ପୁରୀ,(ବି.ବି.ବ୍ୟୁରୋ): ଶୁକ୍ରବାର ଶ୍ରୀ ନୃସିଂହ ମହାପ୍ରଭୁ ଶ୍ରୀମନ୍ଦିରରୁ ବାହାରି ଶ୍ରୀକ୍ଷେତ୍ରର ଚାରି ଆଶ୍ରମକୁ ବିଜେ କରିଛନ୍ତି । ପବିତ୍ର ଶ୍ରାବଣ ମାସ ଶୁକ୍ଳପକ୍ଷ ନବମୀ ତିଥିରେ ଏହି ଦେବ ବିଧି ପାଳିତ ହୋଇଛି । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଏହି ବିଧିକୁ ବାଡ଼ି ନୃସିଂହ ବିଜେ କୁହାଯାଏ । ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ସରିବା ପରେ ଏହି ଦେବବିଧି ଅନୁଷ୍ଠିତ ହୋଇଥିଲା । ଦକ୍ଷିଣ ଘରେ ବିରାଜିତ ଶ୍ରୀ ନୃସିଂହ ମହାପ୍ରଭୁଙ୍କୁ ଆଜ୍ଞାମାଳ ଅର୍ପଣ କରାଯାଇଥିଲା । ସେଠାରୁ ଝୁଲଣ ମଣ୍ଡପ ନିକଟରେ ଥିବା ବିମାନରେ ଠାକୁରେ ବିଜେ ହୋଇଥିଲେ । ବିମାନବଡ଼ୁ ସେବକମାନେ ଏକ ପଟୁଆରରେ ଠାକୁରଙ୍କୁ ବିଜେ କରାଇ ନେଇ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରୁ ବାହାରିଥିଲେ ।
ପ୍ରଥମେ ମାର୍କଣ୍ଡତୀର୍ଥସ୍ଥିତ ମାର୍କଣ୍ଡଋଷିଙ୍କ ଆଶ୍ରମକୁ ବିଜେ ହୋଇଥିଲେ । ସେଠାରୁ ଦୋଳମଣ୍ଡପ ସାହିସ୍ଥିତ ଅଙ୍ଗିରା ଆଶ୍ରମ, ବାଲିସାହିସ୍ଥିତ ଭୃଗୁ ଆଶ୍ରମ ହୋଇ ଶେଷରେ ହରଚଣ୍ଡିସାହିସ୍ଥିତ ପଣ୍ଡୁ ଆଶ୍ରମରେ ଠାକୁରେ ବିଜେ ହୋଇଥିଲେ । ଆଶ୍ରମମାନଙ୍କରେ ଠାକୁରଙ୍କୁ ଶୀତଳ ଭୋଗ ଅର୍ପଣ କରାଯାଇଥିଲା । ସେଠାରୁ ଠାକୁରେ ପୁଣି ଶ୍ରୀମନ୍ଦିରକୁ ଫେରିଥିଲେ । ଆଗ କାଳରେ ରଥ ଯାତ୍ରା ପରେ ଶ୍ରୀକ୍ଷେତ୍ରରେ ହଇଜା ଓ ଝାଡ଼ା ବାନ୍ତି ଭଳି ରୋଗରେ ବାସିନ୍ଦାମାନେ ପଡ଼ୁଥିଲେ । ସେହି ରୋଗରୁ ଭକ୍ତମାନଙ୍କୁ ଉଦ୍ଧାର କରିବାକୁ ଠାକୁରେ ଶ୍ରୀକ୍ଷେତ୍ର ପରିକ୍ରମା କରୁଥିବା ପୁରୁଖା ଲୋକେ କୁହନ୍ତି ।
Comments are closed, but trackbacks and pingbacks are open.