ବେତନଟୀ,(ବି.ବି.ନୁ୍ୟଜ୍): ବେତନଟୀ ଥାନା ଅଧିନ ଛଚିନାପଦା ଗ୍ରାମରେ ଆଜି ଜଣେ ୬ବର୍ଷର ବାଳକ ପାଣିରେ ବୁଡ଼ିଯାଇ ପ୍ରାଣ ହରାଇଛି ।ଏହି ଦୁଃଖଦ ଘଟଣା ଛଚିନାପଦାରେ ଶୋକର ଛାୟା ଖେଳାଇ ଦେଇଛି । ମୃତକ ହେଲେ ମନମୋହନ ବେହେରାଙ୍କ ପୁଅ ଶଙ୍କର ।
ସବିଶେଷ ସୂଚନା ମୁତାବକ ମନମୋହନଙ୍କ ଘର ମୋରଡ଼ା ଥାନା ଚିତ୍ରଡ଼ା ଗ୍ରାମରେ । ତେବେ ମନମୋହନଙ୍କ ପତ୍ନୀ ଦୁଃଖୀ, ୪ଝିଅ ଏବଂ ଏକମାତ୍ର ପୁଅ ଶଙ୍କରକୁ ନେଇ ବାପଘର ଛଚିନାପଦାରେ ଦୀର୍ଘବର୍ଷ ଧରି ରହିଆସୁଥିଲେ । ରବିବାର ଅପରାହ୍ନରେ ଶଙ୍କର ଘରପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲା । ଦୀର୍ଘ ସମୟ ଧରି ନଫେରିବାରୁ ସମ୍ପର୍କୀୟ ମନୋରଞ୍ଜନ ବେହେରାଙ୍କ ସମେତ ପରିବାରର ଅନ୍ୟମାନେ ଖୋଜାଖୋଜି କରିଥିଲେ । ପରିଶେଷରେ ପାଖ ପୋଖରୀରୁ ତାକୁ ଉଦ୍ଧାର କରି ସଙ୍ଗେସଙ୍ଗେ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ କାର୍ଯ୍ୟରତ ଡାକ୍ତର ପିଲାଟି ମୃତ ବୋଲି ଘୋଷଣା କରିଥିଲେ । ଏନେଇ ବେତନଟୀ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ସୋମବାର ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡିଛି । ୪ ଝିଅ ପରେ ଏକମାତ୍ର ପୁଅ ଶଙ୍କର ପରିବାରର ନୟନତାରା ହୋଇଥିଲା । ପୁଅକୁ ହରାଇ ମା’ ଓ ଭଉଣୀମାନେ ନିର୍ବାକ ହୋଇଯାଇଥିବାବେଳେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ।
Comments are closed, but trackbacks and pingbacks are open.