ସଂସଦରେ ଅଶାଳୀନ ମନ୍ତବ୍ୟ:ଦୁଇ ଥର କ୍ଷମା ମାଗିଲେ ଆଜମ୍ ଖାନ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଲୋକସଭାର ଅଧ୍ୟକ୍ଷତା କରୁଥିବା ମହିଳା ସାଂସଦ ରମା ଦେବୀଙ୍କ ପ୍ରତି ଦେଇଥିବା ଅଶାଳୀନ ମନ୍ତବ୍ୟ ନିମନ୍ତେ ସମାଜବାଦୀ ପାର୍ଟି ସାଂସଦ ଆଜମ୍ ଖାନ୍ ସୋମବାର ଗୃହରେ କ୍ଷମାପ୍ରାର୍ଥନା କରିଛନ୍ତି । ବାଚସ୍ପତି ଓମ୍ ବିରଲାଙ୍କ ନିର୍ଦ୍ଦେଶ କ୍ରମେ ଥରୁଟିଏ ନୁହେଁ ବରଂ ଦୁଇଦୁଇ ଥର ଆଜମ୍ଙ୍କୁ କ୍ଷମା ମାଗିବାକୁ ପଡ଼ିଛି । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଆଜମ୍ ନିଜ ଆସନରୁ ଠିଆ ହୋଇ କହିଥିଲେ, ‘ମୁଁ ଚାରିଚାରି ଥର ମନ୍ତ୍ରୀ ହୋଇଛି । ୯ ଥର ବିଧାୟକ ହୋଇଛି । ରାଜ୍ୟସଭା ସଦସ୍ୟ ହୋଇଛି । ମୋର ଭାଷଣ ଏବଂ ଆଚରଣ ସମ୍ପର୍କରେ ସମ୍ପୂର୍ଣ୍ଣ ସଂସଦ ଜାଣିଛି…ଏହା ପରେ ବି ଯଦି ବାଚସ୍ପତିଙ୍କୁ ଲାଗୁଛି ଯେ ମୋ ଦ୍ୱାରା କିଛି ଭୁଲ ହୋଇଛି ତେବେ ମୁଁ ଏଥିପାଇଁ କ୍ଷମା ଚାହୁଁଛି’ । କିନ୍ତୁ ଆଜମ ସିଧାସଳଖ ଭାବେ କ୍ଷମା ନ ମାଗି ଏଭଳି ଅତିରଞ୍ଜିତ କରି କ୍ଷମା ମାଗିଥିବାରୁ ଏହାକୁ ବିରୋଧ କରି ଗୃହ ମଧ୍ୟରେ ପୁଣିଥରେ ହଙ୍ଗାମା ଆରମ୍ଭ ହୋଇାଯାଇଥିଲା ।
ଆଜମ୍ଙ୍କ କ୍ଷମାପ୍ରାର୍ଥନାରେ ରମା ଦେବୀ ମଧ୍ୟ ସନ୍ତୁଷ୍ଟ ହୋଇ ନଥିଲେ । ସେ କହିଥିଲେ ଯେ, ‘ଆଜମ୍ ପ୍ରଥମଥର ପାଇଁ ଏଭଳି କହିନାହାନ୍ତି । ବରଂ ଏହା ତାଙ୍କର ଅଭ୍ୟାସ । ତାଙ୍କର ଅଭ୍ୟାସ ଏତେ ଖରାପ ଯେ, ସେ କେବଳ ଗୃହ ମଧ୍ୟରେ ନୁହେଁ ବାହାରେ ମଧ୍ୟ ଏଭଳି ବୟାନ ଦେଇଥାନ୍ତି’ । ଏହି ଅବସରରେ ଅଖିଳେଶ ଆଜମ୍ଙ୍କ ସପକ୍ଷରେ ବୟାନ ଦେବା ପାଇଁ ଠିଆ ହେବାରୁ ତାଙ୍କୁ ମଧ୍ୟ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା ।
ପରେ ବାଚସ୍ପତି ବିର୍ଲା ଆଜମ୍ଙ୍କୁ ପୁଣିଥରେ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଇଥିଲେ । ବାଚସ୍ପତିଙ୍କ ନିର୍ଦ୍ଦେଶକ୍ରମେ ଆଜମ୍ ପୁଣିଥରେ କ୍ଷମା ମାଗି କହିଥିଲେ କି ମୁଁ ଆଗରୁ ମଧ୍ୟ କହିଥିିଲି ରମା ଦେବୀ ମୋର ଭଉଣୀ ଭଳି । କୌଣସି ସଦସ୍ୟଙ୍କ ପ୍ରତି ମୋର ଖରାପ ଉଦ୍ଦେଶ୍ୟ ନାହିଁ । ଆଗରୁ କହିଥିଲି ଏବଂ ଏବେ ପୁଣି ଥରେ କହୁଛି ଯେ ମୋ ଯୋଗୁ ଯଦି କେହି କଷ୍ଟ ପାଇଥାନ୍ତି, ତାହାହେଲେ ମୁଁ ସେଥିପାଇଁ ଦୁଃଖିତ । ମୋତେ କ୍ଷମା କରିଦିଅନ୍ତୁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons