ଶ୍ରୀମନ୍ଦିରକୁ ରଥ ଅନୁକୂଳ କାଠ ପ୍ରବେଶ

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ୍): ଶ୍ରୀମନ୍ଦିର ଇତିହାସରେ ଏକ ନୂତନ ଫର୍ଦ୍ଧ ଯୋଡ଼ିଯାଇଛି । ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମାର୍ଗଦର୍ଶନରେ ଶ୍ରୀମନ୍ଦିର ବାହାରେ ମହାପ୍ରଭୁଙ୍କ ରଥଯାତ୍ରା ପ୍ରାରମ୍ଭ ପର୍ବର କୌଣସି ପରମ୍ପରା ହେବନାହିଁ । କେବଳ ବିଧି ପାଳନ ପାଇଁ ରଥଯାତ୍ରାର ଆଦ୍ୟପର୍ବ ତିନି ରଥ ନିର୍ମାଣ ଅନୁକୂଳ ଏବଂ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ବିଧି ଶ୍ରୀମନ୍ଦିର ପରିସରରେ ଅନୁପାଳନ ହେବ । ଗତକାଲି ଯାନିଯାତ୍ରାର ବିଧି ବଡ଼ଦେଉଳ ଭିତରେ ପାଳନ କରିବାକୁ ନିଷ୍ପତ୍ତି ହେବା ପରେ ଶନିବାର ଦିନତମାମ ଏହି ଦୁଇ ଯାତ୍ରା ସହ ଯୋଡ଼ି ରହିଥିବା ସମସ୍ତ ନିଯୋଗ ପ୍ରତିନିଧିଙ୍କ ସହ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଓ ଏସ୍ପି ଉମାଶଙ୍କର ଦାଶ ଦଫା ଦଫାରେ ଆଲୋଚନା କରିଛନ୍ତି । ବାହାର ଚନ୍ଦନ ଓ ରଥ ନିର୍ମାଣ ଅନୁକୂଳ ବ୍ୟତିକ୍ରମ ହେଉଛି ନୀତି ନିର୍ଘଣ୍ଟ ନଥାଇ ଏହି ଯାନିଯାତ୍ରା ହେବ । ସେହିଭଳି ଶ୍ରୀମନ୍ଦିର ବାହାରେ ପାଳନ ହେଉଥିବା ଏହି ଦୁଇ ପର୍ବ ବିଧି ପାଳନ ପୂର୍ବକ ଶ୍ରୀମନ୍ଦିର ଭିତରେ ସମ୍ପନ୍ନ କରାଯିବ । ଏହା ଶ୍ରୀମନ୍ଦିର ଇତିହାସରେ ପ୍ରଥମ ବ୍ୟତିକ୍ରମ ହେବ ।
ଆଲୋଚନା ପର୍ଯ୍ୟାୟରେ ଚନ୍ଦନ ଯାତ୍ରା ଏବଂ କାଠ ଅନୁକୂଳ ସହ ଜଡିତ ବିଭିନ୍ନ ନିଯୋଗର କର୍ମକର୍ତ୍ତାଙ୍କୁ ଗତକାଲି ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମଠରେ ଅନୁÂିତ ବୈଠକରେ ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ଘୋଷଣାକୁ ଅବଗତ କରାଯାଇଥିଲା । ସୂଚନା ଦିଆଯାଇଥିଲା ଶ୍ରୀମନ୍ଦିର ଆନନ୍ଦବଜାର ଚାହାଣି ମଣ୍ଡପ ପାଖରେ ମହାପ୍ରଭୁଙ୍କ ତିନି ରଥ ନିର୍ମାଣ ଅନୁକୂଳ ବିଧିର ବନଯାଗ ଅନୁÂିତ ହେବ । ବନଯାଗ ଶେଷ ହେବା ପରେ ସେଠାରେ ରଖାଯାଇଥିବା ତିନି ରଥର ତିନିଗୋଟି ଧଉରା କାଠକୁ ଅନୁକୂଳ କରାଯିବ । ଏହି ରଥ ନିର୍ମାଣ ଅନୁକୂଳ କାର୍ଯ୍ୟ ଆରମ୍ଭ କରିବାକୁ ଆଜି ସିଂହଦ୍ୱାର ଦେଇ ତିନି ଖଣ୍ଡ ବାରଫୁଟିଆ ଧଉରା କାଠ ଆନନ୍ଦବଜାର ଚାହାଁଣି ମଣ୍ଡପ ନିକଟରେ ପହଞ୍ଚାଇଛନ୍ତି ଭୋଇ ସେବକ ।
ସୂଚନା ମୁତାବକ ଦେଉଳ ପୁରୋହିତ, ରାଜଗୁରୁ, ତିନି ମୁଖ୍ୟ ବିଶ୍ୱକର୍ମା, ଭୋଇ ସର୍ଦ୍ଧାର, ଛତିଶା ନିଯୋଗ ମୁଖ୍ୟ ପା;ଯୋଷୀ ମହାପାତ୍ର ପ୍ରମୁଖ ସୀମିତ ସଂଖ୍ୟାରେ ସେବକ, ପୂଜକ ଅନୂକୂଳ ପର୍ବରେ ଉପସ୍ଥିତ ରହିବେ । ଏଠାରେ ତିନି ମୁଖ୍ୟ ବିଶ୍ୱକର୍ମା, ଭୋଇ ସର୍ଦ୍ଧାରଙ୍କୁ ପାରମ୍ପରିକ ଶାଢ଼ୀ ବନ୍ଧାଯିବ । ଏଥିରୁ ସୂଚନା ମିଳୁଛି ରଥ ନିର୍ମାଣ ଅନୁକୂଳ ପରେ ରଥ ନିର୍ମାଣ ଆସନ୍ତା ମଇ ୩ ତାରିଖ ପର୍ଯ୍ୟନ୍ତ ଅଟକି ରହିବ । ୩ ତାରିଖରେ ସରକାରୀ ଘୋଷଣା ଉପରେ ତିନି ରଥ ନିର୍ମାଣ ପ୍ରକି୍ରୟା ନିର୍ଭର କରିବ ।
ସେହିଭଳି ୨୧ ଦିନିଆ ବାହାର ଚନ୍ଦନଯାତ୍ରାର ପ୍ରାରମ୍ଭ ଶ୍ରୀମନ୍ଦିର ଭିତର ବେଢ଼ାରେ ସମ୍ପନ୍ନ କରାଯିବ । ମହାପ୍ରଭୁଙ୍କ ଜଳକ୍ରୀଡ଼ା ମଣ୍ଡପରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ, ଶ୍ରୀଦେବୀ, ରାମକୃଷ୍ଣଙ୍କ ଚନ୍ଦନ ବେଢ଼ା ନୀତି ଜଳକ୍ରୀଡ଼ା ମଣ୍ଡପରେ କରାଯିବ । ଏଠାରେ ଚାପ ନୀତି ଏବଂ ସ୍ନାନ ନୀତି ସମ୍ପନ୍ନ ହେବ । ପଞ୍ଚ ମହାଦେବ ବାବା ଲୋକନାଥ, ଜମ୍ବେଶ୍ୱର, କପାଳମୋଚନ, ମାର୍କଣ୍ଡେଶ୍ୱର, ନୀଳକଣ୍ଠେଶ୍ୱରଙ୍କ ପାଇଁ ଆଜି ଶ୍ରୀମନ୍ଦିର ଭିତର ବେଢ଼ାରେ ଜଳକ୍ରୀଡ଼ା ମଣ୍ଡପ ନିର୍ମାଣ ଚାଲିଛି । ଏହି ମଣ୍ଡପ ନିର୍ମାଣ ରାତି ମଧ୍ୟରେ ଶେଷ କରାଯିବ ବୋଲି ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି । ଏହି ଜଳକ୍ରୀଡ଼ା ମଣ୍ଡପରେ ପଞ୍ଚ ମହାଦେବଙ୍କ ବାହାର ଚନ୍ଦନ ନୀତି ସମ୍ପନ୍ନ କରାଯିବାକୁ ନିଷ୍ପତ୍ତି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons