ପୁରୀ,(ବି.ବି.ବୁ୍ୟରୋ): ବିଭିନ୍ନ ଧର୍ମଗ୍ରନ୍ଥ ଆଧାରରେ ଶ୍ରୀମନ୍ଦିର ନୀତି, ସେବାପୂଜା, ଯାନିଯାତ୍ରା ପାଳନ କରିବାକୁ ମାର୍ଗଦର୍ଶନ ରହିଛି । ଏହି ମାର୍ଗଦର୍ଶନ ଆଧାରରେ ପୁରୁଷାନୁକ୍ରମେ ସେବାୟତମାନେ ମହାପ୍ରଭୁଙ୍କ ସେବା ପୂଜା କରୁଛନ୍ତି । କିନ୍ତୁ ୧୯୬୦ରେ ରାଜ୍ୟ ସରକାର ଶ୍ରୀମନ୍ଦିର ଦାୟିତ୍ୱ ନେବା ପରେ ସେବାପୂଜା ସଂସ୍କାର ପାଇଁ ଉଦ୍ୟମ ହୋଇନାହିଁ । ସରକାର ଶ୍ରୀମନ୍ଦିର ଦାୟିତ୍ୱ ନେବା ପରେ ଶଙ୍କରାଚାର୍ଯ୍ୟଙ୍କୁ ଉପେକ୍ଷା କରି ଚାଲିଛନ୍ତି । ଏବେ ସମୟ ଆସିଛି ଶ୍ରୀମନ୍ଦିର ସୁବ୍ୟବସ୍ଥିତ ଏବଂ ସୁପରିଚାଳନା ପାଇଁ ‘ଶ୍ରୀମନ୍ଦିର ଆଚାର ସଂହିତା’ ପ୍ରସ୍ତୁତ ହେବା ଉଚିତ୍ ।
ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଜଗଦ୍ଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ, ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କି୍ରଷନ କୁମାର ଏବଂ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଉପସ୍ଥିତିରେ ଏଭଳି ଆଲୋଚନା ହୋଇଛି । ପ୍ରଚଳିତ ଧର୍ମଶାସ୍ତ୍ର, ପୁରାଣ ଆଧାରରେ ଆଚାର ସଂହିତା ପ୍ରସ୍ତୁତ କରାଯାଉ । ଏହି ଆଧାରରେ ଶ୍ରୀମନ୍ଦିର ସେବାପୂଜା କରିବାକୁ ସୋମବାର ଗୋବର୍ଦ୍ଧନ ମଠ ପରିସରରେ ଅନୁÂିତ ଶଙ୍କରାଚାର୍ଯ୍ୟଙ୍କ ସହ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକରୁ ନିର୍ଯ୍ୟାସ ବାହାରିଛି । ଗୋବର୍ଦ୍ଧନ ମଠରେ ନିୟମିତ ଅନ୍ତରରେ ପରିଚାଳନା କମିଟି ଡାକିବାକୁ ମଧ୍ୟ ଏହି ସଭାରେ ସହମତି ମିଳିଛି ।
ବୈଠକ ପରେ ଶଙ୍କରାଚାର୍ଯ୍ୟ ଗଣମାଧ୍ୟମକୁ କହିଥିଲେ ଯେ, ୧୯୬୦ରେ ପ୍ରଣୀତ ଶ୍ରୀମନ୍ଦିର ସ୍ୱତ୍ତ୍ୱାଧିକାର ଏବଂ ସଂସ୍କାର ସେବାପୂଜା ପରମ୍ପରା ଜାଣି ନଥିବା କେହି ଜଣେ ପ୍ରସ୍ତୁତ କରିଥିଲେ । ଏହା ଦ୍ୱାରା ଧାର୍ମିକ ବିଭାଗ ଏବଂ ଧର୍ମନିରପେକ୍ଷ ବିଭାଗ ସୃଷ୍ଟି ହୋଇଥିଲା । ଧର୍ମଗୁରୁଙ୍କୁ ଉପେକ୍ଷା କରାଯାାଇଥିଲା । ତଦ୍ଧ୍ୱାରା ଶ୍ରୀମନ୍ଦିର ସେବାପୂଜା ପରିଚାଳନାରେ ଏକ ଅନ୍ଧ ପରମ୍ପରାର ସୃଷ୍ଟି ହୋଇଥିଲା । ଏହାର କୁପରିଣାମ ଏବେ ସମସ୍ତଙ୍କୁ ଭୋଗିବାକୁ ପଡୁଛି । ତଦ୍ଧ୍ୱାରା ପ୍ରଶାସନ ଏବଂ ସେବକ ଏଭଳି ଦୁଇଟି ଗୋÂୀ ଶ୍ରୀମନ୍ଦିର ପରିଚାଳନାରେ ବାହାରକୁ ଆସିଥିଲେ । ଧର୍ମଶାସ୍ତ୍ରକୁ ଆଉ ଗୁରୁତ୍ୱ ଦିଆଗଲା ନାହିଁ । ସୁପି୍ରମକୋର୍ଟଙ୍କୁ ଶ୍ରୀମନ୍ଦିର ସେବାପୂଜା ପରିଚାଳନା କିଭଳି ହୁଏ ତାହାର ବିବରଣୀ ବିଭିନ୍ନ ଧର୍ମଶାସ୍ତ୍ର, ପୁରାଣ, ପରମ୍ପରା ଆଧାରରେ ସେ ଜଣାଇଛନ୍ତି । ଏହି ସବୁ ଧର୍ମଶାସ୍ତ୍ର ଆଧାରରେ ଶ୍ରୀମନ୍ଦିରର ସେବାପୂଜା ପରିଚାଳନା କରିବାକୁ ବୈଠକରେ ସହମତି ମିଳିଛି ।
ବୈଠକର ନିଷ୍କର୍ସ ସମ୍ପର୍କରେ ଶଙ୍କରାଚାର୍ଯ୍ୟ କହିଥିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସହ ଆଲୋଚନାବେଳେ ଶ୍ରୀମନ୍ଦିର ସେବାପୂଜା ପରିଚାଳନାରେ ଲକ୍ଷ୍ୟ ନିର୍ଦ୍ଧାରଣ ହୋଇଛି । ଶ୍ରୀମନ୍ଦିର ସେବାପୂଜା ପରିଚାଳନା ଶଙ୍କରାଚାର୍ଯ୍ୟଙ୍କ ମାର୍ଗଦର୍ଶନରେ ହେବ । ଶାସନତନ୍ତ୍ର ଏବଂ ସେବାୟତ ତନ୍ତ୍ର ନିଜର ନିଜର ସେବା କରିବେ । ସେବାପୂଜା ସଞ୍ଚାଳନ କିନ୍ତୁ ଧାର୍ମିକ ଆଧ୍ୟାତ୍ମିକ ବିଚାର ଆଧାରରେ ହେବ । ଶ୍ରୀମନ୍ଦିରକୁ ଏକ ଶିକ୍ଷା, ରକ୍ଷା, ସଂସ୍କୃତି, ସେବା, ସମୃଦ୍ଧି, ଧର୍ମାନୁÂାନରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି । ପରସ୍ପର ମଧ୍ୟରେ ସଦ୍ଭାବ ପୂର୍ବକ ଆଲୋଚନା ଜରିଆରେ ନିଷ୍ପତ୍ତି ନିଆଯିବ । ଧର୍ମଶାସ୍ତ୍ର ଆଧାରରେ ଶ୍ରୀମନ୍ଦିର ପାଇଁ ଏକ ‘ଆଚାର ସଂହିତା’ ପ୍ରସ୍ତୁତ ହେବ । ଏହି ଆଧାରରେ ଶ୍ରୀମନ୍ଦିର ସେବାପୂଜା ପରିଚାଳନା କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହି ପରାମର୍ଶ ଉପରେ ବୈଠକରେ ସହମତି ପ୍ରକାଶ ପାଇଛି । ଏହା ଦ୍ୱାରା ଶ୍ରୀମନ୍ଦିରକୁ ବିଶ୍ୱରେ ଏକ ଦିବ୍ୟ ସ୍ୱରୂପ ମିଳିପାରିବ ବୋଲି ଶଙ୍କରାଚାର୍ଯ୍ୟ ଆଶା ବ୍ୟକ୍ତ କରିଛନ୍ତି ।
ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କି୍ରଷନ କୁମାର କହିଥିଲେ ପୂର୍ବ ନିଷ୍ପତ୍ତି କ୍ରମେ ଆଜି ପରିଚାଳନା କମିଟି ଗୁରୁଜୀଙ୍କ ସହ ଶ୍ରୀମନ୍ଦିର ସେବାପୂଜା ପରିଚାଳନା ନେଇ ଆଲୋଚନା କରିଥିଲେ । ଗୁରୁଜୀ ଆମକୁ ମାର୍ଗଦର୍ଶନ ଦେଇଛନ୍ତି । ଶଙ୍କରାଚାର୍ଯ୍ୟ, ଗଜପତି, ସେବାୟତ ଏବଂ ପ୍ରଶାସନର ମିଳିତ ଉଦ୍ୟମରେ ଜଗନ୍ନାଥ ମନ୍ଦିରର ବିକାଶ ହେବ । ଏହା ଦେଶରେ ସମସ୍ତଙ୍କ ଅନୁକରଣୀୟ ହେବ । ଶ୍ରୀମନ୍ଦିର ସେବାପୂଜା, ନୀତିକାନ୍ତି ପୁରାଣ, ଧର୍ମଶାସ୍ତ୍ର ଆଦି ଆଧାରରେ ହେବା କଥା ବୋଲି ଗୁରୁଜୀ ପରାମର୍ଶ ଦେଇଛନ୍ତି । ଜରୁରି ଦରକାର ବେଳେ ଶ୍ରୀମନ୍ଦିରରେ କିଛି ଧାର୍ମିକ ସମସ୍ୟା ଉପୁଜିଲେ ଆମେ ଗୁରୁଜୀଙ୍କ ସହ ପରାମର୍ଶ ନେବାକୁ ଆସିବୁ । ଆଉ ଦୁଇ ତିନି ମାସ ପରେ ଆମେ ପୁଣି ଗୋବର୍ଦ୍ଧନ ପୀଠକୁ ଆସି ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିବୁ ବୋଲି ସେ ସୂଚନା ଦେଇଥିଲେ ।
ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ ଶ୍ରୀମନ୍ଦିର ସେବାପୂଜା ଏବଂ ପରମ୍ପରା ସୁପରିଚାଳନା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ସୋମବାର ଶଙ୍କରାଚାର୍ଯ୍ୟଙ୍କୁ ଭେଟିଥିଲେ । ଆଲୋଚନା ବେଳେ ‘ଶ୍ରୀମନ୍ଦିର ଏବେ ଅନ୍ଧ ପରମ୍ପରା ଆଧାରରେ ଚାଲିଥିବା’ ପ୍ରସଙ୍ଗ କମିଟିର ସେବାୟତ ପ୍ରତିନିଧିମାନେ ଉଠାଇଥିଲେ । ଶଙ୍କରାଚାର୍ଯ୍ୟଙ୍କ ଠାରୁ ଏନେଇ ସ୍ପଷ୍ଟୀକରଣ ଚାହିଁଥିଲେ । ସେବାୟତ କହିଥିଲେ ପୂର୍ବପୁରୁଷମାନେ ଆମକୁ ଶ୍ରୀମନ୍ଦିର ସେବାପୂଜା ନେଇ ମାର୍ଗଦର୍ଶନ ଦେଇ ଆସୁଛନ୍ତି । ଆଠ ଶହ ବର୍ଷ ଧରି ଏହି ସେବାପୂଜା ପରମ୍ପରା ପିଢ଼ି ପିଢ଼ି ପରେ ଚାଲିଆସୁଛି । ଶଙ୍କରାଚାର୍ଯ୍ୟ, ଗଜପତି, ସେବାୟତ, ଭକ୍ତ ସମାଜ ହେଉଛନ୍ତି ଶ୍ରୀମନ୍ଦିରର ଚାରି ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ସମସ୍ତେ କହୁଛନ୍ତି ଶ୍ରୀମନ୍ଦିର ଆମର । ଏହା ଦ୍ୱାରା ହିଁ ବିଭ୍ରାଟ ସୃଷ୍ଟି ହେଉଛି ।
ଶଙ୍କରାଚାର୍ଯ୍ୟ କିମ୍ବା ଗଜପତି ମହାରାଜା ୧୯୬୦ ପୂର୍ବରୁ କିମ୍ବା ରାଜ୍ୟ ସରକାର ଶ୍ରୀମନ୍ଦିର ଦାୟିତ୍ୱ ନେବା ପରେ କେହି ବି ସେବାପୂଜା ପରମ୍ପରା ନେଇ ପ୍ରଶ୍ନ ଉଠାଇ ନଥିଲେ । ଏବେ ସୁପି୍ରମକୋର୍ଟ ଆଦେଶ ପରେ ଅନ୍ଧ ପରମ୍ପରା ଆଧାରରେ ଶ୍ରୀମନ୍ଦିର ସେବାପୂଜା ଚାଲିଥିବା ନେଇ ପରସ୍ପର ଉପରେ ଦୋଷ ଲଦି ଦିଆଯିବାର କାରଣ ବୁଝାପଡୁନାହିଁ । ସେହିଭଳି ଶଙ୍କରାଚାର୍ଯ୍ୟଙ୍କ ଠାରୁ ବିଭିନ୍ନ ପ୍ରସଙ୍ଗରେ ପରାମର୍ଶ ନେବା ପରେ ପ୍ରଶାସନ ତାଙ୍କୁ ଭୁଲିଯାଉଛି । କେବଳ ଆବଶ୍ୟକ ବେଳେ ଶଙ୍କରାଚାର୍ଯ୍ୟ ମନେ ପଡ଼ିବା ଠିକ୍ ହେଉନାହିଁ ବୋଲି ସେବାୟତ ପ୍ରତିନିଧିମାନେ ମତ ଦେଇଥିଲେ ।
Comments are closed, but trackbacks and pingbacks are open.