
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପୁରୀ ଶ୍ରୀମନ୍ଦିର ବିକାଶ କରିବା ପାଇଁ ପରିକ୍ରମା ଓ ଅନ୍ୟ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ମହତ କାର୍ଯ୍ୟରେ ଶ୍ରମଦାନ କିମ୍ବା ଅର୍ଥଦାନ ମାଧ୍ୟମରେ ବିଶ୍ୱର ସମଗ୍ର ହିନ୍ଦୁ ସମାଜ ତଥା ବିଶେଷ ଭାବରେ ସାଢେ଼ ୪ କୋଟି ଓଡ଼ିଆ ସାମିଲ ହେବାକୁ ଇଚ୍ଛା ରଖିଛନ୍ତି । ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ସମର୍ପଣ ନିଧି ସଂଗ୍ରହ ଅଭିଯାନ ଭଳି ଏକ ବ୍ୟବସ୍ଥା ତିଆରି କରିବା ପାଇଁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ପତ୍ର ଲେଖି ତାଙ୍କର ସହଯୋଗ ଲୋଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗଜପତି ଦିବ୍ୟସିଂହ ଦେବଙ୍କ ମାର୍ଗଦର୍ଶନରେ ଏପରି ବ୍ୟବସ୍ଥା ତିଆରି କରାଗଲେ ସମଗ୍ର ବିଶ୍ୱର ହିନ୍ଦୁ ବିଶେଷ ଭାବରେ ସାଢେ଼ ୪ କୋଟି ଓଡ଼ିଆ ମନଖୋଲି ମହାପ୍ରଭୁଙ୍କୁ ଦାନ କରିବାର ସୁଯୋଗ ପାଇପାରିବେ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି । ଶ୍ରୀ ପ୍ରଧାନ ଆହୁରି ଉଲ୍ଲେଖ କରିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ସଂରକ୍ଷଣ କରିବା ତଥା ସେବାୟତଙ୍କ ସାମଗ୍ରିକ ବିକାଶ, ଶ୍ରଦ୍ଧାଳୁଙ୍କ କଲ୍ୟାଣ ତଥା ଆମର ପୁରୁଣା ପରମ୍ପରା ଏବଂ ଐତିହ୍ୟକୁ ବଜାୟ ରଖିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବରେ ଦିବ୍ୟସିଂହ ଦେବ ନିରନ୍ତର ଓ ନିରଳସ ଉଦ୍ୟମ କରି ଆସୁଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିକଟରେ ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିର ବିକାଶ ପାଇଁ ନିଜ ଦରମାରୁ ୧ ଲକ୍ଷ ସହଯୋଗ ରାଶି ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମହାପ୍ରଭୁଙ୍କ ସେବା କରିବାର ସୁଯୋଗର ଅନୁଭବକୁ ଶବ୍ଦରେ ବର୍ଣ୍ଣନା କରିବା ମୋ ପାଇଁ ସମ୍ଭବ ନୁହେଁ । ଏହି ମର୍ମରେ ଶ୍ରୀଜନ୍ନାଥ ମନ୍ଦିର ପରିଚାଳନା କମିଟି ଆପଣଙ୍କ ଦକ୍ଷ ନେତୃତ୍ୱର ଏବଂ ମାର୍ଗଦର୍ଶନରେ ବଡ଼ ଆକାରର ଧନ ସଂଗ୍ରହ ଅଭିଯାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମସ୍ତ ଭକ୍ତ ସହଯୋଗରେ ହାତ ବଢ଼ାଇପାରିବେ ତା’ର ବ୍ୟବସ୍ଥା ତିଆରି କରାଯିବା ନେଇ ଗଜପତି ମହାରାଜାଙ୍କୁ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ସମ୍ମାନ ଏବଂ ଭକ୍ତିଭାବର ପ୍ରକାଶ କରି ଆସୁଛନ୍ତି । ଏହି ପବିତ୍ର ପ୍ରଚେଷ୍ଟାକୁ ବଡ ସଫଳତାର ରୂପ ଦେବା ପାଇଁ ଭାରତ ସରକାର ଆଇନଗତ ଏବଂ ନୀତିଗତ ଭାବରେ ସମସ୍ତ ଆନୁଷଙ୍ଗିକ ସହାୟତା ପ୍ରଦାନ କରିବା ପାଇଁ ଇଚ୍ଛୁକ ଅଛନ୍ତି ।
ପ୍ରସ୍ତାବିତ ଅଭିଯାନ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ଅତ୍ୟନ୍ତ ଜରୁରି । ଏଥିପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ସମ୍ପର୍କର ସେତୁ ସାଜିବା ଏବଂ ସମନ୍ୱୟ ରକ୍ଷା କରିବା ପାଇଁ ଶ୍ରୀ ପ୍ରଧାନ ଗଜପତି ମହାରାଜଙ୍କୁ ଅନୁରୋଧ କରିଛନ୍ତି । ଆଇନଗତ ଦୃଷ୍ଟିକୋଣରୁ ଭାରତ ସରକାର ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଆୟକର ଅଧିନିୟମ ଅନୁଯାୟୀ ଛାଡ଼, ବୈଦେଶିକ ଆର୍ଥିକ ଯୋଗଦାନ ପଞ୍ଜୀକରଣ (ନିୟମାବଳୀ) ଆଇନ, ୨୦୧୦ ଅନୁଯାୟୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ସହାୟତା ପ୍ରଦାନ କରିବେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଗଣିତ ଭକ୍ତମାନଙ୍କ ପାଇଁ ଓଡ଼ିଶା ତଥା ଦେଶର ଏକାଧିକ ବ୍ୟାଙ୍କ୍ ଏବଂ ସେମାନଙ୍କ ଶାଖା ବ୍ରାଞ୍ଚ ମଧ୍ୟ ଏଥିପାଇଁ ସୁବିଧା ସୁଯୋଗ ଯୋଗାଇବା ସହ ସହଯୋଗ କରିବେ ବୋଲି ଧର୍ମେନ୍ଦ୍ର ପତ୍ରରେ ଦର୍ଶାଇଛନ୍ତି ।
Comments are closed, but trackbacks and pingbacks are open.