ଓଡ଼ିଶାବାସୀ ଆପଣଙ୍କ ନିକଟରେ ଋଣୀ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶ୍ରୀମନ୍ଦିରର ସୁରକ୍ଷା ଓ ଶ୍ରୀକ୍ଷେତ୍ର ଐତିହ୍ୟ ଜୋନ୍ର ବିକାଶ ପାଇଁ ସ୍ୱେଛାକୃତ ଭାବେ ୧୧ ପରିବାର ଜମି ଦେଇଛନ୍ତି । ଜାଗା ଦେଇଥିବା ଏହି ପରିବାରର ସଦସ୍ୟମାନଙ୍କୁ ଆଜି ଲୋକସେବା ଭବନରେ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବ୍ୟକ୍ତିମାନଙ୍କର ତ୍ୟାଗ ଓ ଅବଦାନର ଭୂୟସୀ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏମାନଙ୍କ ଏ ମହତ୍ ଦାନ ପାଇଁ ଓଡ଼ିଶାବାସୀ ସେମାନଙ୍କ ନିକଟରେ ଚିର ଋଣୀ ହୋଇ ରହିବେ ବୋଲି ସେ କହିଛନ୍ତି ।
ଲୋକସେବା ଭବନରେ ଏକ ସ୍ୱତନ୍ତ୍ର ଉତ୍ସବରେ ଜମି ଦାନ କରିଥିବା ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ଶ୍ରୀମନ୍ଦିରର ସୁରକ୍ଷା ସହ ଶ୍ରୀକ୍ଷେତ୍ରର ବିକାଶ ପାଇଁ ଆପଣମାନଙ୍କ ତ୍ୟାଗକୁ ଭବିଷ୍ୟତ ପିଢ଼ି ସବୁଦିନ ପାଇଁ ମନେ ରଖିବ । ନବୀନ କହିଲେ, ମୁଁ ଖୁସି ଯେ ଆପଣମାନେ ମୋର ଅନୁରୋଧ ରକ୍ଷା କରିଛନ୍ତି । ଶ୍ରୀମନ୍ଦିରର ସୁରକ୍ଷା ପାଇଁ ନିଜ ଜାଗା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଶ୍ରୀମନ୍ଦିର ଓଡ଼ିଆ ଜାତିର ଅମୂଲ୍ୟ ସମ୍ପତ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ବଡ଼ ପରିଚୟ । ମହାପ୍ରଭୁଙ୍କ ପାଇଁ, ତାଙ୍କ ମନ୍ଦିରର ସୁରକ୍ଷା ପାଇଁ ଆମେ କିଛି କରିପାରିଲେ ଆମ ଜୀବନ ଧନ୍ୟ ହେବ । ଯେଉଁମାନେ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଜମି ଦେଉଛନ୍ତି ସେମାନଙ୍କ ପାଇଁ ରାଜ୍ୟ ସରକାର ଭଲ ପ୍ୟାକେଜ୍ କରିଛନ୍ତି । ପ୍ରଥମ ଦଫାରେ ୧୧ ଜଣ ବନ୍ଧୁ ଏ ପ୍ୟାକେଜର ସୁଯୋଗ ନେଇଛନ୍ତି । ଅନ୍ୟମାନେ ମଧ୍ୟ ଏହାକୁ ମହାପ୍ରଭୁଙ୍କ ସେବା ଭାବି ଏହାର ସୁଯୋଗ ନିଅନ୍ତୁ । ଶ୍ରୀମନ୍ଦିର ସୁରକ୍ଷା ପରି ମହାନ କାର୍ଯ୍ୟରେ ସହଯୋଗ କରନ୍ତୁ । ଆପଣମାନଙ୍କ ଏହି ମହାନ ତ୍ୟାଗ ମହାପ୍ରଭୁଙ୍କ ସେବାରେ ନୂଆ ଇତିହାସ ସୃଷ୍ଟି କରିବ । ଓଡ଼ିଆ ଜାତିର ଭବିଷ୍ୟତ ପିଢ଼ି ଆପଣମାନଙ୍କ ତ୍ୟାଗକୁ ସବୁଦିନ ପାଇଁ ମନେ ରଖିବ । ମୁଖ୍ୟମନ୍ତ୍ରୀ ଜାଗା ଦେଇଥିବା ପରିବାର ସଦସ୍ୟମାନଙ୍କୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ତାରକସୀର ପ୍ରତିମୂର୍ତ୍ତି ସହ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ ।
ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ ବ୍ୟକ୍ତିମାାନ ହେଲେ, ସଂଯୁକ୍ତା ସାମଲ, ଚନ୍ଦ୍ରକାନ୍ତି ଦାସ, କୁମୁଦିନୀ ଗୁରୁ, ରମାଦେବୀ ଶର୍ମା, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ବ୍ରଜକିଶୋର ପଣ୍ଡା, ଗଦାଧର ପାଢ଼ୀ, କଳିଯୁଗ ଗୋପାଳଚନ୍ଦ୍ର ପ୍ରତିହାରୀ, ରାଜକିଶୋର ସାହୁ ଓ ଶଶିଭୂଷଣ ଦାସ ଓ ତାଙ୍କ ପରିବାର ସଦସ୍ୟ । କାର୍ଯ୍ୟକ୍ରମରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଅନ୍ୟ ବରିÂ ଅଧିକାରୀମାନେ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.