ଶ୍ୟାମାମଣି ଦେବୀ, ଉପେନ୍ଦ୍ର ପାଣିଗ୍ରାହୀଙ୍କୁ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆଜି ଦୁଇ ବର୍ଷ ପାଇଁ ଘୋଷଣା ହୋଇଛି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର । ୨୦୧୭-୧୮ ଓ ୨୦୧୮-୧୯ ଦୁଇ ବର୍ଷ ପାଇଁ ନୃତ୍ୟ, ସଙ୍ଗୀତ, ନାଟ୍ୟକଳା କ୍ଷେତ୍ରରେ ବିଶେଷ ଅବଦାନ ଥିବା ରାଜ୍ୟର କଳା ସାଧକ, ସାଧିକାମାନଙ୍କର ଆଜୀବନ ସାଧନା ପାଇଁ ଏକାଡେମୀ ସର୍ବୋଚ୍ଚ ସମ୍ମାନ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ ଓ ‘ଏକାଡେମୀ ପୁରସ୍କାର’ ପ୍ରଦାନ ନିମନ୍ତେ ନାମ ଘୋଷଣା ହୋଇଛି । ୨୦୧୭-୧୮ ବର୍ଷ ପାଇଁ ଓଡ଼ିଶୀ କଣ୍ଠ ସଙ୍ଗୀତରେ କଟକ ଜିଲ୍ଲାର ଡ. ଶ୍ୟାମାମଣି ଦେବୀ ଏବଂ ୨୦୧୮-୧୯ ବର୍ଷ ପାଇଁ ଦାସକାଠିଆରେ ଗଞ୍ଜାମ ଜିଲ୍ଲାର ଉପେନ୍ଦ୍ର କୁମାର ପାଣିଗ୍ରାହୀଙ୍କୁ ଏକାଡେମୀ ସର୍ବୋଚ୍ଚ ସମ୍ମାନ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି । ଉଭୟଙ୍କୁ ପୁରସ୍କାର ସ୍ୱରୂପ ମାନପତ୍ର, ଅଙ୍ଗବସ୍ତ୍ର ଓ ୧ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯିବ । ଏଥିସହିତ ଦୁଇ ବର୍ଷ ପାଇଁ ଏକାଡେମୀ ପୁରସ୍କାର ବି ଘୋଷଣା ହୋଇଛି । ୧୫ଟି ବିଭାଗରେ ୧୬ ଜଣ ଲେଖାଏଁ ଦୁଇ ବର୍ଷ ଲାଗି ୩୨ ଜଣଙ୍କୁ ପୁରସ୍କୃତ କରାଯିବ । ପ୍ରତି ବିଭାଗରେ ଗୋଟିଏ ପୁରସ୍କାର ଦିଆଯାଉଥିବାବେଳେ ନାଟକ ବିଭାଗରେ ୨ଟି ପୁରସ୍କାର ପ୍ରଦାନ କରାଯାଉଛି । ଏଥିପାଇଁ ମନୋନୀତ ପ୍ରତିଭାଙ୍କୁ ମାନପତ୍ର, ଅଙ୍ଗବସ୍ତ୍ର ଓ ୫୦ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯିବ । ଘୋଷଣା ପରେ ଏକାଡେମୀ ସଚିବ ଗୁରୁ ଡ. ବିଜୟ କୁମାର ଜେନା କହିଛନ୍ତି, ଖୁବ୍ଶୀଘ୍ର ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ଏକ ସ୍ୱତନ୍ତ୍ର ଓ ବର୍ଣ୍ଣାଢ଼୍ୟ ଉତ୍ସବରେ ପ୍ରତିଭାମାନଙ୍କୁ ପୁରସ୍କୃତ କରାଯିବ ।
୨୦୧୭-୧୮ ମସିହା ପାଇଁ ‘ଏକାଡେମୀ ପୁରସ୍କାର’ ପାଉଥିବା କଳାକାରଙ୍କ ମଧ୍ୟରେ ଓଡ଼ିଶୀ କଣ୍ଠ ସଙ୍ଗୀତରେ ଭୁବନେଶ୍ୱରର ଶାନ୍ତିଲତା ବାରିକ୍ ଛୋଟରାୟ, ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ରାଉରକେଲାର ଅଳକା ଚାନ୍ଦ, ଯନ୍ତ୍ର ସଙ୍ଗୀତ (ସୁଶୁରୀ/ତାର)ରେ କଟକର ରବିଶଙ୍କର ପ୍ରଧାନ, ଯନ୍ତ୍ର ସଙ୍ଗୀତ (ଆନଦ୍ଧ ତାଳ)ରେ ପୁରୀର କାଳନ୍ଦୀ ଚରଣ ପରିଡ଼ା, ସୁଗମ ସଙ୍ଗୀତରେ ଭୁବନେଶ୍ୱରର ଡ. ସୁଧା ମିଶ୍ର, ଲୋକ ବାଦ୍ୟରେ ବଲାଙ୍ଗୀରର ଆଲୋକ ପ୍ରକାଶ ଦାସ, ଲୋକ ସଙ୍ଗୀତରେ କେନ୍ଦୁଝରର ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ନାଟ୍ୟ ରଚନାରେ ବାଲେଶ୍ୱରର ହେମେନ୍ଦ୍ର ମହାପାତ୍ର, ଅଭିନୟରେ (୨ଟି) ପୁରସ୍କାର ଭଦ୍ରକର ବୃନ୍ଦାବନ ବାରିକ ଓ ଭୁବନେଶ୍ୱରର ବିଦୁ୍ୟତ୍ପ୍ରଭା ପଟ୍ଟନାୟକ, ନାଟ୍ୟ ନିଦେ୍ର୍ଧଶନାରେ ଭୁବନେଶ୍ୱରର ପ୍ରସନ୍ନ ମିଶ୍ର, ମଞ୍ଚକଳାରେ ଅନ୍ତର୍ଯ୍ୟାମୀ ପଣ୍ଡା, ଓଡ଼ିଶୀ ନୃତ୍ୟରେ ଭୁବନେଶ୍ୱରର ବ୍ରଜକିଶୋର ମଲ୍ଲିକ, ଲୋକନୃତ୍ୟରେ ଭାଟକୁମରଡ଼ାର ନୀଳକଣ୍ଠ ତରେଇ, ଲୋକନାଟ୍ୟରେ ବରଗଡ଼ର ଡ. କେଶରଞ୍ଜନ ପ୍ରଧାନ, ଗୀତି କବିତାରେ କଟକର ମିନାକ୍ଷୀ ଦେବୀ ରହିଛନ୍ତି ।
୨୦୧୮-୧୯ ମସିହା ପାଇଁ ‘ଏକାଡେମୀ ପୁରସ୍କାର’ ପାଉଥିବା କଳାକାରଙ୍କ ମଧ୍ୟରେ ଓଡ଼ିଶୀ କଣ୍ଠ ସଙ୍ଗୀତରେ ଗଞ୍ଜାମର ସୀମାଞ୍ଚଳ ଦାସ, ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଭୁବନେଶ୍ୱରର ହରିହର ରଥ, ଯନ୍ତ୍ର ସଙ୍ଗୀତ (ସୁଶୁରୀ/ତାର)ରେ କେନ୍ଦ୍ରାପଡ଼ାର ରମେଶ ଚନ୍ଦ୍ର ଦାସ, ଯନ୍ତ୍ର ସଙ୍ଗୀତ (ଆନଦ୍ଧ ତାଳ)ରେ କଟକର ରାଧାକାନ୍ତ ନନ୍ଦ, ସୁଗମ ସଙ୍ଗୀତରେ ଭୁବନେଶ୍ୱରର ଗୀତା ଦାଶ, ଲୋକ ବାଦ୍ୟରେ ସମ୍ବଲପୁରର ସନ୍ତୋଷ ସୁନା, ଲୋକ ସଙ୍ଗୀତରେ ବଲାଙ୍ଗୀରର ବିଥିକା ଚାଟାର୍ଜୀ, ନାଟ୍ୟ ରଚନାରେ ଭଦ୍ରକର ଡ. ସୁଧାଂଶୁ ନାୟକ, ଅଭିନୟରେ (୨ଟି) ପୁରସ୍କାର ଭୁବନେଶ୍ୱରର ନିରଞ୍ଜନ ସାହୁ, ପୁରୀର ଲକ୍ଷ୍ମୀପ୍ରିୟା ମିଶ୍ର, ନାଟ୍ୟ ନିଦେ୍ର୍ଧଶନାରେ ଭୁବନେଶ୍ୱରର ହରେନ କୁମାର ସାହୁ, ମଞ୍ଚକଳାରେ ରେତଙ୍ଗର ସଂଗ୍ରାମ କେଶରୀ ମହାରଣା, ଓଡ଼ିଶୀ ନୃତ୍ୟରେ କଟକର ମୀରା ଦାସ, ଲୋକ ନୃତ୍ୟରେ ପୁରୀର ମାଗୁଣୀ ଜେନା, ଲୋକନାଟ୍ୟରେ ଭଦ୍ରକର ବିଜୟ କୁମାର ବହଳି, ଗୀତି କବିତାରେ ପୁରୀର ବଦ୍ରି ମିଶ୍ର ରହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons