ନୂଆଦିଲ୍ଲୀ: ଶିଶୁ ନିର୍ଯାତନାକୁ ରୋକିବା ପାଇଁ ସମାଜରେ ସଚେତନତା ସୃଷ୍ଟି ସହ ଅପରାଧିଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡି ସାଂସଦ ସରୋଜିନୀ ହେମ୍ବ୍ରମ ବୁଧବାର ରାଜ୍ୟସଭାରେ ଦାବି କରିଛନ୍ତି । ଯୌନ ଅପରାଧରୁ ପିଲାଙ୍କୁ ସୁରକ୍ଷା ଯୋଗାଇବା ନେଇ ଗୃହରେ ଆଗତ ବିଲ୍ ଆଲୋଚନାରେ ଭାଗ ନେଇ ହେମ୍ବ୍ରମ କହିଥିଲେ ଯେ ସୋସିଆଲ ମିଡିଆ ଏବଂ ଟିଭିର କୁପ୍ରଭାବ ପିଲାଙ୍କ ଉପରେ ପଡୁଛି । ଏହା ପ୍ରଭାବରୁ ପିଲାଙ୍କୁ କିପରି ସଚେତନ କରାଯାଇ ପାରିବ ସେନେଇ ଚିନ୍ତା କରାଯିବା ଦରକାର । କେବଳ କଠୋର ଆଇନ୍ ଆଣିଲେ ପିଲାଙ୍କୁ ଯୌନ ନିର୍ଯାତନାରୁ ରକ୍ଷା କରାଯାଇ ପାରିବ ନାହିଁ । ଏହି ଅପରାଧ ନେଇ ଯେଉଁ ମାମଲା ରୁଜୁ କରାଯାଉଛି ସେଗୁଡ଼ିକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ବିଚାର କରାଯାଇ ଦୋଷୀକୁ ଦଣ୍ଡ ଦିଆଯିବା ଆବଶ୍ୟକ ।
ସରୋଜିନୀ ଉଲ୍ଲେଖ କରିଥିଲେ ଯେ ଓଡ଼ିଶା ସରକାର ମହିଳା ଓ ଶିଶୁଙ୍କ ସମସ୍ୟା ନେଇ ଅନେକ କଲ୍ୟାଣକାରୀ ପଦକ୍ଷେପ ନେଇଛନ୍ତି । ଘରୋଇ ହିଂସା, ବାଲ୍ୟ ବିବାହ, ଯୌନ ଶୋଷଣ, ମହିଳା ଏବଂ ଶିଶୁଙ୍କୁ ନେଇ ହେଉଥିବା ବ୍ୟଭିଚାର ଆଦି ସମସ୍ୟାର ନିରାକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପ୍ରଶଂସନୀୟ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସେ ଉଲ୍ଲେଖ କରିଥିଲେ ଯେ ଗାଁ ଗହଳିରେ ରହୁଥିବା ପିଲାଙ୍କୁ ୬ଷ୍ଠ ଶ୍ରେଣୀରୁ କୌଶଳ ବିକାଶ ଶିକ୍ଷା ପ୍ରଦାନ ନେଇ ପଦକ୍ଷେପ ନିଆଯିବା ଦରକାର । ଏହାଛଡ଼ା ପିଲାଙ୍କୁ ଆଧ୍ୟାତ୍ମିକ ଶିକ୍ଷା ଦେବାର ଆବଶ୍ୟକତା ରହିଛି । ସେ କହିଥିଲେ ଯେ ନିଶା ଦ୍ରବ୍ୟ ସେବନ ଉପରେ କଟକଣା ଜାରି କରିବା ଅତ୍ୟନ୍ତ ଜରୁରି । ହେମ୍ବ୍ରମ ଦାବି କରିଥିଲେ ଯେ ଆଦିବାସୀ ବହୁଳ ଅଞ୍ଚଳରେ ପିଲା ଓ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ନେଇ ପୁଲିସ୍ ମାମଲା ରୁଜୁ କରୁନାହିଁ । ଯେଉଁମାନେ ଏଭଳି ଅପରାଧରେ ସମ୍ପୃକ୍ତ ରହୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଥିଲେ ।


Comments are closed, but trackbacks and pingbacks are open.