ଜଗତସିଂହପୁର,(ବି.ବି.ନୁ୍ୟଜ୍): ଜହ୍ନାପାଳ ଗ୍ରାମର ଜଣେ ଯୁବକଙ୍କୁ ଆଜି ଗାଁ ମାଇନର ସ୍କୁଲ ପାଖରେ ଆଖିବୁଜା ମାଡ଼ ମରାଯାଇଛି । ଗାଁର ଏକ ପରିବାର ସଂଘବଦ୍ଧ ଭାବେ ସଂପୃକ୍ତ ଯୁବକଙ୍କୁ ଏକ ଷ୍ଟ୍ରିଟ୍ ଲାଇଟ୍ ଖୁଣ୍ଟରେ ବାନ୍ଧି ବେଲ୍ଚା, ଲୁହା ରଡ୍ ଓ ଠେଙ୍ଗାରେ ନିସ୍ତୁକ ପିଟିଥିଲେ । ମାଡ଼ରେ ଯୁବକଙ୍କ ମୁଣ୍ଡ, ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ବର୍ବରତାର ସମସ୍ତ ସୀମା ଲଂଘିବା ସହ ଆଇନକୁ ହାତକୁ ନେଇ କରାଯାଇଥିବା ଏଭଳି ଆକ୍ରମଣର ପ୍ରତିବାଦ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁÂାନ ପାଇଁ କୁଜଙ୍ଗ ଥାନାରେ ଏତଲା ଦେଇଛନ୍ତି ଆହତ ଯୁବକଙ୍କ ବାପା ତପନ ମଲ୍ଲିକ । ଏତଲାରେ ଆକ୍ରମଣକାରୀ ପରିବାର ପକ୍ଷରୁ ଜାତିଆଣ ଆକ୍ଷେପ କରାଯାଇଥିବା କଥା ଉଲ୍ଲେଖ କରାଯିବା ସହ ପୁଅକୁ ପରିସ୍ରା ପିଆଯାଇଥିବା ଅଭିଯୋଗ ମଧ୍ୟ ଅଣାଯାଇଛି । ଅନ୍ୟପକ୍ଷରେ, ମାଡ଼ ମାରିଥିବା ଅଭିଯୋଗରେ ପୁଲିସ ବାପା-ପୁଅଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି । ଅଭିଯୁକ୍ତ ଦୁହେଁ ହେଲେ ନିକୁଞ୍ଜ ଚୌଧୁରୀ ଓ ତାଙ୍କ ପୁଅ ସବ୍ୟସାଚୀ ଚୌଧୁରୀ । କମେଣ୍ଟ୍ ମରା, ପୂର୍ବ ଶତ୍ରୁତା କିମ୍ବା ଅନ୍ୟ କୌଣସି କାରଣକୁ କେନ୍ଦ୍ର କରି ଏହି କାଣ୍ଡ ଘଟିଥିବା କୁହାଯାଉଛି ।
ପୁଲିସରେ ହୋଇଥିବା ଅଭିଯୋଗ ଓ ମିଳିଥିବା ଖବର ମୁତାବକ, ଆଜି ଦିନ ୧୧ଟାରେ ପଙ୍କପାଳ (ବଣିକୁଦ) ଗ୍ରାମର ନିକୁଞ୍ଜ ଚୌଧୁରୀ, ତାଙ୍କ ପୁଅ ସବ୍ୟସାଚୀ, ଦୁଇ ଝିଅ ଓ ପତ୍ନୀ ସଂଘବଦ୍ଧ ଭାବେ ତପନ ମଲ୍ଲିକଙ୍କ ପୁଅ ପ୍ରସନ୍ନଙ୍କୁ ନିର୍ଘାତ ମାଡ଼ ମାରି ଷ୍ଟ୍ରିଟ୍ ଲାଇଟ୍ ଖୁଣ୍ଟରେ ବାନ୍ଧି ପକାଇଥିଲେ । ଆକ୍ରମଣରେ ପ୍ରସନ୍ନଙ୍କ ମୁଣ୍ଡ ଫାଟିବା ସହ ହାତ ଜଖମ ହୋଇଛି । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ପ୍ରସନ୍ନ ଖୁଣ୍ଟରେ ବନ୍ଧା ହୋଇଥିବାର ଭିଡିଓ ଏବେ ଭାଇରାଲ୍ ହୋଇ ଘୂରିବୁଲୁଛି । ଉକ୍ତ ଭିଡିଓରେ ଜଣେ ଆକ୍ରମଣକାରୀ ପ୍ରସନ୍ନଙ୍କ ମୁଣ୍ଡରେ ପାଣି ଢ଼ାଳିବା ସମୟରେ ଗୋଡ଼ ହାତ ଭାଙ୍ଗି ଚୂନା କରିଦେବାର ଧମକ ଦେଉଛିି । କେହି ମୁକୁଳାଇବାକୁ ଆସିଲେ ତାଙ୍କୁ ମଧ୍ୟ ପିଟାଯିବ ବୋଲି ନାଲିଆଖି ଦେଖାଉଥିବାର ଦୃଶ୍ୟ ନଜରକୁ ଆସିଛି । ଏମିତିକି ମରଣାନ୍ତକ ଆକ୍ରମଣରେ ଆହତ ପ୍ରସନ୍ନ ପିଇବା ପାଇଁ ପାଣି ମାଗିବା ପରେ ପରିସ୍ରା କରିକି ଦେବି, ପିଇବୁ ବୋଲି ତାଚ୍ଛଲ୍ୟ କରାଯାଉଥିବା ଭିଡିଓରୁ ବାରି ହୋଇପଡ଼ିଛି ।
ବିଚ୍ ରାସ୍ତାରେ ପ୍ରସନ୍ନଙ୍କୁ ଏଭଳି ନିର୍ଯାତନା ଦିଆଯିବା ସମୟରେ ଅନେକ ଦେଖଣାହାରୀ ସେଠାରେ ଉପସ୍ଥିତ ଥିଲେ । ଅଥଚ କେହି ହସ୍ତକ୍ଷେପ କରି ନଥିଲେ । ପରବର୍ତ୍ତୀ ସମୟରେ ଏତଲାକାରୀ ତପନଙ୍କ ସାନ ପୁଅ, ପତ୍ନୀ ଓ ସାନ ବୋହୂ ଯାଇ ପ୍ରସନ୍ନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରିଥିଲେ । ତେବେ ଉଦ୍ଧାର ସମୟରେ ମଧ୍ୟ ଆକ୍ରମଣକାରୀମାନେ ପ୍ରସନ୍ନଙ୍କ ପରିବାରକୁ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରିଥିଲେ । ପୂର୍ବରୁ ଟ୍ରାକ୍ଟରରେ ଶ୍ରମିକ ଭାବେ କାମ କରିବାକୁ ନିକୁଞ୍ଜଙ୍କ ପକ୍ଷରୁ ପ୍ରସନ୍ନଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ହେଲେ ପ୍ରସନ୍ନ ଏଥିରେ ରାଜି ହୋଇ ନଥିଲେ । ସମ୍ଭବତଃ ଏହି କାରଣରୁ ଆଜି ଏହି ପରିବାର ପକ୍ଷରୁ ଏଭଳି ବର୍ବର ଆକ୍ରମଣ କରାଯାଇଥିବା କୁଜଙ୍ଗ ଥାନାରେ ଅଭିଯୋଗ କରିଛନ୍ତି ତପନ । ଅପରପକ୍ଷେ, ଏହି ଘଟଣାରେ ନିକୁଞ୍ଜଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି । କମେଣ୍ଟ୍ ମରା କିମ୍ବା ଅନ୍ୟ କୌଣସି କାରଣରୁ ନିକୁଞ୍ଜ ପ୍ରଥମେ ପ୍ରସନ୍ନଙ୍କୁ ବିରୋଧ କରିଛନ୍ତି । ହେଲେ ପ୍ରସନ୍ନ କୌଣସି କାରଣରୁ ନିକୁଞ୍ଜଙ୍କୁ ଚାଲେଞ୍ଜ୍ କରିବା ପରେ ସମ୍ଭବତଃ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି । ତେବେ ନିକୁଞ୍ଜଙ୍କ ପରିବାର ନିଜ ଆଡ଼ୁ ଆଇନକୁ ହାତକୁ ନେଇ ଖୁଣ୍ଟରେ ପ୍ରସନ୍ନଙ୍କୁ ବାନ୍ଧି ପକାଇ ପ୍ରାଣାନ୍ତକ ଆକ୍ରମଣ କରିବା ଘଟଣା ଅଞ୍ଚଳରେ ଆଲୋଡ଼ନ ଖେଳାଇଛି । ଯେହେତୁ ଭିଡିଓ ଭାଇରାଲ୍ ହୋଇଛି, ସେ ଦୃଷ୍ଟିରୁ କୁଜଙ୍ଗ ପୁଲିସ କିମ୍ବା ତିର୍ତ୍ତୋଲ ଏସ୍ଡିପିଓ ଏହି ସମ୍ବେଦନଶୀଳ ଜାତିଆଣ ଆକ୍ଷେପ ଓ ଆକ୍ରମଣ ମାମଲାରେ କେଉଁ ଢଙ୍ଗରେ କାର୍ଯ୍ୟାନୁÂାନ ଗ୍ରହଣ କରୁଛନ୍ତି ତାହା ଦେଖିବା ବାକି ରହିଛି ।
Comments are closed, but trackbacks and pingbacks are open.