ଆଜି ନିଗମବୋଧ ଘାଟରେ ଶେଷକୃତ୍ୟ
ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କର ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । କିଛିଦିନ ହେଲା ସେ ଅସୁସ୍ଥ ଥିଲେ । ତାଙ୍କ ପତ୍ନୀ ସଙ୍ଗୀତା, ଝିଅ ସୋନାଲି ଓ ପୁଅ ରୋହନ ଅଛନ୍ତି । ଆସନ୍ତାକାଲି (ରବିବାର )ଅପରାହ୍ନରେ ଦିଲ୍ଲୀର ନିଗମବୋଧ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଗତ ୯ ତାରିଖରେ ଦିଲ୍ଲୀ ଏମ୍ସ (ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ)ରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ସେବେଠାରୁ ସେ ଆଇସିୟୁରେ ଜୀବନ ରକ୍ଷାକାରୀ ବ୍ୟବସ୍ଥାରେ ରହିଥିଲେ । ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ଗଠିତ ଏକାଧିକ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ । ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଓ ନେତା ତାଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତେ୍ୱ ଆଜି ଦିନ ୧୨ଟା ୭ ମିନିଟ୍ରେ ତାଙ୍କର ପରଲୋକ ଘଟିଥିଲା । ଏହି ଖବର ମିଳିବା ପରେ ଦେଶବ୍ୟାପୀ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ପ୍ରଧାନ ବିଚାରପତିଙ୍କ ସମେତ ବିଭିନ୍ନ ଦଳର ନେତା ଗଭୀର ଶୋକ ପ୍ରକାଶ କରିଛନ୍ତି । ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଟେଲିଫୋନ୍ରେ ଜେଟ୍ଲୀଙ୍କ ପତ୍ନୀ ଓ ପୁଅଙ୍କ ସହିତ କଥାହୋଇ ସେମାନଙ୍କୁ ସମବେଦନା ଜଣାଇଛନ୍ତି । ବିଦେଶ ଗସ୍ତ ବାତିଲ ନକରିବା ଲାଗି ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ ମଧ୍ୟ ଜଣାଇଛନ୍ତି ।
ଜେଟ୍ଲୀଙ୍କ ମରଶରୀରକୁ ଏମ୍ସରୁ ଦିଲ୍ଲୀ କୈଳାସ କଲୋନୀସ୍ଥିତ ତାଙ୍କ ବାସଭବନକୁ ନିଆଯାଇଥିଲା । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର, ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ସମେତ ବହୁ ନେତା ତାଙ୍କୁ ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେଠାରେ ମରଶରୀରକୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ ରଖାଯିବ । ଏହା ପରେ ଦିଲ୍ଲୀ ବିଜେପି ମୁଖ୍ୟାଳୟକୁ ନିଆଯିବ । ସେଠାରେ ଦଳୀୟ ନେତା ଜେଟ୍୍ଲୀଙ୍କୁ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇବେ । ରବିବାର ଅପରାହ୍ନରେ ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ ଅନ୍ତିମ ସଂସ୍କାର ପାଇଁ ନିଆଯିବ ବୋଲି ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା କହିଛନ୍ତି ।

ଜଣେ ବକ୍ତା, ନେତା ଓ ଅଧିବକ୍ତା ଭାବେ ଜେଟ୍ଲୀ ପରିଚିତ ଥିଲେ । ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ୨୦୦୦ ମସିହାରେ ଜେଟ୍ଲୀ ପ୍ରଥମ କରି କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ । ୨୦୦୪ରୁ ୨୦୦୯ ଏନ୍ଡିଏ ସରକାର ବେଳେ ସେ ସୂଚନା ପ୍ରସାରଣ, ପୁଞ୍ଜି ପ୍ରତ୍ୟାହାର, ଆଇନ ଓ ନ୍ୟାୟ ଏବଂ କମ୍ପାନି ବ୍ୟାପାର ମନ୍ତ୍ରୀ ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇଥିଲେ । ୨୦୦୯ ଜୁନ୍ରୁ ସେ ରାଜ୍ୟସଭାରେ ବିରୋଧୀ ଦଳ ନେତା ରହିଥିଲେ । ୨୦୧୪ରେ ମୋଦି ସରକାରଙ୍କ ପ୍ରଥମ ପାଳିରେ ସେ ଅର୍ଥ ଓ ପ୍ରତିରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳି ଥିଲେ । ଜିଏସ୍ଟି ପ୍ରସଙ୍ଗରେ ସେ ଯେଭଳି ଭାବେ ସବୁ ରାଜ୍ୟର ଅର୍ଥମନ୍ତ୍ରୀଙ୍କୁ ଏକାଠି କରି ତାକୁ କାର୍ଯ୍ୟକାରୀ କରାଇବା ଲାଗି ରାଜି କରାଇଥିଲେ ତାହା ଅତ୍ୟନ୍ତ କଷ୍ଟକର ଥିଲା । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ମୋଦି ସରକାରଙ୍କ କୋର୍ ଟିମ୍ର ସେ ଅନ୍ୟତମ ସଦସ୍ୟ ଥିଲେ । କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ୨୦୧୯ ଲୋକସଭା ନିର୍ବାଚନ ସେ ଲଢ଼ିନଥିଲେ ।
୨୦୧୪ ସେପ୍ଟେମ୍ବରରେ ସେ ବାରିଆଟିକ ସର୍ଜିରୀ କରାଇଥିଲେ । ଗତବର୍ଷ ମେ’ରେ ଏମ୍ସରେ ତାଙ୍କର କିଡ୍ନୀ ପ୍ରତିରୋପଣ କରାଯାଇଥିଲା । ପେସାରେ ଆଇନଜୀବୀ ହୋଇଥିଲେ ମଧ୍ୟ ଜଟିଳ ରାଜନୈତିକ ପରିସ୍ଥିତିର ସଫଳ ମୁକାବିଲା କରିବା, ନିର୍ବାଚନ ଜିଣିବାର ରଣନୀତି ପ୍ରସ୍ତୁତ କରିବା ଓ ଆଇନଗତ ତରିକାରେ ବ୍ୟାବସାୟିକ ବିବାଦର ସମାଧାନ କରିବାରେ ମାହିର ଥିଲେ ଜେଟ୍ଲୀ । ସମସ୍ୟା ଯାହା ହେଉନା କାହିଁକି ସମାଧାନର ବାଟ ସେ ସର୍ବଦା ବାହାର କରିପାରୁଥିଲେ । ଆଇନଗତ ସମସ୍ୟା ହେଉ କିମ୍ବା ବିରୋଧୀଙ୍କ ଟାର୍ଗେଟ ହେଉ ସବୁଥରେ ସେ ସରକାରଙ୍କ ଆଗରେ ଢାଲ ଭାବେ ଠିଆ ହୋଇଥିଲେ । ଗୁଜରାଟରୁ ଦିଲ୍ଲୀ ପର୍ଯ୍ୟନ୍ତ ମୋଦିଙ୍କ ଯାତ୍ରାପଥରେ ସେ ସାରଥୀ ସାଜିଥିଲେ ।

ଆରଏସଏସ ପ୍ରଚାରକ ନରେନ୍ଦ୍ର ମୋଦିଙ୍କୁ ଗୁଜରାଟ ପଠାଇ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପଛରେ ମଧ୍ୟ ତାଙ୍କର ଭୂମିକା ଥିଲା । ଗୁଜରାଟରେ ମୋଦି-ଅମିତ ଶାହଙ୍କ ସମ୍ମୁଖରେ ଯେତେବେଳେ ବିପଦ ଆସିଛି, ଜେଟଲୀ ହିଁ ସେମାନଙ୍କୁ ସହାୟକ ହୋଇଛନ୍ତି । ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରାଯିବା ସମୟରେ ରାଜନାଥ ସିଂହ, ନିତିନ ଗଡକରୀ ଏବଂ ଶିବରାଜ ସିଂ ଚୌହାନଙ୍କୁ ଏଥିରେ ସହମତ କରାଇବା ପଛରେ ହିଁ ଜେଟଲୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ସେଥିପାଇଁ ତାଙ୍କୁ ସଙ୍କଟ ମୋଚକ ଓ ମୋଦିଙ୍କ ପ୍ରକୃତ ଚାଣକ୍ୟ ବୋଲି ମଧ୍ୟ ସମ୍ବୋଧନ କରାଯାଏ । ନମ୍ର ସ୍ୱଭାବ, ବିଚକ୍ଷଣ ବୁଦ୍ଧି ଓ ସଫଳ ରଣନୀତି ପାଇଁ ରାଜନୈତିକ ମହଲରେ ସେ ବିଦ୍ୱାନ ମନ୍ତ୍ରୀ ଭାବେ ପରିଚିତ ଥିଲେ । ଜୀବନର ଶେଷ ପର୍ଯ୍ୟନ୍ତ ବିଜେପିର ଅନେକ କ୍ୟାବିନେଟ ମନ୍ତ୍ରୀଙ୍କୁ ଆବଶ୍ୟକ ସମୟରେ ସେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଉଥିଲେ ।
୧୯୫୨ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା ଜେଟ୍ଲୀ ସେଣ୍ଟ ଜାଭିୟର୍ସ ସ୍କୁଲରେ ପାଠ ପଢ଼ିଥିଲେ । ୧୯୭୩ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନ ଶ୍ରୀରାମ କଲେଜ ଅଫ୍ କମର୍ସରୁ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହେବା ପରେ ୧୯୭୭ରେ ଆଇନରେ ଡିଗ୍ରୀ ହାସଲ କରିଥିଲେ । ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦର ସଦସ୍ୟ ରହି ସେ ୧୯୭୪ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ସଭାପତି ମଧ୍ୟ ନିର୍ବାଚିତ ହୋଇଥିଲେ । ଦେଶରେ ଜରୁରୀ ପରିସ୍ଥିତି ବେଳେ ଆନ୍ଦୋଳନରେ ସାମିଲ ହୋଇ ୧୯ମାସ ଜେଲ୍ ଯାଇଥିଲେ । ଆଇନ ବ୍ୟବସାୟକୁ ସେ ନିଜର ପେସା କରିଥିଲେ । କିନ୍ତୁ ଛାତ୍ର ଜୀବନରୁ ଧରିଥିବା ରାଜନୀତିକୁ ସେ ଛାଡ଼ିପାରି ନଥିଲେ । ସେ ୪ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୦-୨୦୧୮ ପର୍ଯ୍ୟନ୍ତ ଗୁଜରାଟରୁ ଏବଂ ୨୦୧୮ ଏପ୍ରିଲରୁ ଉତ୍ତରପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଲୋକସଭା ନିର୍ବାଚନ ନ ଜିତି ମଧ୍ୟ ସେ ଅନ୍ୟ ନେତାଙ୍କଠୁ ଉପରେ ରହିଥିଲେ ।

Comments are closed, but trackbacks and pingbacks are open.