ଟିଟିଲାଗଡ଼,(ବି.ବି.ନୁ୍ୟଜ୍): ପୂର୍ବତଟ ରେଳପଥ ଆରମ୍ଭ କଲା ଏକ ନୂଆ ଯୋଜନା । ରେଳ ମନ୍ତ୍ରଣାଳୟ ପକ୍ଷରୁ ଚଳାଚଳ କରୁଥିବା “ଶ୍ରମିକ ସ୍ପେଶାଲ’ ଟ୍ରେନ୍ରେ ଜନ୍ମିତ ନବଜାତ ଶିଶୁଙ୍କୁ ପୂର୍ବତଟ ରେଳପଥ ଦେବ ଉପହାର । ବର୍ତ୍ତମାନ ସୁଦ୍ଧା ପୂର୍ବତଟ ରେଳପଥ ସୀମା ଭିତରେ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ରେ ୩ଟି ଶିଶୁ ଜନ୍ମ ହୋଇଛନ୍ତି । ଉଭୟ ନବଜାତ ଶିଶୁ ଓ ସେମାନଙ୍କ ମା’ମାନଙ୍କୁ ରେଳ ବିଭାଗ ପକ୍ଷରୁ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି ।
ଗତ ମାସ ୨୩ ତାରିଖରେ ତେଲଙ୍ଗାନା କାଜିପେଟାରୁ ବଲାଙ୍ଗୀର ଆସୁଥିବା ଏକ ଶ୍ରମିକ ସ୍ପେସିଆଲ ଟ୍ରେନ୍ରେ ଜଣେ ମହିଳା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିବା ବେଳେ ଆଜି ଅନୁରୂପ ଭାବେ ଲିଙ୍ଗାପଲ୍ଲୀରୁ ବଲାଙ୍ଗୀର ଆସୁଥିବା ଶ୍ରମିକ ସ୍ପେସିଆଲ ଟ୍ରେନ୍ରେ ଜଣେ ମହିଳା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ପ୍ରସବ ପରେ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦିଆଯାଇ ସେମାନଙ୍କୁ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଉଭୟ ଶିଶୁ ଓ ମା’ ସୁସ୍ଥ ଥିବା ଟିଟିଲାଗଡ଼ ଏସଡିଏମଓ ସୁଜାତାରାଣୀ ମିଶ୍ର ଜଣାଇଛନ୍ତି । ପ୍ରସୂତି ଜଣକ ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଥୁଡ଼ବାହାଲ ଗାଁର କିନ୍ଦୁର ଛୁରାଙ୍କ ସ୍ତ୍ରୀ ମୀନା ବୋଲି ଟିଟିଲାଗଡ଼ ଷ୍ଟେସନ ମ୍ୟାନେଜର ଶଙ୍କର ଚକ୍ରବର୍ତ୍ତୀ ଜଣାଇଛନ୍ତି ।
ଆଜି ଭୋର୍ ୫ଟା୨୦ରେ ଲିଙ୍ଗାପୁରମ୍ ବଲାଙ୍ଗୀର ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଟିଟିଲାଗଡ଼ ପହଞ୍ଚିଥିଲା । ଟ୍ରେନର ଏସ୍ ୪ କୋଚର ୩୪ ନମ୍ୱର ବର୍ଥରେ ଜଣେ ମହିଳା ୬ଟା ୧୦ରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ନେଇ ରେଳ ସୁରକ୍ଷା ବଳର ସିପାହୀ ଶୁକଦେବ ବରିହା ଷ୍ଟେସନ ମ୍ୟାନେଜର ଶଙ୍କର ଚକ୍ରବର୍ତ୍ତୀଙ୍କୁ ଜଣାଇଥିଲେ । ଶ୍ରୀ ଚକ୍ରବର୍ତ୍ତୀ ତୁରନ୍ତ ରେଲବାଇ ଏଡିଏମଓ ଡା.ରଘୁନାଥ ପଣ୍ଡାକୁ ଖବର ଦେଇଥିଲେ । ଡାକ୍ତର ପଣ୍ଡା ପିପିଇ କିଟ ପରିଧାନ କରି ଟ୍ରେନ୍ ଭିତରେ ରହିଥିବା ପ୍ରସୂତି ଓ ଶିଶୁ ପୁତ୍ରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଉଭୟ ସୁସ୍ଥ ଥିବା ଜଣାଇ ଆବଶ୍ୟକ ଚିକିତ୍ସା ସେବା ପାଇଁ ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ ।
ଏନେଇ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟାଭୂଷଣ ନବଜାତକୁ ୫ହଜାର ଟଙ୍କା ସ୍ୱତନ୍ତ୍ର ଉପହାର ଦେବାକୁ ଘୋଷଣା କରିବାରୁ ସ୍ଥାନୀୟ ଷ୍ଟେସନ ମ୍ୟାନେଜର ଶ୍ରୀ ଚକ୍ରବର୍ତ୍ତୀ ଡାକ୍ତରଖାନାରେ ପହଞ୍ଚି ନବଜାତ ଶିଶୁଙ୍କ ମା’କୁ ଉକ୍ତ ଉପହାର ଟଙ୍କା ନଗଦ ପ୍ରଦାନ କରିଥିଲେ । “ଶ୍ରମିକ ସ୍ପେଶାଲ’ ଟ୍ରେନ୍ରେ ଯଦି ଶିଶୁ ଜନ୍ମ ନିଅନ୍ତି, ରେଳର ଅନ୍ୟ ବରିÂ ଅଧିକାରୀମାନେ ଭବିଷ୍ୟତରେ ସ୍ୱେଚ୍ଛାକୃତ ଉପହାର ପ୍ରଦାନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ବୋଲି ପୂର୍ବର୍ତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।
Comments are closed, but trackbacks and pingbacks are open.