ଭବାନୀପାଟଣା,(ବି.ବି.ନୁ୍ୟଜ୍): କଳାହାଣ୍ଡି-କନ୍ଧମାଳ ସୀମାନ୍ତରେ ବୁଧବାର ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଘଟିଥିବା ଗୁଳିବିନିମୟରେ ୫ ନକ୍ସଲ ନିହତ ହୋଇଥିଲେ । ଏଥିରେ ୨ ଏସ୍ଓଜି ଯବାନ ମଧ୍ୟ ସହିଦ ହୋଇଥିବା କଳାହାଣ୍ଡି ଏସ୍ପି ବାତୁଲା ଗଙ୍ଗାଧର ଆଜି ସୂଚନା ଦେଇଛନ୍ତି । ସହିଦ ଦୁଇ ଯବାନ ହେଲେ ମୟୁରଭଞ୍ଜ ଜିଲ୍ଲା ସାନଭଦୁଆ ଗାଁର ସୁଧିର କୁମାର ଟୁଡୁ ଏବଂ ଅନୁଗୋଳ ଜିଲ୍ଲା ଅଙ୍ଗପଡ଼ା ଗାଁର ଦେବାଶିଷ ସେଠୀ । ଆଜି ଭବାନୀପାଟଣା ରିଜର୍ଭ ପୁଲିସ ପଡ଼ିଆରେ ଦୁଇ ସହିଦଙ୍କ ଶେଷ ସମ୍ମାନ ଦିଆଯାଇଥିଲା । ତାଙ୍କୁ ଗାର୍ଡ ଅଫ୍ ଅନର୍ ଦେବାବେଳେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସମେତ ପୁଲିସ ମହାନିଦେ୍ର୍ଧଶକ ଶ୍ରୀ ଅଭୟ, ଗୁଇନ୍ଦା ବିଭାଗ ନିଦେ୍ର୍ଧଶକ ରାମକୃଷ୍ଣ ଶର୍ମା, ଆଇଜି ଅପରେସନ୍ ଅମିତାଭ ଠାକୁର, ଡିଆଇଜି ସ୍ପେଶାଲ ଇଣ୍ଟେଲିଜେନ୍ସ ୱିଙ୍ଗ ଅନିରୁଦ୍ଧ ସିଂ, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିନ୍ ଅହମ୍ମଦ କେ, କଳାହାଣ୍ଡି ଏସ୍ପି ବାତୁଲା ଗଙ୍ଗାଧର, ଜିଲ୍ଲାପାଳ ଡା. ଗାଭାଲି ପରାଗ ହର୍ଷଦ, ସିଆର୍ପିଏଫ୍ କମାଣ୍ଡାଣ୍ଟ ପ୍ରମୁଖ ଉପସ୍ଥିତ ରହି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ ଦୁଇଟି ସ୍ୱତନ୍ତ୍ର ଗାଡ଼ିରେ ସହିଦଙ୍କ ମର ଶରୀରକୁ ସେମାନଙ୍କ ଜନ୍ମମାଟିକୁ ନିଆଯାଇଥିଲା । ଏହି ଅବସରରେ ପୁଲିସ ଡିଜି ଶ୍ରୀ ଅଭୟ ସହିଦ ଦୁଇ ଯବାନଙ୍କ ସାହସିକତା ଓ ବୀରତ୍ୱର ପ୍ରଶଂସା କରିବା ସହ ଦେଶ ଓ ସମ୍ବିଧାନ ରକ୍ଷା ପାଇଁ ଦୁହେଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ବୋଲି କହିଛନ୍ତି ।
ପ୍ରକାଶ ଯେ ଗତକାଲି ପୂର୍ବାହ୍ନ ୧୧ଟା ବେଳେ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲା ସୀମାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ପ୍ରାୟ ଅଧଘଣ୍ଟା ଧରି ଗୁଳି ବିନିମୟ ଲାଗି ରହିଥିଲା । ସେ ସମୟରେ ୪୦ରୁ ଅଧିକ ମାଓବାଦୀ ଜଙ୍ଗଲରେ ଉପସ୍ଥିତ ଥିବାବେଳେ ଗୁଳିବିନିମୟ ପରେ ଛତ୍ରଭଙ୍ଗ ଦେଇ ଜଙ୍ଗଲ ଭିତରକୁ ଖସିଯିବାରେ ସମର୍ଥ ହୋଇଥିଲେ । ଏଥିରେ ସିପିଆଇ-ମାଓବାଦୀ କେନ୍ଦ୍ରୀୟ କମିଟି ସଦସ୍ୟ ମୂରଲୀ ଓ ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନର କମାଣ୍ଡର ନିଖିଳ ମଧ୍ୟ ଉପସ୍ଥିତ ଥିଲେ ଏବଂ ଯବାନଙ୍କ ଗୁଳିରୁ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି । ତେବେ ଯମାନମାନେ ୫ ଜଣ ମାଓବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲେ । ଗୁଳିବିନିମୟ ବେଳେ ସହିଦ ସୁଧିର ଟୁଡୁଙ୍କ ଛାତିରେ ଓ ସହିଦ ଦେବାଶିଷ ସେଠୀଙ୍କ ଜଂଘରେ ଗୁଳି ବାଜିଥିଲା ବୋଲି ଡିଜି ସୂଚନା ଦେଇଛନ୍ତି । ସହିଦଙ୍କ ଶ୍ରଦ୍ଧାଞ୍ଜଳି ଦେବା ପରେ ଡିଜି କହିଛନ୍ତି, ମାଓନେତାମାନେ ସବୁବେଳେ ସେମାନଙ୍କ କ୍ୟାଡର୍ମାନଙ୍କୁ ଆଗରେ ରଖି ନିଜେ ପଛରେ ଲୁଚି ରହନ୍ତି ଓ ଗୁଳି ବିନିମୟ ବେଳେ ନିଜେ ଖସିଯାଆନ୍ତି । ଗତ ଦୁଇମାସରେ ୧୨ ମାଓବାଦୀ ପୁଲିସ ଗୁଳିରେ ପ୍ରାଣ ହରାଇଛନ୍ତି । କନ୍ଧମାଳ ଜିଲ୍ଲାରେ ୩ଟି ଅଲଗା ଅଲଗା ଅପରେସନରେ ୪, ୨ ଓ ୧ ମାଓବାଦୀ ପ୍ରାଣ ହରାଇଥିବାବେଳେ ଗତକାଲି ଅପରେସନରେ ୫ ମାଓବାଦୀ ନିପାତ ହୋଇଛନ୍ତି । ତେଣୁ ଅନ୍ୟ ମାଓବାଦୀ ଯେଉଁମାନେ ଓଡ଼ିଶା କିମ୍ବା ଓଡ଼ିଶା ବାହାରେ ଅଛନ୍ତି ସେମାନେ ମାଓ ନେତାମାନଙ୍କ କଥାରେ ଦ୍ୱନ୍ଦ୍ୱରେ ନରହି ତୁରନ୍ତ ଆତ୍ମସମର୍ପଣ କରନ୍ତୁ ବୋଲି ଡିଜି ଆହ୍ୱାନ ଦେଇଛନ୍ତି । ଓଡ଼ିଶା ସରକାର ଆତ୍ମସମର୍ପଣ କରୁଥିବା କରୁଥିବା ମାଓବାଦୀଙ୍କ ଥଇଥାନ ପାଇଁ ଭଲ ପ୍ୟାକେଜ୍ ଦେଉଛନ୍ତି । ତେଣୁ ତୁରନ୍ତ ମାଓବାଦୀମାନେ ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ ବୋଲି ଡିଜି କହିଛନ୍ତି । ଏହାସହ ସହିଦ ଦୁଇ ଯବାନଙ୍କ ପରିବାର ସଦସ୍ୟଙ୍କୁ ୧୬ ଲକ୍ଷ ଟଙ୍କା ଲେଖାଏଁ, ଜଣ ଜଣକୁ ଚାକିରି, ୪ ଡେସିମିଲ ଲେଖାଏଁ ଘରଡିହ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ଡିଜି କହିଛନ୍ତି ।
ପ୍ରକାଶ ଯେ କଳାହାଣ୍ଡି ପୁଲିସର ଏସ୍ଓଜି ଓ ଡିଭିଏଫ୍ ଯବାନର ଏକ ଟିମ୍ ଓ ମାଓବାଦୀଙ୍କ ମଧ୍ୟରେ ୯ ତାରିଖ ୧୧ଟାରେ ଗୁଳି ବିନିମୟ ହୋଇଥିଳା । ଏଥିରେ ୪ ମହିଳା କ୍ୟାଡର ସମେତ ୫ ଜଣ ନିହତ ହୋଇଥିଲେ । ସର୍ଚ୍ଚ ଅପରେସନ୍ ବେଳେ ଘଟଣାସ୍ଥଳରୁ ମାଓବାଦୀଙ୍କ ମୃତଦେହ ସମତେ ୬ ବନ୍ଧୁକ ଓ ବହୁ ମାଓ ସାମ୍ରଗୀ ଜବତ ହୋଇଥିଲା ।
Comments are closed, but trackbacks and pingbacks are open.