ଶୁଖିଲା ପଡ଼ିଛି ରକ୍ତ ଭଣ୍ଡାର

Get real time updates directly on you device, subscribe now.

ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ଲକ୍ଡାଉନ୍ ଓ ସଟ୍ଡାଉନ୍ ପ୍ରଭାବ ବ୍ଲଡ୍ ବ୍ୟାଙ୍କ ଉପରେ ପଡ଼ିଛି । କଟକଣା ଜାରି ରହିଥିବାରୁ ହୋଇପାରୁନି ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର । ଯଦ୍ୱାରା ଆବଶ୍ୟକ ୟୁନିଟ୍ ରକ୍ତ ସଂଗ୍ରହ ହୋଇପାରୁନି । ଯେତିକି ପରିମାଣ ବଫର ଷ୍ଟକ୍ ବ୍ୟାଙ୍କରେ ରହିବା କଥା, ରଖିବା ସମ୍ଭବ ହେଉନି । ଆଜି ସୁଦ୍ଧା ମାତ୍ର ୫ ୟୁନିଟ୍ ରକ୍ତ ବ୍ଲଡ୍ ବ୍ୟାଙ୍କରେ ରହିଛି । ସ୍ୱେଚ୍ଛାକୃତ ରକ୍ତଦାନ ଲାଗି ସମସ୍ତେ ଆଗେଇ ଆସିବାକୁ ଜିଲ୍ଲା ମେଡିକାଲ ଅଧିକାରୀ ଡାକ୍ତର ରବୀନ୍ଦ୍ରନାଥ ମିଶ୍ର ଅପିଲ୍ କରିଛନ୍ତି ।
ବ୍ଲଡ୍ ବ୍ୟାଙ୍କ ଅଧିକାରୀ ଡାକ୍ତର ସୂର୍ଯ୍ୟଶେଖର ମିଶ୍ର କହିଛନ୍ତି, ଆଜି ସକାଳ ୮ଟା ସୁଦ୍ଧା ରକ୍ତଭଣ୍ଡାରରେ ମାତ୍ର ୫ ୟୁନିଟ୍ ରକ୍ତ ରହିଛି । ଯାହା ବଫର ଷ୍ଟକ୍ରୁ କମ୍ । ସେ ଭିତରେ ରହିଛି ‘ଏ’ ନେଗେଟିଭ, ‘ଓ’ ନେଗେଟିଭ୍, ‘ଏ’ ପଜିଟିଭ୍, ‘ବି’ ପଜିଟିଭ୍ ଏବଂ ‘ଏବି’ ପଜିଟିଭ୍ର ଗୋଟିଏ ଲେଖାଏଁ ୟୁନିଟ୍ । ଏହି ୫ ୟୁନିଟ୍ ଅତି ଜରୁରୀ କ୍ଷେତ୍ର ଲାଗି ରଖାଯାଇଛି । ଏବେ ଦୈନିକ ୧୫ରୁ ୨୦ ୟୁନିଟ ରକ୍ତ ବଦଳ କରି ଦିଆଯାଉଛି । ପୂର୍ବରୁ ଏଠାରୁ ପ୍ରତିଦିନ ୨୦ରୁ ୩୦ ୟୁନିଟ୍ ରକ୍ତ ଦିଆଯାଉଥିଲା । ସ୍ୱେଚ୍ଛାକୃତ ରକ୍ତଦାନ ଦ୍ୱାରା ଭଣ୍ଡାର ଷ୍ଟକ୍ ବଜାୟ ରହୁଥିଲା । କରୋନା ଲାଗି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ ଉପରେ କଟକଣା ଲାଗୁ କରାଯାଇଛି । ମେଗା ଶିବିର ଆୟୋଜନ ଦ୍ୱାରା ବହୁ ଲୋକ ଏକାଠି ହେବାର ସମ୍ଭାବନା ରହିଥିବାରୁ କରୋନା ସଂକ୍ରମଣ ଆାଶଙ୍କା ବଢ଼ିବ । ତେଣୁ ଗୋଟିଏ ଗୋଟିଏ କ୍ୟାମ୍ପ୍ରେ ସର୍ବାଧିକ ୩୦ ଜଣ ଯୋଗ ଦେଇପାରିବେ ବୋଲି ନିଦେ୍ର୍ଧଶ ରହିଛି । ଏ ସମ୍ପର୍କରେ ରକ୍ତଦାତା ପ୍ରବର୍ତ୍ତକ ଏବଂ ସ୍ୱେଚ୍ଛାସେବୀଙ୍କୁ ଅବଗତ କରାଯାଇଛି । ମିନି କ୍ୟାମ୍ପ୍ କରି ଅଥବା ବ୍ଲଡ୍ ବ୍ୟାଙ୍କକୁ ଆସି ରକ୍ତ ଦେବାକୁ ପରାମର୍ଶ ଦିଆଯାଇଛି । ଗତ ଜାନୁଆରୀ ପହିଲାରୁ ମେ’ ୭ ପର୍ଯ୍ୟନ୍ତ ମୋଟ ୧ ହଜାର ୫୫୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ସେଥିରୁ ୧୧ଟି ଶିବିରରେ ୪୩୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ୧୬୦ ୟୁନିଟ୍ ନବରଙ୍ଗପୁର ବ୍ଲଡ୍ ବ୍ୟାଙ୍କ୍ ଯୋଗାଇ ଦେଇଛି । ମିନି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ରକ୍ତଦାତା ଆସୁନାହାନ୍ତି । ଦ୍ୱିତୀୟ ଲହରି ସଂକ୍ରମଣ ଅଧିକ ମାରାତ୍ମକ ଥିବାରୁ ଆସିବାକୁ ପଛଘୁଞ୍ଚା ଦେଉଛନ୍ତି । ସ୍ୱେଚ୍ଛାସେବୀଙ୍କ ସହଯୋଗରୁ ସିକିଲ୍ସେଲ୍ ଏବଂ ଥାଲାସେମିଆ ରୋଗୀଙ୍କ ଲାଗି ଏ ପର୍ଯ୍ୟନ୍ତ ଅସୁବିଧା ହୋଇନି । ସେମାନଙ୍କୁ ରକ୍ତ ଅଭାବ ସମ୍ପର୍କରେ ବହୁ ଆଗରୁ ଜଣାଇ ଦିଆଯାଉଛି । ସ୍ୱେଚ୍ଛାସେବୀଙ୍କ ଜରିଆରେ ଡୋନ୍ର ଯୋଗାଡ କରି ଆସିବାକୁ କୁହାଯାଉଛି । ଖରାଦିନ ଜାରି ରହିଛି । ଏହି ଦିନରେ ସାଧାରଣତଃ ରକ୍ତର ଆବଶ୍ୟକତା ଅଧିକ ପଡ଼ିଥାଏ । ଲକ୍ଡାଉନ୍ ଓ ସଟ୍ଡାଉନ୍ କେବେ ହଟିବ କହିବା ଅସମ୍ଭବ । ତେଣୁ ଆଗାମୀ ଦିନରେ ରକ୍ତ ଅଭାବ ଅଧିକ ହୋଇପାରେ ।
ରକ୍ତ ସଙ୍କଟକୁ ଆଖିରେ ରଖି ଡିଏମଓ ଡାକ୍ତର ମିଶ୍ର ଜନସାଧାରଣଙ୍କୁ ଅପିଲ କରିଛନ୍ତି । ଜନ୍ମଦିନ, ବିବାହବାର୍ଷିକୀ କିମ୍ବା ଅନ୍ୟ କୌଣସି ସ୍ୱତନ୍ତ୍ର ଦିନରେ ରକ୍ତ ଦେବାକୁ ଆଗେଇ ଆସିବାକୁ ଅନୁରୋଧ କରିଛନ୍ତି । ଏ ଦିଗରେ ସ୍ୱେଚ୍ଛାସେବୀ ଓ ରକ୍ତଦାତା ପ୍ରବର୍ତ୍ତକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଲକ୍ଡାଉନ୍ ସମୟରେ କେହି ସ୍ୱେଚ୍ଛାକୃତ ରକ୍ତ ଦେବାକୁ ଚାହିଁଲେ ପୁଲିସ କୌଣସି କାର୍ଯ୍ୟାନୁÂାନ ନେବନି । ଜନସାଧାରଣ ଚାହିଁଲେ, ସମସ୍ୟାର ସମାଧାନ ହୋଇପାରିବ ଏବଂ ରକ୍ତ ବିନା କାହାର ଜୀବନ ଯିବନି ବୋଲି ସେ କହିଛନ୍ତି ।
ସୂଚନାଥାଉ କି, ଗତ ୨୦୧୯ରେ ବ୍ଲଡ୍ ବ୍ୟାଙ୍କରେ ୫ ହଜାର ୫୫୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ୨୦୨୦ରେ କରେନା କଟକଣା କାରଣରୁ ଏହା ୪ ହଜାର ୫୪୭କୁ କମି ଆସିଥିଲା । ୩୭ଟି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରୁ ୧ ହଜାର ୬୭୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ରୋଗୀଙ୍କୁ ୪ ହଜାର ୪୬୯ ୟୁନିଟ୍ ଯୋଗାଇ ଦିଆଯାଇଥିଲା । ଏବର୍ଷ ମେ’ ୭ ସୁଦ୍ଧା ୧ ହଜାର ୫୮୩ ୟୁନିଟ୍ ରୋଗୀଙ୍କୁ ଯୋଗାଇ ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons