ପୁରୀ (ବି.ବି.ନୁ୍ୟଜ୍): ଶ୍ରୀକ୍ଷେତ୍ର ସୌନ୍ଦର୍ଯ୍ୟକରଣ କାମକୁ ତ୍ୱରିତ କର । ଆସନ୍ତା ଜାନୁଆରୀ ପହିଲା (ନୂଆବର୍ଷ) ସୁଦ୍ଧା ଜମି ଅଧିଗ୍ରହଣ କାମ ସାର । ଶ୍ରୀଜଗନ୍ନାଥ ଐତିହ୍ୟ କରିଡର କାମକୁ ଆଗକୁ ନିଅ । ଶନିବାର ଅପରାହ୍ନରେ ପୁରୀ ଗସ୍ତରେ ଯାଇ ଏମିତି ନିଦେ୍ର୍ଧଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ଅବଢ଼ା’ ଯୋଜନାର ସମୀକ୍ଷା କରି ଶ୍ରୀକ୍ଷେତ୍ରକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କ ସୁବିଧା ପାଇଁ ପ୍ରକଳ୍ପ କାମ ବେଳେ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ବିଶେଷ କରି ଦୂରଦୂରାନ୍ତରରୁ ଯେଉଁ ବୟସ୍କ ଓ ଭିନ୍ନକ୍ଷମ ଶ୍ରଦ୍ଧାଳୁ ପୁରୀ ଆସିବେ ସେମାନେ ଯେପରି ବିନା ବାଧାରେ ମନ୍ଦିର ପରିକ୍ରମା କରିପାରିବେ ସେଥିପାଇଁ ଖୋଦ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ମଧ୍ୟ ଦେଇଥିଲେ ।
ଶୁକ୍ରବାର ଥିଲା ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ । ମହାମାରୀ କରୋନା ପାଇଁ ସେ ଜନ୍ମଦିନ ପାଳନ କରିନଥିଲା ବେଳେ ଶୁଭେଛୁମାନେ ନବୀନ ନିବାସ ଆସିବା ବଦଳରେ ପ୍ଲାଜମା ଦାନ କରିବାକୁ ଅପିଲ୍ କରିଥିଲେ । ଆଜି (ଶନିବାର) ଅପରାହ୍ନରେ ଆକସ୍ମିକ ଭାବେ ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତରେ ଯାଇ ସିଂହଦ୍ୱାର ନିକଟରେ ପତିତପାବନଙ୍କୁ ପ୍ରାର୍ଥନା କରିବା ସହ ନୀଳଚକ୍ର ଦର୍ଶନ କରିଥିଲେ । ଓଡ଼ିଶାବାସୀଙ୍କ ମଙ୍ଗଳ ପାଇଁ ସେ ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏହାପରେ ନବୀନ ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ପରିକ୍ରମା କରିଥିଲେ । ପରିକ୍ରମା ସମୟରେ ସେ ଶ୍ରୀଜଗନ୍ନାଥ ଐତିହ୍ୟ କରିଡରର ସବୁଦିଗକୁ ଅନୁଧ୍ୟାନ କରିଥିଲେ । ସାଙ୍ଗରେ ଥିବା ଅଧକାରୀମାନଙ୍କୁ ମାଷ୍ଟରପ୍ଲାନ ନେଇ ପ୍ରଶ୍ନ ପଚାରିବା ସହ ପରାମର୍ଶ ମଧ୍ୟ ଦେଇଥିଲେ ।
ପରିକ୍ରମା ବେଳେ ଏମାର ମଠ ପଟୁ ସେ ଶୃଙ୍ଖଳିତ ଦର୍ଶନ ପାଇଁ ଭକ୍ତମାନଙ୍କ ଧାଡ଼ି ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ । ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ଯେ, ଭକ୍ତମାନେ ଯେପରି ସୁବିଧାରେ ସିଂହଦ୍ୱାର ପଟୁ ଧାଡ଼ିବାନ୍ଧି ଲାଇନରେ ରହି ମନ୍ଦିର ଭିତରକୁ ଦର୍ଶନ ପାଇଁ ଯାଇପାରିବେ ତା’ର ବ୍ୟବସ୍ଥା କର । ଶ୍ରୀକ୍ଷେତ୍ରରେ ଗହଳି ଥିଲେ ଲମ୍ବା ଲାଇନରେ ଭକ୍ତମାନେ ଯଦି ଛିଡ଼ା ହେବେ ସେମାନେ ଯେପରି କୌଣସି ପ୍ରକାର ହଇରାଣ ନହେବେ ଏବଂ ତାଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଯାହା ଆବଶ୍ୟକ ତାହା କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି ।
ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ବୈଷୟିକ ଜ୍ଞାନ କୌଶଳର ବିନିଯୋଗ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ମେଘନାଦ ପାଚେରୀ ପାଶ୍ୱର୍ରୁ ଅନୁଧ୍ୟାନ କରିବା ବେଳେ ମୁଖ୍ୟମନ୍ତ୍ରୀ ଅଧିକରୁ ଅଧିକ ବୃକ୍ଷରୋପଣ କରିବାକୁ ପରାମର୍ଶ ଦେଇଛନ୍ତି । ନିର୍ଦ୍ଧିଷ୍ଟ ଦୂରତାରେ ବୃକ୍ଷରୋପଣ ଦ୍ୱାରା ଆଗକୁ ଭକ୍ତମାନେ ଗଛ ଛାଇରେ ବେଶ ଆରାମରେ ମନ୍ଦିର ପରିକ୍ରମା କରିପାରିବେ ବୋଲି ସେ କହିଥିଲେ ।
ମନ୍ଦିର ପରିକ୍ରମା ବେଳେ ପଶ୍ଚିମ ଦ୍ୱାର ପଟେ ଅଧିକାରୀମାନଙ୍କ ସହ ଆଲୋଚନା ବେଳେ ନବୀନ ପରାମର୍ଶ ଦେଇଛନ୍ତି ଯେ ଐତିହ୍ୟ କରିଡର ପ୍ରକଳ୍ପ କାମ ଏଭଳି ଭାବେ ନିର୍ମାଣ କର ଯେପରି ଭିନ୍ନକ୍ଷମ (ଦିବ୍ୟାଙ୍ଗ) ଭକ୍ତମାନେ ମଧ୍ୟ ବିନା ବାଧାରେ ଶ୍ରୀମନ୍ଦିର ପରିକ୍ରମା କରିପାରିବେ । ମେଘନାଦ ପାଚେରୀର ଶୋଭାକୁ ଭଲରେ ଦେଖିବା ସହ ତା’ର ମହିମାକୁ ଅନୁଭବ କରିବା ପାଇଁ ଭକ୍ତ ଓ ପାଚେରୀ ମଧ୍ୟରେ କୌଣସି ପ୍ରତିବନ୍ଧକ ନରହିବା ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇଛନ୍ତି । ଏପରିକି ମେଘନାଦ ପାଚେରୀ ନିକଟରେ ବିଦୁ୍ୟତ୍ ସବ୍ଷ୍ଟେସନ ଯେପରି ନ ରହେ ମାଷ୍ଟରପ୍ଲାନରେ ଏ ଦିଗ ପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।
ଶ୍ରୀକ୍ଷେତ୍ର ପୁରୀକୁ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଭକ୍ତ ଆସୁଛନ୍ତି । ବର୍ଷକୁ ବର୍ଷ ଭକ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଆଗାମୀ ଦିନରେ ଦୂରଦୂରାନ୍ତରରୁ ଆସୁଥିବା ଭକ୍ତମାନେ ଯେପରି ତାଙ୍କର ସାଙ୍ଗରେ ଆଣିଥିବା ଜରୁରୀ ସାମଗ୍ରୀ ରଖିବାରେ ହଇରାଣ ହରକତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏକାଠି ହୋଇ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯେପରି ମହାପ୍ରସାଦ ସେବନ କରିପାରିବେ ପ୍ରକଳ୍ପ କାମ ବେଳେ ଏଥିପ୍ରତି ଯତ୍ନବାନ ରହିବାକୁ ସେ ନିଦେ୍ର୍ଧଶ ଦେଇଛନ୍ତି । ବୟସ୍କ ଭକ୍ତମାନେ ସୁବିଧାରେ ସିଂହଦ୍ୱାର ନିକଟରେ ପହଞ୍ଚିବାକୁ ଗାଡି ପାର୍କିଂସ୍ଥାନରୁ ବିଦୁ୍ୟତ୍ ଚାଳିତ ଯାନ ପର୍ଯ୍ୟାପ୍ତ ସଂଖ୍ୟାରେ ଚଳାଇବା ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ମଧ୍ୟ ଦେଇଛନ୍ତି ।
ଏ ଅବସରରେ ଯେଉଁମାନେ ଐତିହ୍ୟ କରିଡର ପାଇଁ ଜମି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କ ନିÂା ଓ ପରିଶ୍ରମ ପାଇଁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ପରିକ୍ରମା ଓ ସମୀକ୍ଷା ସମୟରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି କେ ପାଣ୍ଡିଆନ ମାଷ୍ଟରପ୍ଲାନ ସଂପର୍କରେ ଅବଗତ କରାଇଥିଲେ । ଏ ଅବସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡା.କ୍ରିଷନ କୁମାର କହିଛନ୍ତି ଯେ, ୨ଟି ପ୍ରକଳ୍ପର କାମ ଆରମ୍ଭ ହୋଇଛି । ଆଉ ୩ଟି ପ୍ରକଳ୍ପର କାମ ଖୁବଶୀଘ୍ର ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ କାମକୁ ତ୍ୱରିତ କରିବାକୁ ଆସନ୍ତା ୩ ମାସ ମଧ୍ୟରେ ଜମି ଅଧିଗ୍ରହଣ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।
Comments are closed, but trackbacks and pingbacks are open.