ବେଙ୍ଗାଲୁରୁ: କର୍ଣ୍ଣାଟକରେ ଶାସକ କଂଗ୍ରେସ ଓ ଜେଡିଏସ୍ ମେଣ୍ଟର ୧୨ ଜଣ ବିଧାୟକ ଆଜି ଇସ୍ତଫା ଦେଇଛନ୍ତି । ଫଳରେ ମାତ୍ର ୧୩ ମାସର ଏଚ୍ଡି କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାର ଏବେ ସଙ୍କଟରେ ପଡିଛି । ଏହି ବିଧାୟକଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସର ୯ ଓ ଜେଡିଏସ୍ର ୩ । ସେମାନେ ବିଧାନସଭା ବାଚସ୍ପତି କେ.ଆର ରମେଶ କୁମାରଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ପୂର୍ବରୁ କଂଗ୍ରେସର ଦୁଇ ବିଧାୟକ ଆନନ୍ଦ ସିଂହ ଓ ରମେଶ ଜରକିହୋଲି ଇସ୍ତଫା ଦେଇଥିଲେ । ଫଳରେ ମେଣ୍ଟ ସରକାରରୁ ଇସ୍ତଫା ଦେଇଥିବା ବିଧାୟକଙ୍କ ସଂଖ୍ୟା ୧୪ରେ ପହଞ୍ôଚଛି ।
ପରେ ଏହି ବିଧାୟକମାନେ ରାଜଭବନ ଯାଇ ରାଜ୍ୟପାଳ ବାଜୁଭାଇ ରୁଦାଭାଇ ବାଲାଙ୍କୁ ଭେଟିଛନ୍ତି । ଯଦି ସେମାନଙ୍କ ଇସ୍ତଫାପତ୍ର ଗ୍ରହଣ କରାଯାଏ ତେବେ ୨୨୫ ଆସନ ବିଶିଷ୍ଟ ବିଧାନସଭାରେ କୁମାରସ୍ୱାମୀ ସରକାର ସଂଖ୍ୟା ଗରିଷ୍ଠତା ହରାଇବ । ମେଣ୍ଟ ବିଧାୟକଙ୍କ ସଂଖ୍ୟା ୧୦୪କୁ ଖସି ଆସିବ । ଗତବର୍ଷ ମେ ୨୩ରେ କୁମାରସ୍ୱାମୀ ମେଣ୍ଟ ସରକାର ଗଠନ କରିବା ପରଠାରୁ ଦୁଇଦଳ ଭିତରେ ବିବାଦ ଲାଗି ରହିଥିଲା । ଲୋକସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ଓ ରାଜ୍ୟରେ ବିଜେପି ପ୍ରତି ଲୋକପ୍ରିୟତା ବଢ଼ିବା ପରେ ସଙ୍ଗଟ ଘନୀଭୂତ ହୋଇଛି । ରାଜ୍ୟର ୨୮ଟି ଲୋକସଭା ଆସନରୁ କଂଗ୍ରେସ ଓ ଜେଡିଏସ୍ ମାତ୍ର ଗୋଟିଏ ଲେଖାଏଁ ପାଇଥିଲେ । ଅନ୍ୟପକ୍ଷରେ ବିଜେପି ୨୫ଟି ଆସନ ପାଇବା ସହ ଏହାର ସମର୍ଥନରେ ମାଣ୍ଡ୍ୟା ଆସନରୁ ଜଣେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।
ବାଚସ୍ପତିଙ୍କୁ ଇସ୍ତଫାପତ୍ର ପ୍ରଦାନ କରି ଫେରିବା ପରେ ଜେଡିଏସ୍ ବିଧାୟକ ଏ.ଏଚ୍ ବିଶ୍ୱନାଥ ସାମ୍ବାଦିକଙ୍କୁ କହିଛନ୍ତି ଯେ ସେମାନେ ୧୪ ଜଣ ବିଧାୟକ ବିଧାନସଭାରୁ ଇସ୍ତଫା ଦେଇଛନ୍ତି । ଇସ୍ତଫାପତ୍ର ବାଚସ୍ପତିଙ୍କୁ ପ୍ରଦାନ କରିଛନ୍ତି । କୁମାରସ୍ୱାମୀ ସରକାର ନିଜ କର୍ତ୍ତବ୍ୟ ସମ୍ପାଦନରେ ବିଫଳ ହୋଇଛନ୍ତି । ବିଧାୟକଙ୍କୁ ଏକାଠି ନେଇ ଚାଲିବାରେ କୁମାରସ୍ୱାମୀ ବିଫଳ ହେବା ସହ ରାଜ୍ୟବାସୀଙ୍କ ଆଶା ଓ ଆକାଂକ୍ଷା ପୂରଣ କରିପାରିନାହାନ୍ତି । ଅପରେସନ ଲୋଟସ ମାଧ୍ୟମରେ ସରକାର ଭାଙ୍ଗିବାକୁ ବିଜେପି ପ୍ରୟାସ କରୁଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । କହିଛନ୍ତି ଏହା ଭିତ୍ତିହୀନ ଓ ମନଗଢ଼ା । ସେମାନେ ନିଜ ଇଚ୍ଛାରେ ଇସ୍ତଫା ଦେଇଛନ୍ତି । ବିଜେପିର ଏଥିରେ କୌଣସି ହାତ ନାର୍ହିଁ । ସେମାନେ ସମସ୍ତେ ଦଳର ବରିଷ୍ଠ ସଦସ୍ୟ । ସେମାନେ ସରକାର ପ୍ରତି ଅସନ୍ତୁଷ୍ଟ ହୋଇ ଏଭଳି ପଦକ୍ଷେପ ନେଇଛନ୍ତି । ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରୁ କଂଗ୍ରେସର ୮ ଓ ଜେଡିଏସ୍ର ୩ ବିଧାୟକ ଆଜି ରାତିରେ ସ୍ୱତନ୍ତ୍ର ବିମାନରେ ମୁମ୍ବାଇ ଯାଇଥିବା ଜଣାପଡିଛି । କଂଗ୍ରେସର ଅନ୍ୟ ୩ ବିଧାୟକ ରାମଲିଙ୍ଗା ରେଡ୍ଡୀ, ଏସ୍.ଟି ସୋମାଶେଖର ଓ ମୁନିରତ୍ନ ବେଙ୍ଗାଲୁରୁରେ ରହିଛନ୍ତି ।
ବିଧାୟକମାନେ ଇସ୍ତଫା ଦେବାକୁ ଯିବା ବେଳେ ବାଚସ୍ପତି ତାଙ୍କ ଅଫିସରେ ଉପସ୍ଥିତ ନଥିଲେ । କିନ୍ତୁ ବିଧାୟକଙ୍କ ଇସ୍ତଫା ବିଷୟକୁ ସେ ସ୍ୱୀକାର କରିଛନ୍ତି । କହିଛନ୍ତି ୧୧ ଜଣ ବିଧାୟକଙ୍କ ଇସ୍ତଫାପତ୍ର ମିଳିଛି । ଆସନ୍ତା ମଙ୍ଗଳବାର ସେ ବିଧାନସଭାକୁ ଯିବେ । ଆଇନ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନେବେ । ସରକାର ରହିବ କି ଭାଙ୍ଗିବ ତାହା ବିଧାନସଭାରେ ସ୍ଥିର ହେବ । ଅନ୍ୟପକ୍ଷରେ ଶେଷ ମୁହୂର୍ତ୍ତରେ କଂଗ୍ରେସର ସଙ୍କଟ ମୋଚକ ଡି.କେ. ଶିବକୁମାର ଅସନ୍ତୁଷ୍ଟ ବିଧାୟକମାନଙ୍କୁ ମନାଇବାକୁ ପ୍ରୟାସ କରିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା । ୨୨୫ ଆସନ ବିଶିଷ୍ଟ ବିଧାନସଭାରେ ବିଜେପିର ସଦସ୍ୟ ସଂଖ୍ୟା ୧୦୬ ଥିଲା ବେଳେ କଂଗ୍ରେସର ୭୮, ଜେଡିଏସ୍ର ୩୭ ଏବଂ ବହୁଜନ ସମାଜ ପାର୍ଟିର ଜଣେ ଓ ଜଣେ ସ୍ୱାଧୀନ ସଦସ୍ୟ ଅଛନ୍ତି । ସେହିଭଳି ବାଚସ୍ପତି ଓ ଅନ୍ୟ ଜଣେ ମନୋନୀତ ସଦସ୍ୟ ମଧ୍ୟ ରହିଛନ୍ତି । ସରକାର ଗଠନ ଲାଗି ମ୍ୟାଜିକ ସଂଖ୍ୟା ହେଉଛି ୧୧୩ । କୁମାରସ୍ୱାମୀ ସରକାରର ସଂଖ୍ୟା ହେଉଛି ୧୧୮ । ସେଥିରେ କଂଗ୍ରେସର ୭୮, ଜେଡିଏସ୍ର ୩୭ ସଦସ୍ୟ ରହିଥିଲା ବେଳେ ବସପା ସଦସ୍ୟ ଓ ସ୍ୱାଧୀନ ସଦସ୍ୟ ମଧ୍ୟ ସରକାରଙ୍କୁ ସମର୍ଥନ କରୁଛନ୍ତି । ସେହିଭଳି ସରକାର ପ୍ରତି ମନୋନୀତ ସଦସ୍ୟଙ୍କ ସମର୍ଥନ ମଧ୍ୟ ରହିଛି ।
ଇତିମଧ୍ୟରେ ସଙ୍କଟ ଟାଳିବାକୁ ରାଜ୍ୟ କଂଗ୍ରେସ ପ୍ରଭାରୀ କେ.ସି. ବେଣୁଗୋପାଳ ଆଜି ବେଙ୍ଗାଲୁୁରୁରେ ପହଞ୍ôଚଛନ୍ତି । ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବାସଭବନକୁ ଯାଇ ବିଧାୟକମାନଙ୍କୁ ଭେଟିଛନ୍ତି । ସେହସିଭଳି ଦଳର ବରିଷ୍ଠ ନେତା ମଲିକାର୍ଜୁନ ଖରଗେ ମଧ୍ୟ ବେଙ୍ଗାଲୁରୁ ଆସୁଛନ୍ତି । ବିଦ୍ରୋହୀ ବିଧାୟକଙ୍କୁ ସେ ମନାଇବେ । ଅପରପକ୍ଷରେ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ. ୟେଦୁରପା କହିଛନ୍ତି ପରିସ୍ଥିତି ଉପରେ ସେ ନଜର ରଖିଛନ୍ତି । ସରକାର ଭାଙ୍ଗିଲେ ବିକଳ୍ପ ସରକାର ଗଠନ ଲାଗି ବିଜେପି ପ୍ରୟାସ କରିବ । କିନ୍ତୁ ରାଜ୍ୟରେ ସାନି ନିର୍ବାଚନ କରିବା ସପକ୍ଷରେ ଦଳ ନାହିଁ ବୋଲି ସେ କହିଛନ୍ତି । ତେବେ ସରକାର ଭାଙ୍ଗିବାକୁ ବିଜେପି କରୁଥିବା ଉଦ୍ୟମ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି ।
Comments are closed, but trackbacks and pingbacks are open.