ଷ୍ଟିଲିଂ ଇଣ୍ଡିଆ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମୋଦି ସରକାରରେ ଭାରତୀୟ ଅର୍ଥନୀତିରେ ଅଣାଯାଇଥିବା ନୂତନ ସଂସ୍କାର ଇସ୍ପାତ କ୍ଷେତ୍ରକୁ ସୁଦୃଢ଼ କରିବ । ସୋମବାର ନୂଆଦିଲ୍ଲୀଠାରେ ଭାରତୀୟ ଶିଳ୍ପ ମହାସଂଘ ପକ୍ଷରୁ ଆୟୋଜିତ ଷ୍ଟିଲିଂ ଇଣ୍ଡିଆ ସମ୍ମିଳନୀ-୨୦୧୯ରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି, ଦେଶର ବିକାଶରେ ଗ୍ରାମୀଣ ଭାରତ ମହତ୍ୱ ରଖୁଛି । ଅଭିବୃଦ୍ଧିଶୀଳ ଅର୍ଥନୀତି, ସରକାରୀ ଯୋଜନାର କ୍ରିୟାନ୍ୱୟନ ଏବଂ ବର୍ଦ୍ଧିତ ଆୟ ଗ୍ରାମାଞ୍ଚଳର ଇସ୍ପାତ ବ୍ୟବହାରକୁ ଗତି ଦେବ । ସରକାରୀ ଯୋଜନା ତଥା ସମସ୍ତ ଘରକୁ ଜଳ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି ଗ୍ରାମାଞ୍ଚଳରେ ଇସ୍ପାତ ବ୍ୟବହାରକୁ ବଢାଇବ । ସମସ୍ତଙ୍କୁ ପକ୍କା ଘର ଏବଂ ଘରେ ଘରେ ପାଇପ୍ ମାଧ୍ୟମରେ ପାନୀୟ ଜଳ ଉପଲବ୍ଧ କରିବା ସରକାରଙ୍କ ଲକ୍ଷ୍ୟ । ଏହା ଘରୋଇ ଇସ୍ପାତ ଶିଳ୍ପ ବିନା ଅସମ୍ଭବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ସେ ଆହୁରି କହିଛନ୍ତି, ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ବଜାର । ଭାରତୀୟଙ୍କ ଉଚ୍ଚ ଆକାଂକ୍ଷା ଏବଂ ବର୍ଦ୍ଧିତ କ୍ରୟ କ୍ଷମତା ଘରୋଇ ଶିଳ୍ପର ସମ୍ପ୍ରସାରଣ ଏବଂ ବିକାଶରେ ଅଦ୍ଭୁତପୂର୍ବ ସୁଯୋଗ ପ୍ରଦାନ କରୁଛି । ଭାରତର ମୁଣ୍ଡ ପିଛା ଇସ୍ପାତ ବ୍ୟବହାର ବର୍ତ୍ତମାନ ବିଶ୍ୱ ହାରାହାରି ତୁଳନାରେ ଅନେକ ମାତ୍ରାରେ କମ୍ ଅଛି ଏବଂ ଆଗାମୀ ଦିନରେ ବୃଦ୍ଧି ପାଇବାର କ୍ଷମତା ରଖୁଛି । ଇସ୍ପାତ କ୍ଷେତ୍ରର ବିକାଶ ପାଇଁ ଇସ୍ପାତି ଇରାଦା ଅଭିଯାନ ଆରମ୍ଭ କରାଯାଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ବିଶ୍ୱକୁ ଏକ ନୂଆ ଆକାର ଦେବାକୁ ଯାଉଛି ଇନୋଭେସନ୍ । ଭାରତର ଘରୋଇ ଶିଳ୍ପ ଗୁଡିକ ବର୍ତ୍ତମାନ ନୂଆ ନୂଆ ଟେକ୍ନୋଲୋଜିର ଲାଭ ଉଠାଇବାର ଆବଶ୍ୟକତା ରହିଛି । ଅପରପକ୍ଷରେ ସମସ୍ତଙ୍କୁ ସ୍ଥିର ମୂଲ୍ୟରେ ଇସ୍ପାତ ଦେବା ଓ ତାର୍କିକ ଦକ୍ଷତାର ସୁବିଧା ପାଇଁ ଆମେ କାମ କରୁଛୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ପୂର୍ବ ଭାରତରେ ସିନ୍ଗ୍ୟାସ ପ୍ଲାଣ୍ଟ ନିର୍ମାଣ ପାଇଁ ସରକାରୀ ଓ ବେସରକାରୀ କର୍ମଚାରୀ କାର୍ଯ୍ୟରତ । ଏହା ଘରୋଇ ଇସ୍ପାତ ନିର୍ମାଣରେ ସହାୟକ ହେବ ବୋଲି ସେ କହିଛନ୍ତି । ସେହିପରି କୋକିଂ କୋଲ୍ ଯୋଗାଣରେ ବିବିଧତା ମଧ୍ୟ ପ୍ରାଥମିକତା କ୍ଷେତ୍ର ମଧ୍ୟରୁ ଅନ୍ୟତମ । ବିଗତ କିଛି ମାସରେ କୋକିଂ କୋଲର ଆମଦାନିରେ ବିବିଧତା ଆଣିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ଭାରତରେ ଇସ୍ପାତ କ୍ଷେତ୍ରର ବିକାଶ ପାଇଁ ଅପାର ସମ୍ଭାବନା ରହିଛି । ଟେକ୍ନୋଲୋଜି, ଇନୋଭେସନ ଏବଂ ବୈଜ୍ଞାନିକ ପଦ୍ଧତି ଦ୍ୱାରା ଏହି କ୍ଷେତ୍ରର ମାର୍ଗ ପ୍ରଶସ୍ତ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସେହିପରି ଇସ୍ପାତ ନିର୍ମାଣ ଦକ୍ଷତାର ବିକାଶ ଏବଂ ଉତ୍ପାଦନ ମୂଲ୍ୟକୁ ହ୍ରାସ କରିବା ପାଇଁ ଗବେଷଣା କରିବା ଲାଗି ଭାରତୀୟ ଶିଳ୍ପ ମହାସଂଘକୁ ସେ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons