ସଙ୍ଗରୋଧ କେନ୍ଦ୍ରରେ ବିଶୃଙ୍ଖଳା :ଗୋଷ୍ଠୀ ସଂଘର୍ଷରେ ୩ ଲହୁଲୁହାଣ

Get real time updates directly on you device, subscribe now.

ଭଞ୍ଜନଗର, (ବି.ବି.ନୁ୍ୟଜ୍): ପୁଣି ଚର୍ଚ୍ଚାରେ ସଙ୍ଗରୋଧ କେନ୍ଦ୍ର । ନିମ୍ନମାନର ଖାଦ୍ୟ ଅଭିଯୋଗରେ ଫୋପାଡ଼ିବା, କ୍ୱାରେଣ୍ଟାଇନ୍ ସେଣ୍ଟର୍ରୁ ଚମ୍ପଟ ଘଟଣା ପରେ ଜଗନ୍ନାଥପ୍ରସାଦ ବ୍ଲକ୍ ଜାମଗରଡ଼ା ଆଦର୍ଶ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ଘଟିଛି । ଏଥିରେ ୩ ଜଣ ଲହୁଲୁହାଣ ହୋଇଛନ୍ତି । ଗଣ୍ଡାଧାର ସରପଞ୍ଚ ଗାୟତ୍ରୀ ନାୟକଙ୍କ ଏତଲାକ୍ରମେ ଜଗନ୍ନାଥପ୍ରସାଦ ଥାନାରେ ୪ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି । ବିଶୃଙ୍ଖଳକାରୀଙ୍କୁ ଜାମଗରଡ଼ା କେନ୍ଦ୍ରରୁ ଜଗନ୍ନାଥପ୍ରସାଦ ସଙ୍ଗରୋଧ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଭଞ୍ଜନଗର ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଘଟଣାର ଛାନ୍ଭିନ୍ କରୁଛନ୍ତି । ସେପଟେ ବେଗୁନିଆପଡ଼ା ଜନତା ହାଇସ୍କୁଲ ଓ ରାଘପୁର ଆଦର୍ଶ ବିଦ୍ୟାଳୟ କ୍ୱାରେଣ୍ଟାଇନ୍ ସେଣ୍ଟର୍ରୁ ଚାଲି ଯାଇଥିବା ଲୋକଙ୍କ ବିରୋଧରେ କୋଦଳା ଥାନାରେ ଦୁଇଟି ମକଦ୍ଧମା ରୁଜୁ ହୋଇଛି । କୋଦଳା ତହସିଲଦାରଙ୍କ ଏତଲା ଆଧାରରେ କେସ୍ ନମ୍ବର ୧୩୦ ଓ ୧୩୧/୨୦୨୦ ଅନ୍ତର୍ଗତ ୧୨ ଜଣଙ୍କ ବିରୋଧରେ କେସ୍ ହୋଇଛି । ଏସ୍ଡିପିଓ ଘଟଣାର ତଦନ୍ତ କରିବେ, ଏହି ସମସ୍ତ ବ୍ୟକ୍ତି କୋଭିଡ୍-୧୯ ଆଇନ ଉଲ୍ଲଂଘନ କରି କେନ୍ଦ୍ର ଛାଡ଼ି ଚାଲି ଆସିଥିବା ସ୍ପଷ୍ଟ କରିଛନ୍ତି ଗଞ୍ଜାମ ଏସ୍ପି ବ୍ରିଜେଶ ରାଏ ।
ଜଗନ୍ନାଥପ୍ରସାଦ ଥାନା ଅଧିକାରୀ ଯୁବରାଜ ସ୍ୱାଇଁଙ୍କ ସୂଚନା ପ୍ରକାରେ ସୁରଟ ଫେରନ୍ତାମାନେ ଶନିବାର ଜାମଗରଡ଼ା କେନ୍ଦ୍ରରେ ରହିଥିଲେ । ସେହିଦିନରୁ କିଛି ଯୁବକ ନାନା ବିଶୃଙ୍ଖଳା କରି ଚାଲିଛନ୍ତି । ରାତିରେ ଜଳଖିଆ ବଦଳରେ ଭୋଜନ ଦାବି କରିବାରୁ ବିଳମ୍ବିତ ରାତିରେ ରୋଷେଇ କରାଯାଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ତିକ୍ତତା ମଙ୍ଗଳବାର ମଧ୍ୟାହ୍ନରେ ଉଗ୍ରରୂପ ଧାରଣ କରିଥିଲା । ମଧ୍ୟାହ୍ନ ଭୋଜନ ସମୟରେ କିଛି ଯୁବକ ନିର୍ଦ୍ଧାରିତ ସ୍ଥାନରେ ନଖାଇ ବାରଣ୍ଡାରେ ଖାଇ ବସିଥିଲେ । କିଛି ଯୁବକ ଏଭଳି ନକରି କେନ୍ଦ୍ର ସଫା ରଖିବାକୁ କହିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ଅପରଗୋଷ୍ଠୀର କିଛି ଯୁବକ ଷ୍ଟିଲ୍ ଥାଳି ଓ ଠେଙ୍ଗାରେ ୩ ଜଣଙ୍କୁ ଆକ୍ରମଣ କରିଥିଲେ । ଆହତ ୩ ଜଣଙ୍କୁ ଚିକିତ୍ସା କରାଯାଇଛି । ଏସ୍ଡିପିଓ, ଥାନା ଅଧିକାରୀଙ୍କ ସମେତ ଜଗନ୍ନାଥପ୍ରସାଦ ବିଡିଓ ସୁରେଶ ଚନ୍ଦ୍ର ପଣ୍ଡା, ଅତିରିକ୍ତ ତହସିଲଦାର ବରିଆଲ୍ ମୁର୍ମୁ ସ୍ଥିତି ନିୟନ୍ତ୍ରଣ କରିଥିଲେ । ସଙ୍ଗରୋଧ କେନ୍ଦ୍ରରେ ବିଶୃଙ୍ଖଳାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ଡିପିଓ ଚେତାବନୀ ଦେଇଛନ୍ତି ।
ଅପରପକ୍ଷରେ ସୁରଟରୁ ଫେରୁଥିବା ଶ୍ରମିକ ଏବେ ପ୍ରଶାସନର ଚିନ୍ତା ବଢ଼ାଇଛନ୍ତି । ଗଞ୍ଜାମ ଜିଲ୍ଲାକୁ ସପ୍ତାହକ ଭିତରେ ପ୍ରାୟ ୧୭ ହଜାର ପ୍ରବାସୀ ଓଡ଼ିଆ ଫେରିଛନ୍ତି । ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଛି । କିନ୍ତୁ ଅଧିକାଂଶ କ୍ୱାରେଣ୍ଟାଇନ୍ ସେଣ୍ଟର୍ରେ ବିଶୃଙ୍ଖଳା ଦୃଷ୍ଟିକୁ ଆସିଛି । ବିଶୃଙ୍ଖଳକାରୀଙ୍କୁ ତାଗିଦ୍ କରିଛନ୍ତି ଗଞ୍ଜାମ ଏସ୍ପି । ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି, ସଙ୍ଗରୋଧ କେନ୍ଦ୍ରରେ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପି ରୋକ୍ଠୋକ୍ କହିଛନ୍ତି । ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ପି କହିଛନ୍ତି ଯେ- ବର୍ତ୍ତମାନ ସୁଦ୍ଧା ୨୬୮ଟି ସଙ୍ଗରୋଧ କେନ୍ଦ୍ରରେ ୧୭ ହଜାରରୁ ଊଦ୍ଧ୍ୱର୍ ପ୍ରବାସୀଙ୍କୁ ରଖାଗଲାଣି । ପୁଲିସ ସେମାନଙ୍କୁ ଆବଶ୍ୟକ ସୁରକ୍ଷା ଦେଉଛି । ବିଡିଓ, ତହସିଲଦାର ସେମାନଙ୍କ ପାଇଁ କାର୍ଯ୍ୟ କରୁଛନ୍ତି । ପ୍ରବାସୀ ଓଡ଼ିଆମାନେ ପ୍ରଶାସନକୁ ସହଯୋଗ କରନ୍ତୁ ବୋଲି ଏସ୍ପି କହିଛନ୍ତି । ସରକାରଙ୍କ ଗାଇଡ୍ଲାଇନ୍ ଅନୁସାରେ ସଙ୍ଗରୋଧ କେନ୍ଦ୍ରରେ ରହିବା ସହ ତହସିଲଦାର, ବିଡିଓ ଏବଂ ସରପଞ୍ଚଙ୍କ କଥା ଶୁଣନ୍ତୁ । ଯଦି ନଶୁଣିବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ସେହିପରି ମିଥ୍ୟା ଖବର ପ୍ରଚାର କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଗଞ୍ଜାମ ଏସ୍ପି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons