ଶେଷ ନିଶ୍ୱାସ ପର୍ଯ୍ୟନ୍ତ କଂଗ୍ରେସ ଚିନ୍ତା

Get real time updates directly on you device, subscribe now.

ନୂଆଦିଲ୍ଲୀ: କଂଗ୍ରେସର ଟାଣୁଆ ନେତାଙ୍କ ତାଲିକା ପ୍ରସ୍ତୁତ କରାଗଲେ ଶୀଲା ନିଶ୍ଚିତ ରୂପେ ଶୀର୍ଷସ୍ଥାନ ମଣ୍ଡନ କରିବେ । ଦଳର ଖରାପ ସମୟ ହେଉ କି ଭଲ ସମୟ ସେ ସଦାବେଳେ କଂଗ୍ରେସ ପ୍ରତି ନିଜର ଦୃଢ଼ ସମର୍ଥନ ଜାହିର କରିଛନ୍ତି । ଶେଷ ନିଶ୍ୱାସ ପର୍ଯ୍ୟନ୍ତ ବି ଶୀଲା କଂଗ୍ରେସର ମଙ୍ଗ ଦୃଢ଼ କରିବା ଲକ୍ଷ୍ୟରେ କାର୍ଯ୍ୟ କରୁଥିଲେ । ମୃତ୍ୟୁର ଫାଶ ବ୍ୟତୀତ ଅନ୍ୟ କୌଣସି ଶକ୍ତି ତାଙ୍କ ହାତ କଂଗ୍ରେସଠାରୁ ଛଡ଼ାଇ ପାରିନଥିଲା ।
୧୯୮୪ରେ ଉତ୍ତରପ୍ରଦେଶର କନୌଜ ଲୋକସଭା ଆସନରୁ ନିର୍ବାଚିତ ହେବା ସହ ଶୀଲାଙ୍କର କେନ୍ଦ୍ରୀୟ ରାଜନୀତିରେ ସକ୍ରିୟତା ବଢ଼ିଥିଲା । କାର୍ଯ୍ୟ ପ୍ରତି ତାଙ୍କର ନିଷ୍ଠାପରତା ଦେଖି କଂଗ୍ରେସ ତାଙ୍କୁ ଅନେକ ଗୁରୁ ଦାୟିତ୍ୱ ଅର୍ପଣ କରିଛି । ସେ ମଧ୍ୟ ସମସ୍ତ ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇଛନ୍ତି । ୨୦୧୩ରେ ଅରବିନ୍ଦ କେଜରିୱାଲଙ୍କ ରାଜନୀତିରେ ପ୍ରବେଶ ଯୋଗୁ ଯଦିଓ ସେ ମୁଖ୍ୟମନ୍ତ୍ରୀ ହେବାରୁ ବଞ୍ଚିତ ହୋଇଥିଲେ, କିନ୍ତୁ ପୁଣିଥରେ କଂଗ୍ରେସକୁ ଗଢ଼ି ତୋଳିବାରେ ସେ କେବେ ଅବହେଳା କରିନଥିଲେ । ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ୨୦୧୯ ଜାନୁଆରୀରେ ତାଙ୍କୁ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା । ଉତ୍ତର-ପୂର୍ବ ଦିଲ୍ଲୀ ଆସନରୁ ଶୀଲା ନିର୍ବାଚନ ଲଢ଼ିଥିଲେ ମଧ୍ୟ ତାଙ୍କୁ ପରାଜୟ ବରଣ କରିବାକୁ ପଡ଼ିଥିଲା । କିଛିଦିନ ପୂର୍ବେ କଂଗ୍ରେସର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଶୀଲା ବ୍ଲକ ସ୍ତରରେ କଂଗ୍ରେସରେ ଅନେକ ପରିବର୍ତ୍ତନ କରିଥିଲେ । ଏହା ବ୍ୟତୀତ ସେ ସମସ୍ତ ରାଜନୈତିକ ଦଳ ସହ ଭଲ ସମ୍ପର୍କ ରଖିଥିବାରୁ ତାଙ୍କର ଉପସ୍ଥିତି କଂଗ୍ରେସକୁ ଶକ୍ତି ଯୋଗାଉଥିଲା । ଦେଶରେ ବର୍ତ୍ତମାନ କଂଗ୍ରେସର ସ୍ଥିତି ଦୁର୍ବଳ ଥିବା ବେଳେ ଶୀଲାଙ୍କ ଭଳି ଜଣେ କର୍ତ୍ତବ୍ୟନିଷ୍ଠ ନେତାଙ୍କ ବିୟୋଗ ନିଶ୍ଚିତ ରୂପେ କଂଗ୍ରେସ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ବିବେଚନା କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons