ସଂଜୀବ ଚୋପ୍ରା ଗୃହ ସଚିବ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ସ୍ତରରେ ଆଜି ପୁଣି ଅଦଳବଦଳ କରିଛନ୍ତି । ଶିଳ୍ପ ବିଭାଗ ପ୍ରମୁଖ ସଚିବ ସଂଜୀବ ଚୋପ୍ରାଙ୍କୁ ଗୃହ ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଦେଇଛନ୍ତି । ସେ ନିଜ ଦାୟିତ୍ୱ ସହ ଅତିରିକ୍ତ ଭାବେ ଗୃହ ବିଭାଗର ଭାର ସମ୍ଭାଳିବେ । ସେହିଭଳି କୃଷି ଉତ୍ପାଦନ କମିଶନର ପଦବିରୁ ଇସ୍ତଫା ଦେଇଥିବା ଗଗନ କୁମାର ଧଳଙ୍କୁ ସରକାର ବୁଝାସୁଝା କରିବାରେ ସକ୍ଷମ ହୋଇଛନ୍ତି । ତାଙ୍କ ସ୍ୱେଛାକୃତ ଅବସର (ଭିଆରଏସ୍) ଆବେଦନକୁ ଅଗ୍ରାହ୍ୟ କରି ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଏହି ଅଧ୍ୟକ୍ଷ ପଦବିକୁ ସରକାର ମୁଖ୍ୟ ଶାସନ ସଚିବ ପାହ୍ୟାର ବୋଲି ମଧ୍ୟ ଘୋଷଣା କରିଛନ୍ତି ।
ସରକାର ଆଜି ଜାରି କରିଥବା ବିଜ୍ଞପ୍ତି ଅନୁସାରେ, ମୁଖ୍ୟ ଶାସନ ସଚିବ ନିଯୁକ୍ତ ହେବା ପରେ ଅସିତ ତ୍ରିପାଠୀଙ୍କ ନିକଟରେ ଥିବା ଗୃହ ବିଭାଗ ଦାୟିତ୍ୱ ଶ୍ରୀ ଚୋପ୍ରାଙ୍କୁ ଦିଆଯାଇଛି । ସେହିଭଳି ତାଙ୍କ ନିକଟରେ ଅତିରିକ୍ତ ଭାବେ ଥିବା କେବିକେ ମୁଖ୍ୟ ପ୍ରଶାସକ ଦାୟିତ୍ୱ ମଧ୍ୟ ହସ୍ତାନ୍ତର କରାଯାଇଛି । ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ ସୁଦର୍ଶନ ପାଲ ଠାକୁର କେବିକେ ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ । ଉନ୍ନୟନ କମିଶନର ସୁରେଶ ମହାପାତ୍ର ଯୋଜନା ଓ ସଂଯୋଜନ ବିଭାଗ ଦାୟିତ୍ୱ ତୁଲାଇବେ । ଏହାଛଡ଼ା ସେ ଅତିରିକ୍ତ ଭାବେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାର ସମ୍ଭାଳିବେ ।
ଗଗନ ଧଳଙ୍କ ନିକଟରେ ଥିବା କୃଷି ଉତ୍ପାଦନ କମିଶନର ଦାୟିତ୍ୱ ଆଇଏଏସ୍ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ମିଳିଛି । ସେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ । ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଡ.ମୋନା ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ନିଯୁକ୍ତି ମିଳିଛି । ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ମନୋଜ କୁମାର ମିଶ୍ରଙ୍କୁ ଇଲେକଟ୍ରୋନିକ୍ସ ଓ ଆଇଟି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ସରକାର । ଇଲେକଟ୍ରୋନିକ୍ସ ଓ ଆଇଟି ବିଭାଗର ସ୍ୱତନ୍ତ୍ର ସଚିବ ରୁଦ୍ର ନାରାୟଣ ପଲାଇଙ୍କୁ ବଦଳି କରି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ସରକାର ନିଯୁକ୍ତି ଦେଇଛନ୍ତି ।
ଉଲ୍ଳେଖଯୋଗ୍ୟ, ସଂପ୍ରତି ରାଜ୍ୟ ଆଇଏଏସ କ୍ୟାଡରରେ ବରିଷ୍ଠ ଶ୍ରୀ ଧଳ ସରକାରି ଚାକିରିରୁ ଅବସର ନେବାକୁ ଭିଆରଏସ୍ ଆବେଦନ କରିଥିଲେ । ତାଙ୍କଠାରୁ କନିଷ୍ଠ ଅସିତ ତ୍ରିପାଠୀ ଓ ସୁରେଶ ମହାପାତ୍ରଙ୍କୁ ଯଥାକ୍ରମେ ମୁଖ୍ୟସଚିବ ଓ ଉନ୍ନୟନ କମିଶନର ପଦବି ମିଳିବାରେ ଅପମାନିତ ହୋଇ ସେ ଚାକିରିରୁ ଇସ୍ତଫା ଦେବାକୁ ଚାହିଁଥିଲେ ବୋଲି ପାୱାର କରିଡରରେ ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ଶ୍ରୀ ଧଳଙ୍କୁ ସରକାର ବୁଝାସୁଝା କରି ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫଡିସି) ଅଧ୍ୟକ୍ଷ ପଦରେ ନିଯୁକ୍ତି ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons