
ଭୁବନେଶ୍ୱର,(ବି.ବି.ବୁ୍ୟରୋ): କୋଭିଡ୍ ମହାମାରୀ ଅଗଣିତ ପରିବାର, ଗୋÂୀ ଓ ଅର୍ଥନୀତିକୁ ନଷ୍ଟଭ୍ରଷ୍ଟ କଲାଣି । ବର୍ଷେରୁ ଅଧିକ ସମୟ ବିତିଥିଲେ ବି ସମସ୍ତେ ଅସହାୟ, ଅନିଶ୍ଚିତତା ଭିତରେ ଅଛନ୍ତି । ଭବିଷ୍ୟତ କ’ଣ ହେବ ତାକୁ ନେଇ ସଭିଏଁ ସନ୍ଦିହାନ । ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଓଡିÿଶା କରୋନା ଯୁଦ୍ଧ ଲଢୁଛି । ତେବେ ଏ ଲଢେଇରେ ବିଶେଷଜ୍ଞଙ୍କ ମାର୍ଗଦର୍ଶନ ଅତି ମୂଲ୍ୟବାନ । ବିଶେଷଜ୍ଞମାନେ ଯେଉଁ ଅସ୍ତ୍ର ଦେବେ ସରକାର ତାକୁ ଧରି ଆଗାମୀ କୋଭିଡ୍ ଯୁଦ୍ଧ ଲଢିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବସିଥିବା ରାଜ୍ୟର ପ୍ରଥମ କୋଭିଡ୍ ପରାମର୍ଶଦାତା ବୈଠକରେ ଏଭଳି ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତ ରାଜ୍ୟବାସୀଙ୍କୁ ଶୀଘ୍ର ଟିକା ଦେବାକୁ ସରକାର ସବୁ ସମ୍ବଳ ଲଗାଇ ଦେବେ ବୋଲି ସେ ଦମ୍ଭୋକ୍ତି କରିଛନ୍ତି ।
ତୃତୀୟ ଲହରୀକୁ ରାଜ୍ୟ କିଭଳି ମୁକାବିଲା କରିବ? ଭବିଷ୍ୟତର ରଣନୀତି ବା ଷ୍ଟ୍ରାଟେଜି କ’ଣ ରହିବ? ସ୍ୱାସ୍ଥ୍ୟ ସେବା ଓ ଭିତ୍ତିଭୂମିରେ କେଉଁ ପରିବର୍ତ୍ତନ ଅଣାଯିବ? ଏ ସବୁ ପ୍ରସଙ୍ଗରେ ଦେଶର ପ୍ରମୁଖ ତଥା ଖ୍ୟାତନାମା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କଠାରୁ ପରାମର୍ଶ ଲୋଡିଛନ୍ତି ନବୀନ । ପରାମର୍ଶଦାତା କମିଟିର ଅଧ୍ୟକ୍ଷ ଥିବା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡ. କେ ଶ୍ରୀନାଥ ରେଡ୍ଡ୍ୀ, ଡା. ରମାକାନ୍ତ ପଣ୍ଡା, ଡା. ଲଲିତ କାନ୍ତ, ଡା. ମୃଦୁଳା ଫାଡ୍କେ, ଡା. ସୁବ୍ରତ ଆଚାର୍ଯ୍ୟ, ଡା. ଦତ୍ତେଶ୍ୱର ହୋତା, କୋଭାକ୍ସିନ୍ ଟ୍ରାଏଲ୍ ଓଡ଼ିଶା ମୁଖ୍ୟ ପ୍ରଫେସର ଡା. ଇ ଭେଙ୍କଟ ରାଓ, ଡା. ସଂଘମିତ୍ରା ପତି, ଡା. ସିବିକେ ମହାନ୍ତି, ଡା. ଏମଆର ପଟ୍ଟନାୟକ ଓ ଡା. ଅଜୟ ପରିଡା ପ୍ରମୁଖ ଭର୍ଚୁଆଲ ବୈଠକରେ ଏକାଠି ହୋଇଥିଲେ ।
ମୁଖ୍ୟମନ୍ତ୍ରୀ ବୈଠକ ଆରମ୍ଭରୁ କହିଥିଲେ, ଦ୍ୱିତୀୟ ଲହରୀକୁ ନେଇ ଲୋକେ ଆତଙ୍କିତ ଅଛନ୍ତି । ନିଜ ସ୍ଥିତି ଓ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ପ୍ରଥମଥର ପାଇଁ ସମଗ୍ର ମାନବ ସମାଜ ଆଗରେ ଏଭଳି ମହାମାରୀ ଅଦୃଶ୍ୟ ଭୟ ହୋଇ ଛିଡା ହୋଇଛି । ଆଗକୁ କରୋନାର ଆଉ କେତେ ଲହରୀ ଆସିବ ଓ କେତେ ଭ୍ୟାରିଏଣ୍ଟ ବାହାରିବ ତାକୁ ନେଇ ସମସ୍ତେ ଭୟଭୀତ । ଲକଡାଉନ୍ ଯୋଗୁ ଅର୍ଥନୀତି ଉପରେ ପଡୁଥିବା ପ୍ରଭାବ ଅନେକ ପରିବାରର ଜୀବିକା ଓ ବ୍ୟବସାୟକୁ କ୍ଷତି ପହଞ୍ଚାଇଛି । ଏଭଳି ଭୟର ବାତାବରଣ ଭିତରେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଓ ମାର୍ଗଦର୍ଶନ ଲୋକଙ୍କୁ ବଳ ଦେବ ।
ଓଡିÿଶାର କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଭିଡ୍ ରୋଗୀଙ୍କୁ ଠିକ୍ ସମୟରେ ଚିକିତ୍ସା ଯୋଗାଇ ଦିଆଯାଉଛି । ଅକ୍ସିଜେନ୍ ଯୋଗାଣ ବ୍ୟବସ୍ଥାକୁ ଆମେ ସଫଳତାର ସହ ପରିଚାଳନା କରିଛୁ । ଅନ୍ୟ ରାଜ୍ୟକୁ ମଧ୍ୟ ଓଡ଼ିଶା ଅକ୍ସିଜେନ୍ ଯୋଗାଉଛି । ସ୍ୱାସ୍ଥ୍ୟସେବା ନିୟନ୍ତ୍ରଣାଧୀନ ରଖିବାରେ ଆମେ ସଫଳ ହୋଇଛୁ । କିଛି ଜିଲ୍ଲାକୁ ଛାଡି ଦେଲେ ରାଜ୍ୟରେ ସଂକ୍ରମଣ କମୁଛି । ଦ୍ୱିତୀୟ ଲହରୀ ଏବେ କମିବା ଆରମ୍ଭ କରୁଛି ବୋଲି ସେ ଆଶାପ୍ରକଟ କରିଛନ୍ତି । ତେବେ କରୋନାର ଆଗାମୀ ଲହରୀରେ ଯଦି ଶିଶୁମାନଙ୍କ ପାଇଁ ବିପଦ ବୋଲି ଆସୁଥିବା ବିଭିନ୍ନ ରିପୋର୍ଟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ହସ୍ପିଟାଲରେ ପିଲାଙ୍କୁ ଚିକିତ୍ସା ଯୋଗାଇବା ବଡ଼ ଚାଲେଞ୍ଜ ହେବ । ଏଥିପାଇଁ ଆମେ ଆଗୁଆ ପ୍ରସ୍ତୁତ ହେବାକୁ ପଡିବ ବୋଲି ସେ କହିଛନ୍ତି ।
କୋଭିଡ୍ ପରାମର୍ଶଦାତା କମିଟି ଅଧ୍ୟକ୍ଷ ଡା. କେ ଶ୍ରୀନାଥ ରେଡ୍ଡି କହିଥିଲେ, ସରକାର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିଭିନ୍ନ ଅତ୍ୟାଧୁନିକ ଷ୍ଟ୍ରାଟେଜି ଆପଣାନ୍ତୁ । ଡା ଲଲିତକାନ୍ତ କହିଥିଲେ, ଆମେରିକାରେ ଅନେକ ଟିକା ଅଛି ଯାହାକୁ ସେମାନେ ବ୍ୟବହାର କରି ନପାରନ୍ତି । ଆମେ ଆମେରିକାରୁ ଆଷ୍ଟ୍ରାଜେନିକା ଟିକା ଆଣିବାକୁ ପ୍ରୟାସ କରିବା ଦରକାର । କୋଭାକ୍ସିନ୍, କୋଭିସିଲ୍ଡ ଓ ସ୍ପୁଟନିକ୍-ଭି ଉପôାଦନ ବି ଆଗକୁ ବଢ଼ିବ । ଆଗକୁ ନୋଭୋଭାକ୍ସ ଓ ଜାଇଡସ୍ କାଡିଲା ଟିକା ବି ଉପଲବ୍ଧ ହେବ । ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ କୋଭିଡ୍ ତଥ୍ୟ ରଖିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।
ଡା. ରମାକାନ୍ତ ପଣ୍ଡା କହିଥିଲେ, କୋଭିଡ୍ ଭୂତାଣୁ ଫ୍ଲୁ ଭଳି ଦୀର୍ଘ ଦିନ ଯାଏ ରହିବ । ସେହିଭଳି ବ୍ଲାକ୍ ଫଙ୍ଗସ୍କୁ ନଜରରେ ରଖି ହସ୍ପିଟାଲକୁ ସ୍ୱଚ୍ଛ ଅକ୍ସିଜେନ୍ ଯୋଗାଣ ପାଇଁ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀ ଭଳି ସବୁସ୍ତରରେ ଉତ୍ସର୍ଗୀକୃତ କୋଭିଡ୍ ଚିକିତ୍ସା କେନ୍ଦ୍ର ଖୋଲିବାକୁ ସେ କହିଛନ୍ତି । ଲକଡାଉନ୍ଠାରୁ ଟିକାକରଣ ଭଲ ବୋଲି ଡା. ଦେବୀ ସେଟ୍ଟୀ କହିଛନ୍ତି । ତେବେ ବୟସ ଆଧାରରେ ଟିକା ନ ଦେଇ ପେଶା ଆଧାରରେ ଟିକାକରଣ କରାଯାଉ ବୋଲି ସେ କହିଛନ୍ତି । ଗର୍ଭବତୀ ମହିଳାଙ୍କୁ ଟିକାକରଣରେ ପ୍ରାଥମିକତା ଦେବାକୁ ଡା. ମୃଦୁଳା ଫାଡ୍କେ କହିଛନ୍ତି । ଗ୍ରାମାଞ୍ଚଳ ଓ ଜୀବିକା ସନ୍ଧାନରେ ସ୍ଥାନାନ୍ତର ହେଉଥିବା ଲୋକଙ୍କୁ ଫୋକସ୍ କରିବାକୁ ଡା. ସୁବ୍ରତ ଆଚାର୍ଯ୍ୟ ପରାମର୍ଶ ଦେଇଛନ୍ତି । ସମ୍ବେଦନଶୀଳ ବର୍ଗଙ୍କୁ ଚିହ୍ନଟ କରି ପ୍ରଥମେ ଟିକା ଦେବାକୁ ଡା. ଅଜୟ ପରିଡ଼ା କହିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପିକେ ମହାପାତ୍ର ବୈଠକରେ ରାଜ୍ୟର କୋଭିଡ୍ ବିରୋଧୀ ଲଢେଇ ଉପରେ ଉପସ୍ଥାପନା ଦେଇଥିଲେ ।


Comments are closed, but trackbacks and pingbacks are open.