ସଂରକ୍ଷଣ ମୌଳିକ ଅଧିକାର ନୁହେଁ

Get real time updates directly on you device, subscribe now.

ନୂଆଦିଲ୍ଲୀ: ସଂରକ୍ଷଣ କୌଣସି ବ୍ୟକ୍ତିର ମୌଳିକ ଅଧିକାର ନୁହେଁ । ସରକାରୀ ଚାକିରରେ ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀଙ୍କୁ ପଦୋନ୍ନତି ଦେବା ପାଇଁ ସରକାର ବାଧ୍ୟ ନୁହନ୍ତି ବୋଲି ସୁପି୍ରମକୋର୍ଟ ଶୁକ୍ରବାର ମତବ୍ୟକ୍ତ କରିଛନ୍ତି । ଏଥିସହ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ସଂରକ୍ଷଣ ଦେବା ଲାଗି କୌଣସି କୋର୍ଟ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେଇପାରିବେ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଦେଇଛନ୍ତି ।
ବିଚାରପତି ଏଲ୍. ନାଗେଶ୍ୱର ରାଓ ଓ ବିଚାରପତି ହେମନ୍ତ ଗୁପ୍ତା କହିଛନ୍ତି ଯେ ସମ୍ବିଧାନର ଧାରା ୧୬-୪, ୧୬-୪(କ)ରେ ରାଜ୍ୟ ସରକାରଙ୍କୁ କ୍ଷମତା ଦିଆଯାଇଛି । ରାଜ୍ୟ ସରକାରମାନେ ଚାକିରି କିମ୍ବା ପଦୋନ୍ନତିରେ ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱ ମିଳିଛି କି ନାହିଁ ତାହାର ତଥ୍ୟ ସଂଗ୍ରହ କରିବା ପରେ ତାକୁ ବିଚାରକୁ ନେଇ ସଂରକ୍ଷଣ ଦେବେ କି ନାହିଁ ତାହା ସେମାନେ ସ୍ଥିର କରିଥାନ୍ତି । କିନ୍ତୁ ରାଜ୍ୟ ସରକାରମାନେ ସଂରକ୍ଷଣ ଦେବାକୁ ବାଧ୍ୟ ନୁହନ୍ତି । ପଦୋନ୍ନତିରେ ସଂରକ୍ଷଣ ପାଇବା ନିଜର ମୌଳିକ ଅଧିକାର ବୋଲି କୌଣସି ବ୍ୟକ୍ତି ଦାବି କରିପାରିବ ନାହିଁ । ରାଜ୍ୟ ସରକାରଙ୍କୁ ମଧ୍ୟ ଏହି ମାମଲାରେ କୋର୍ଟ କୌଣସି ପରମ ଆଦେଶ ଦେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ରାଜ୍ୟ ସରକାରମାନେ ଯଦି ଅନୁସୂଚିତ ଜାତି ଓ ଜନଜାତିଙ୍କୁ ସଂରକ୍ଷଣ ଦେବାକୁ ଚାହାନ୍ତି ତେବେ ଚାକିରିରେ ସେମାନଙ୍କର ଉପଯୁକ୍ତ ପ୍ରତିନିଧିତ୍ୱ ଅଛି କି ନାହିଁ ତାହା ଦେଖିବା ଲାଗି ସେମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିପାରିବେ । ସଂରକ୍ଷଣକୁ ବିରୋଧ କରି ଯଦି କୋର୍ଟକୁ କୌଣସି ମାମଲା ଆସେ ତେବେ ରାଜ୍ୟ ସରକାର ସେହି ତଥ୍ୟ ଦାଖଲ କରି ସଂରକ୍ଷଣ ସପକ୍ଷରେ ନିଜର ମତ ରଖିପାରିବେ । ସଂରକ୍ଷଣ ମାମଲାରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଯାଞ୍ଚ କରିବା କ୍ଷମତା କୋର୍ଟଙ୍କର ସୀମିତ ।
ଉତ୍ତରାଖଣ୍ଡ ସରକାରଙ୍କ ପୂର୍ତ୍ତ ବିଭାଗରେ ସହକାରୀ ଯନ୍ତ୍ରୀ ପଦବିରେ ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀଙ୍କ ପଦୋନ୍ନତି ସଂକ୍ରାନ୍ତ କେତେକ ମାମଲାର ଶୁଣାଣି କରିବା ବେଳେ ସର୍ବୋଚ୍ଚ ଅଦାଲତ ଏହି ମତପୋଷଣ କରିଛନ୍ତି । ଉତ୍ତରାଖଣ୍ଡ ସରକାର ପଦୋନ୍ନତିରେ ସଂରକ୍ଷଣ ଦେବାକୁ ମନା କରିଦେବା ପରେ କିଛି ପ୍ରାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ପ୍ରଥମେ ଚାକିରି କିମ୍ବା ପଦୋନ୍ନତି କ୍ଷେତ୍ରରେ ଅନୁସୂଚିତ ଜାତି ଓ ଜନଜତି ପ୍ରାର୍ଥୀଙ୍କର ଉପଯୁକ୍ତ ପ୍ରତିନିଧିତ୍ୱ ରହିଛି କି ନାହିଁ ତାହାର ତଥ୍ୟ ସଂଗ୍ରହ କରି ନିଷ୍ପତ୍ତି ନେବାକୁ ସରକାରଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଏଥିସହିତ ଭବିଷ୍ୟତରେ ଯେତେ ସହକାରୀ ଯନ୍ତ୍ରୀ ପଦବି ଖାଲି ପଡିବ ସେଥିରେ ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀଙ୍କୁ ପଦୋନ୍ନତି ଦେବାକୁ ହାଇକୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଫଳରେ ରାଜ୍ୟ ସରକାର ହାଇକୋର୍ଟଙ୍କ ଏହି ରାୟକୁ ସୁପି୍ରମକୋର୍ଟରେ ଚାଲେଞ୍ଜ କରିଥିଲେ । ସୁପି୍ରମକୋର୍ଟ ହାଇକୋର୍ଟଙ୍କ ଉଭୟ ରାୟକୁ ଖାରଜ କରିବା ଅବସରରେ ଏଭଳି ମତାମତ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons