ପୁରୀ: ବହୁ ପ୍ରତିକ୍ଷିତ ତଥା ବହୁ ଦୁର୍ଲଭ ଚତୁର୍ଦ୍ଧା ମୂର୍ତ୍ତିଙ୍କର ନାଗାର୍ଜୁନ ବେଶ ଦୀର୍ଘ ଅଢେଇ ଘଣ୍ଟା ପରେ ଶେଷ ହୋଇଛି। ସକାଳ ୭ଟାରୁ ଆରମ୍ଭ ହୋଇ ସକାଳ ସାଢ଼େ ୯ଟାରେ ପ୍ରଭୁଙ୍କ ଏହି ବେଶ ଶେଷ ହୋଇଥିବା ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂ ସୂଚନା ଦେଇଛନ୍ତି।
ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ବିଳମ୍ବରେ ଆରମ୍ଭ ହୋଇଥିଲା ବେଶନୀତି । ଭୋର ୪ଟା ୪୫ ମିନିଟରୁ ଶ୍ରୀଜିଉଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲେ ହେଁ, ନାଗାର୍ଜୁନ ବେଶ ସକାଳ ୭ଟାରେ ଆରମ୍ଭ ହୋଇଥିଲା । ଭଣ୍ଡାର ମେକାପ, ଖୁଣ୍ଟିଆ ସେବାୟତ ଓ ସିଂହାରୀ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ମହାପ୍ରଭୁଙ୍କ ନାଗାର୍ଜ୍ଜୁନ ବେଶରେ ବିଳମ୍ବ ହୋଇଥିଲା। ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ସେବାୟତ ମନ୍ଦିରରେ ପ୍ରବେଶ କରିବାରୁ ତିନି ସେବାୟତଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ତେବେ ଶ୍ରୀମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ବିବାଦର ସମାଧାନ ହୋଇଥିଲା । ଏହାପରେ ସକାଳ ୭ଟାରୁ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ଆରମ୍ଭ ହୋଇ ସକାଳ ୯ଟା ୩୦ରେ ସମାପନ ହୋଇଥିଲା । ପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ବୀର ବେଶରେ ୧୬ ପ୍ରକାରର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହୋଇଥିଲେ। ଦୁଇ ଠାକୁରଙ୍କ ମସ୍ତକରେ ହାଣ୍ଡିଆ ଶୋଭା ପାଉଥିବା ବେଳେ ଉଭୟ ଢେଣୁ, ଶିଙ୍ଗା, ତୂଣୀର, ବାଘନଖ ଓ ଖଣ୍ଡା ଆଦି ଆୟୁଧ ଧାରଣ କରିଥିଲେ।
ଦୀର୍ଘ ୨୫ ବର୍ଷ ପରେ ନାଗାର୍ଜୁନ ବେଶରେ ମହାପ୍ରଭୁ ସଜ୍ଜିତ ହୋଇଥିବା ବେଳେ କରୋନା କଟକଣା ଯୋଗୁ ଶ୍ରଦ୍ଧାଳୁ ପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି।


Comments are closed, but trackbacks and pingbacks are open.