ପୁରୀ,(ବି.ବି.ନୁ୍ୟଜ୍): ଶ୍ରୀମନ୍ଦିର ସେବାପୂଜା ସହ ସଂଶ୍ଲିଷ୍ଟ ମଠଗୁଡ଼ିକର ସେବାପୂଜାକୁ ସୁରକ୍ଷିତ ରଖାଯିବ । ପୁରୀ ବଡ଼ଦାଣ୍ଡକୁ ଐତିହ୍ୟ ପଥ ରୂପେ ପରିଣତ କରାଯିବ । ଅଦିନରେ ଦେଶର ବିଭିନ୍ନ ସ୍ଥାନରେ ହେଉଥିବା ରଥଯାତ୍ରାକୁ ବନ୍ଦ କରାଯିବ । ପୁରୀ ରଥଯାତ୍ରା ସହ ସମନ୍ୱୟ ରଖି ଦେଶ ବିଦେଶରେ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ ପାଇଁ ପରିଚାଳନା କମିଟି ଏବଂ ରାଜ୍ୟ ସରକାର ଉଦ୍ୟମ କରିବେ । ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଉଚ୍ଛେଦ ଲୋକଙ୍କୁ କ୍ଷତିପୂରଣ, ସରକାରଙ୍କ ଜମି ଅଧିଗ୍ରହଣ, ପୁନଃନିର୍ମାଣ ଏବଂ ପୁନର୍ବାସ ଯୋଜନା ମୁତାବକ ହେବ ବୋଲି ଶୁକ୍ରବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି ।
ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁÂିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଦେଶର ବିଭିନ୍ନ ପ୍ରାନ୍ତରେ ଅଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେଉଥିବା ନେଇ ଉଦବେଗ ପ୍ରକାଶ ପାଇଥିଲା । ଏହି ପ୍ରସଙ୍ଗରେ କମିଟି ନିଷ୍ପତ୍ତି ନେଇଥିଲା ଅଦିନିଆ ରଥଯାତ୍ରାକୁ ବନ୍ଦ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ରାଜ୍ୟକୁ ଚିଠି ଲେଖିବ । ସେହିଭଳି ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା ଦେଶ ବିଦେଶରେ ଅଦିନରେ ରଥଯାତ୍ରା ପାଳନ ନକରିବାକୁ ରାଜ୍ୟ ସରକାର ମଧ୍ୟ ଆୟୋଜକ ଅନୁÂାନଗୁଡ଼ିକୁ ଚିଠି ଲେଖିବାକୁ ପ୍ରସ୍ତାବ ଦିଆଯିବ । ଶ୍ରୀମନ୍ଦିର ଚତୁଃପାଶ୍ୱର୍ ବିକାଶ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ପ୍ରସ୍ତୁତ କରିଥିବା ସମସ୍ତ ଯୋଜନାକୁ ରାଜ୍ୟ ସରକାରଙ୍କ ‘ଐତିହ୍ୟ ସହର’ ବିକାଶ ମେଗା ଯୋଜନାରେ ସାମିଲ କରିବାକୁ କମିଟି ମତ ଦେଇଛି । ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ପରିଚାଳନା କମିଟି ବୈଠକ ପରେ ସୂଚନା ଦେଇ କହିଛନ୍ତି, ସେବାୟତ କଲ୍ୟାଣ ଯୋଜନାରେ ସେବାୟତ ପରିବାରର ପିଲାଙ୍କ ପାଇଁ ପ୍ରସ୍ତାବିତ ଗୁରୁକୁଳ ନିର୍ମାଣ ପାଇଁ ପୂର୍ବରୁ ଚିହ୍ନଟ ଜମି ବଦଳିବ । ମାଟିତୋଟା ଇଲାକାରେ ୧୦ରୁ ୧୨ ଏକର ଜମିରେ ଏହି ଗୁରୁକୁଳ ନିର୍ମାଣ ହେବ । ନିର୍ମାଣ ପାଇଁ ଗଠିତ ସବ୍ କମିଟିର ସୁପାରିସ ମିଳିବା ପରେ ପରିଚାଳନା କମିଟିର ଅନୁମୋଦନ ପରେ ଗୁରୁକୁଳ ନିର୍ମାଣ ହେବ । ସେବାୟତ ପରିବାର ବିଦ୍ୟାର୍ଥୀଙ୍କ ଉଚ୍ଚ ଶିକ୍ଷା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମେଧା ବୃତ୍ତି ତଥା ସ୍ୱତନ୍ତ୍ର ସହାୟତା ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।
ସୁପ୍ରିମକୋର୍ଟଙ୍କ ରାୟ କ୍ରମେ ମଠ ସମ୍ପତ୍ତି, ମଠ ଜାଗା ସବୁ ଶ୍ରୀମନ୍ଦିର ପରିଚାଳନା କମିଟି ମାର୍ଫତକୁ ଆସିଯାଇଛି । ଉଚ୍ଛେଦ ଅଭିଯାନରେ ମଠ ମାର୍ଫତରେ ରହିଥିବା ମଠ ଏବଂ ଘରୋଇ ଜାଗାର କ୍ଷତିପୂରଣ ଟଙ୍କା ମନ୍ଦିର ପ୍ରଶାସନ ପାଇବାକୁ ହକଦାର ବୋଲି ସଦସ୍ୟମାନେ ମତ ଦେଇଥିଲେ । ତେଣୁ ଶ୍ରୀମନ୍ଦିର ପ୍ରଶାସନ କ୍ଷତିପୂରଣ ପାଇବାକୁ ହକଦାର । ଏହି ପ୍ରସଙ୍ଗ ଉପରେ ଆଉ ଏକ ସବ୍ କମିଟି ଗଠନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ପୁରୀ ଜିଲ୍ଲାପାଳ, ଏସ୍ପି, ଦେବୋତ୍ତର ବିଭାଗ କମିସନର, ପରିଚାଳନା କମିଟି ସଦସ୍ୟ ଏବଂ ମଠ ମହନ୍ତଙ୍କୁ ନେଇ ଏହି ସବ୍କମିଟି ଗଠନ କରାଯିବ । ଏହି ସବ୍ କମିଟିର ମତାମତକୁ ଶ୍ରୀମନ୍ଦିର ପରିଚାଳନା କମିଟିରେ ଉପସ୍ଥାପନ କରିବା ପରେ ଜମି କ୍ଷତିପୂରଣ ଟଙ୍କା କିଏ ନେବ ତାହାର ନିର୍ଣ୍ଣୟ ହେବ ବୋଲି ବୈଠକକୁ ପ୍ରତିଶ୍ରୁତି ମିଳିଥିଲା ।
ପରିଚାଳନା କମିଟି ବୈଠକରେ ସଦସ୍ୟମାନେ ଜଷ୍ଟିସ ବି.ପି ଦାସ କମିସନଙ୍କ ସୁପାରିସ ଆଧାରରେ ଶ୍ରୀମନ୍ଦିର ଚୌହଦିରୁ ୭୫ ମିଟର ଉଚ୍ଛେଦ ହେଉଥିବା ପ୍ରସଙ୍ଗ ଉଠିଥିଲା । କମିସନ ରିପୋର୍ଟ କ’ଣ କହିଛି ତାହା ଜାଣିବାକୁ ସଦସ୍ୟମାନେ କହିଥିଲେ । କମିସନ ରିପୋର୍ଟ ନକଲକୁ ସଦସ୍ୟମାନଙ୍କୁ ଦିଆଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା । କମିସନ ରିପୋର୍ଟ ଆଧାରରେ ପ୍ରଶାସନ ଶ୍ରୀମନ୍ଦିର ଚୌହଦିର ୭୫ ମିଟର ଇଲାକାରେ ଉଚ୍ଛେଦ କରୁଛି । ଆଗାମୀ ଦିନରେ ଏହି ଇଲାକା ବଢ଼ିବ ନାହିଁ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେବାକୁ ସଭ୍ୟମାନେ ଦାବି କରିଥିଲେ ।
ଏନେଇ ଜବାବ ସୁଆଲ ବେଳେ ଏଏସ୍ଆଇର ଅଧୀକ୍ଷଣ ଯନ୍ତ୍ରୀ କହିଥିଲେ ଶ୍ରୀମନ୍ଦିର ଜାତୀୟ ଐତିହ୍ୟର ମାନ୍ୟତା ପାଇଛି । ତେଣୁ ଜାତୀୟ ଐତିହ୍ୟ ସଂରକ୍ଷଣ ଆଇନ ମୁତାବକ ମେଘନାଦ ପାଚେରିଠାରୁ ୧୦୦ ମିଟର ଦୂରରେ ସମସ୍ତ ପ୍ରକାର ନିର୍ମାଣ ନିଷେଧ କରାଯାଇଛି । ଏନେଇ ଉଠିଥିବା ପ୍ରଶ୍ନର ଜବାବ ଏଠାରେ ଅଟକି ରହିଥିଲା । ସଦସ୍ୟମାନେ ଜଷ୍ଟିସ ବିପି ଦାସ କମିସନ ରିପୋର୍ଟ ସଂପର୍କରେ ପରିଚାଳନା କମିଟିକୁ ଅନ୍ଧାରରେ ରଖାଯାଇଥିବା ଅଭିଯୋଗ ଆଣିଥିଲେ । ସେହିଭଳି ଶ୍ରୀମନ୍ଦିର ପରିଚାଳନା କମିଟିର ବିନା ଅନୁମୋଦନରେ ଶ୍ରୀମନ୍ଦିର ସୂଚନା କେନ୍ଦ୍ର ଭଳି ମେଘନାଦ ପାଚେରିକୁ ଲାଗି ରହିଥିବା ଅନ୍ୟ ନିର୍ମାଣଗୁଡ଼ିକୁ ଭଙ୍ଗାଯିବା ନାପସନ୍ଦ କରାଯାଇଥିଲା ।
Comments are closed, but trackbacks and pingbacks are open.