
ରାୟଗଡ଼ା,(ବି.ବି.ନୁ୍ୟଜ): ରାୟଗଡ଼ା ଜିଲ୍ଲାର ଜୀବନରେଖା ହେଉଛି ଚିରସ୍ରୋତା ନାଗାବଳୀ ନଦୀ । ଜିଲ୍ଲାର ଅର୍ଦ୍ଧାଧିକ ଅଞ୍ଚଳକୁ ପିଇବା ପାଣିଠାରୁ ଆରମ୍ଭ କରି ଚାଷବାସ ପାଇଁ ଏହି ନଦୀ ପାଣି ଯୋଗାଉଛି । ଅନେକ ଜୀବନ ଜୀବିକା ମଧ୍ୟ ନଦୀ ଉପରେ ନିର୍ଭର କରୁଛି । ହେଲେ ବର୍ତ୍ତମାନ ଏହା ବିପଦ ମୁହଁରେ । ଖରାଦିନରେ ଅତିକମରେ ଏଠାରେ ୩ ଫୁଟ ପାଣି ରହୁଥିବା ବେଳେ ଏବେ ମାତ୍ର ୧ ଫୁଟ ପାଣି ରହୁଛି । ନଦୀର ଉତ୍ପତ୍ତି ସ୍ଥଳୀ ନିୟମଗିରି ପାହାଡ଼ ଠାରୁ ଆରମ୍ଭ କରି ଆନ୍ଧ୍ରପ୍ରଦେଶ ମଛଲିପଟନମ୍ ସବୁଠି ନଦୀ ଏବେ ଶୁଖିଲା ପଡିଛି । ଯେଉଆଡେ଼ ଦେଖିଲେ ନଦୀକୂଳରେ କେବଳ ବିସ୍ତୀର୍ଣ୍ଣ ବାଲିପଟା ନଜରକୁ ଆସୁଛି । ଅନେକ ସ୍ଥାନରେ ଟୋପାଏ ପାଣି ମଧ୍ୟ ନାହିଁ । ଆଗକୁ ଏକ ବଡ଼ ଜଳାଭାବର ସ୍ପଷ୍ଟ ସଙ୍କେତ ମିଳୁଛି । ଏଭଳି ସ୍ଥିତି ଲାଗିରହିଲେ ଚାଷବାସ ଦୂରେ ଥାଉ ପିଇବା ପାଣି ପାଇଁ ମଧ୍ୟ ଜିଲ୍ଲାବାସୀ ହାହାକାର କରିବେ ।
ଗ୍ରୀଷ୍ମ ଋତୁ ଆରମ୍ଭରୁ ନାଗାବଳୀ ନଦୀରେ ପାଣି ଶୁଖିଗଲାଣି । ନଦୀ ଶୁଖିଯାଉଥିବା ଦେଖି ଜିଲ୍ଲାବାସୀଙ୍କ ଚିନ୍ତା ବଢିଯାଇଛି । ନଦୀର ଝର କମିଯାଇଥିବାରୁ ସହରର ଭୂତଳଜଳସ୍ତର ମଧ୍ୟ କମିବାରେ ଲାଗିଛି । ନାଗାବଳୀ ନଦୀ ରାୟଗଡ଼ା, କଲ୍ୟାଣସିଂହପୁର, କୋଲନରା ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳ ସମେତ ସହରକୁ ପିଇବା ପାଣି ଯୋଗାଉଛି । ଏତଦ୍ବ୍ୟତୀତ ଆନ୍ଧ୍ରପ୍ରଦେଶରେ ମଧ୍ୟ ବିଭିନ୍ନ ଅଞ୍ଚଳରେ ପାନୀୟଜଳ ପାଇଁ ଏହି ନଦୀ ଉପରେ ଲୋକେ ଭରସା କରୁଛନ୍ତି । ଏହି ନଦୀରୁ ଏକ ବୃହତ୍ତ ପାନୀୟଜଳ ପ୍ରକଳ୍ପ ଅଳ୍ପଦିନ ମଧ୍ୟରେ ନିର୍ମାଣ କରିବା ନେଇ ପ୍ରସ୍ତୁତି ଚାଲିଛି । ସରକାର ୫୦କୋଟି ଟଙ୍କା ନଗର ଉନ୍ନୟନ ବିଭାଗକୁ ପ୍ରଦାନ କରିଛନ୍ତି । ତେବେ ଜଳଧାରଣ କ୍ଷମତା ନଦୀର କମିଲେ ଜଳଯୋଗାଣ ପ୍ରକଳ୍ପ ପ୍ରଭାବିତ ହେବ ବୋଲି କୁହାଯାଉଛି । ଗତ କିଛି ବର୍ଷ ହେଲା ମନଇଚ୍ଛା ବାଲି ଓ ପଥର ଉତ୍ତୋଳନ ଯୋଗୁଁ ନଦୀ ଶୁଖିବାରେ ଲାଗିଛି ବୋଲି ବୁଦ୍ଧିଜୀବୀ କହିଛନ୍ତି । ଏହାକୁ ରୋକିବା ପାଇଁ କେହି ତତ୍ପରତା ପ୍ରକାଶ କରୁ ନାହାନ୍ତି । ଫଳରେ ନଦୀର ଜଳ ସଂରକ୍ଷଣ ହେଉ ନାହିଁ ଏବଂ ବର୍ଷା ଋତୁରେ ଭୂସ୍ଖଳନ ଘଟି ନଦୀ ଦିନକୁ ଦିନ ଓସାର ହେବାରେ ଲାଗିଛି । ନଦୀର ଓସାର ବଢ଼ିବା ଯୋଗୁଁ ପାଣି ସ୍ଥିରଭାବେ ରହି ନପାରି ଦିଗ ପରିବର୍ତ୍ତନ କରୁଛି । ନଦୀର ଗତିପଥରେ ମଧ୍ୟ ପରିବର୍ତ୍ତନ ଘଟିଛି । ମୁଖ୍ୟତଃ ଜେକେପୁର, କୁମୁଟିପେଣ୍ଠ, କୋତାପେଟା, ମାଲିଗାଁ, ରାୟଗଡ଼ା ସହର, ପାରତାପୁର, ଶେଷଖାଲ, କେରେଡ଼ା ଇତ୍ୟାଦି ସ୍ଥାନରେ ବ୍ୟାପକ ଖନନ ଚାଲିଛି । ବାହାରକୁ ଚାଲାଣ ପାଇଁ ଏଠାରେ ବାଲି ଖନନ କରାଯାଉଥିବାରୁ ଏହା ବିପଦର ମୁଖ୍ୟ କାରଣ ବୋଲି ପରିବେଶବିଦ୍ କହିଛନ୍ତି । ଅନ୍ୟପକ୍ଷେ ଆନ୍ଧ୍ରପ୍ରଦେଶରେ ନଦୀର ତଳମୁଣ୍ଡରେ ମନଇଚ୍ଛା ଦୁଇଟି ବୃହତ୍ତ ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଥିବାରୁ ନଦୀ ଶୁଖିବାର ଅନ୍ୟ ଏକ ବଡ କାରଣ ବୋଲି କୁହାଯାଉଛି । ନଦୀର ଆନ୍ଧ୍ରପ୍ରଦେଶ ସ୍ଥିତ ତୋଟାପଲି ପ୍ରକଳ୍ପ ସର୍ବାଧିକ ପାଣି ବ୍ୟବହାର କରୁଛି । ବର୍ଷା ଓ ଶୀତଋତୁରେ ପ୍ରବାହିତ ହେଉଥିବା ଜଳକୁ ସଂରକ୍ଷଣ କରାଯାଉଛି ଏବଂ ଖରାଦିନେ ଆନ୍ଧ୍ର ସରକାର ଏହାକୁ ଚାଷ ପାଇଁ ବ୍ୟବହାର କରୁଛନ୍ତି । ଏହାବାଦ ଅନେକ ଛୋଟ ପ୍ରକଳ୍ପ ମଧ୍ୟ ଏହି ନଦୀ ଉପରେ ଆନ୍ଧ୍ର ନିର୍ମାଣ କରିଛି । ଚଳିତବର୍ଷ ନଦୀ ଶୁଖିଯିବା ଯୋଗୁଁ ରବି ଋତୁର ଚାଷ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ନଦୀରେ ପାଣି ନଥିବା ଯୋଗୁଁ ଉଠା ଜଳସେଚନ ପଏଣ୍ଟଗୁଡ଼ିକ କାର୍ଯ୍ୟରେ ଲାଗୁନି । ଏଭଳିକି ନଦୀ କୂଳରେ ଥିବା ଚାଷ ଜମିଗୁଡ଼ିକ ୯୦ ପ୍ରତିଶତ ପଡ଼ିଆ ପଡ଼ିଛି । ନାଗାବଳୀ ନଦୀକୁ ଯଦି ବର୍ତ୍ତମାନଠାରୁ ରକ୍ଷା କରା ନଯାଏ ତେବେ ଆଗାମୀଦିନରେ ପରିସ୍ଥିତି ଭୟଙ୍କର ହେବ ବୋଲି ପରିବେଶବିଦ କହିଛନ୍ତି ।


Comments are closed, but trackbacks and pingbacks are open.