଜି ସକାଳେ ମୃତୁ୍ୟ ଘଟିଛି । ଏହି ଅଘଟଣ ଘଟିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଭିତରାମଦା ଗାଁରେ । ଶିଶୁକନ୍ୟାଟିର ମୃତୁ୍ୟ ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ମୃତ ଶିଶୁକନ୍ୟାଟି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ପଞ୍ଚାୟତ ଅସୁରଘାଟୀ ଗାଁର ସିଦ ହେମ୍ବ୍ରମ ଓ ପତ୍ନୀ ମାୟା ହେମ୍ବ୍ରମଙ୍କ ଝିଅ । ମାୟା ବାପଘର ଗାଁ ଭିତରାମଦାକୁ ଆସିଥିଲାବେଳେ ଏହି ଦୁଃଖଦ ଘଟଣା ଘଟିଯାଇଛି । ଏ ସମ୍ପର୍କରେ ଖବର ପାଇବା ପରେ ତିରିଂ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହାସହ ଟ୍ରାକ୍ଟର(ଓଡି୧୧ଏସ୍ ୦୭୦୧)ଟିକୁ ଜବତ କରିଛି ।
ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୯ଟା ପାଖାପାଖି ହେବ । ଘର ବାଡ଼ିପଟ ପଣସ ଗଛ ଛାଇରେ ଘାସ ଗାଲିଚା ଉପରେ ଶିଶୁକନ୍ୟାଟି ଶୋଇଥିଲା । ୨ ଜଣ ନାବାଳିକା ତା’କୁ ଜଗିଥିଲେ । ଏତିକିବେଳେ ଭଡ଼ାରେ ଆସିଥିବା ଟ୍ରାକ୍ଟରଟି ଜିନିଷପତ୍ର ଖାଲି କରିବା ପରେ ସେଠାରୁ ଫେରିବାବେଳେ ଶୋଇଥିବା ଶିଶୁ ଉପରେ ଅଜାଣତରେ ଗାଡ଼ି ଚପାଇ ଦେଇଥିଲା । ଘଟଣାସ୍ଥଳରେ ହିଁ ଶିଶୁକନ୍ୟାଟିର ମୃତୁ୍ୟ ହୋଇଥିଲା । ଏହାପରେ ଟ୍ରାକ୍ଟର ଡ୍ରାଇଭର ଗାଡ଼ି ଛାଡ଼ି ଦେଇ ସେଠାରୁ ପଳାଇଥିଲା । ପରିବାର ଲୋକେ ତୁରନ୍ତ ଶିଶୁଟିକୁ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ନେଇଥିଲେ । ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ଝରାଡିହି ଫାଣ୍ଡି ଅଧିକାରୀ ସତ୍ୟବାନ ଗିରି ଘଟଣା ସ୍ଥଳକୁ ଯାଇ ଅନୁସନ୍ଧାନ ଆରମ୍ଭ କରିଛନ୍ତି । ଏନେଇ ତିରିଂ ଥାନାରେ ଏକ ମାମଲା ରୁଜୁ ହୋଇଛି । ଗରିବ ଆଦିବାସୀ ମାୟାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ସହ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁÂାନ ଦାବି ହୋଇଛି ।
Comments are closed, but trackbacks and pingbacks are open.