ସଙ୍ଗରୋଧ ଗୃହରୁ ୨୫ ଶ୍ରମିକ ଫେରାର:କୋକସରା ବ୍ଲକ ପ୍ରଶାସନର ତନାଘନା ଆରମ୍ଭ

Get real time updates directly on you device, subscribe now.

କୋକସରା,(ବି.ବି.ନୁ୍ୟଜ୍): ସଙ୍ଗରୋଧ ଗୃହରୁ ଫେରାର ମାରିଲେ ୨୫ ଜଣ ଶ୍ରମିକ । ଏଭଳି କିଛି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଆମପାଣି ଥାନାଞ୍ଚଳରେ । ଫେରାର ଶ୍ରମିକମାନେ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଅଞ୍ଚଳର ବୋଲି ଜଣାପଡ଼ିଛି । କିଛିଦିନ ତଳେ ସେମାନେ ଫୁଲବାଣୀରୁ ଚାଲିଚାଲି ଘରକୁ ଫେରୁଥିବାବେଳେ ଆମପାଣିରେ ସେମାନଙ୍କୁ ଅଟକାଇ ସଙ୍ଗରୋଧ ଗୃହରେ ରଖାଯାଇଥିଲା । ଶ୍ରମିକଙ୍କ ଫେରାର ପରେ ଆମପାଣି ଥାନା ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି । ଶ୍ରମିକଙ୍କୁ ଠାବ କରିବାକୁ ଜୋର୍ସୋର୍ରେ ଉଦ୍ୟମ ଚାଲିଛି ।
ସୂଚନାମତେ, ଲକଡାଉନକୁ କଡ଼ାକଡ଼ି କରିବାକୁ ପ୍ରତି ଜିଲ୍ଲା ସୀମାନ୍ତରେ ପାଟ୍ରୋଲିଂ ସହ ଚେକିଂ ଜାରି ରହିଛି । ଏଭଳି ସ୍ଥିତିରେ ନବରଙ୍ଗପୁର କଳାହାଣ୍ଡି ଜିଲ୍ଲା ସୀମାନ୍ତ କୋକସରା ବ୍ଲକ ଆମପାଣି ଘାଟି ନିକଟରେ ଥିବା ଜନଜାତି ଆବାସିକ ସ୍କୁଲରେ ରାଜ୍ୟ ବାହାରୁ ଓ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଫେରୁଥିବା ଶ୍ରମିକଙ୍କ ପାଇଁ ଅସ୍ଥାୟୀ ସଂଗରୋଧ ଗୃହର ବ୍ୟବସ୍ଥା ବ୍ଲକ ପ୍ରଶାସନ ତରଫରୁ କରାଯାଇଛି । ଏହି ସଂଗରୋଧ ଗୃହରେ ଥିବା ୨୫ ଜଣ ଅନ୍ତେବାସୀ ଗତକାଲି ରାତିରେ ଫେରାର ହୋଇଥିବା ଅଭିଯୋଗ ହୋଇଛି । ମୋଟ ୬୪ ଜଣ ଶ୍ରମିକ ଏହି ଗୃହରେ ଥିଲେ । ତେବେ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଅଞ୍ଚଳର ୨୬ ଜଣ ଶ୍ରମିକ ଗତ ସପ୍ତାହରେ ଫୁଲବାଣୀରୁ ଚାଲିଚାଲି ଫେରୁଥିବା ସମୟରେ ଆମପାଣି ପୁଲିସ ସେମାନଙ୍କୁ ଅଟକ ରଖି ବ୍ଲକ ପ୍ରଶାସନ ସହାୟତାରେ ସଂଗରୋଧ ଗୃହରେ ରଖିଥିଲେ । ତେବେ ଗତକାଲି ରାତିରେ କୌଶଳ କ୍ରମେ ୨୫ ଜଣ ଶ୍ରମିକ ଫେରାର ହେବା ପରେ ଗୁରୁବାର ସକାଳୁ ଘଟଣାସ୍ଥଳରେ କୋକସରା ତହସିଲଦାର ମୌସୁମୀ ନାୟକ, ବିଡିଓ ମନୀସା ଦାସ ପହଞ୍ଚି ତଦନ୍ତ କରୁଥିବା ଦେଖିବାକୁ ମିଳିଛି । କଡ଼ା ପହରା ସତ୍ତେ୍ୱ କେମିତି ଶ୍ରମିକମାନେ ଖସି ଯିବାରେ ସଫଳ ହେଲେ ତାକୁ ନେଇ ଏବେ ପୁଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଆମପାଣି ସରପଞ୍ଚ ଟିକିଚନ୍ଦ୍ର ଧଙ୍ଗଡାମାଝୀଙ୍କୁ ପଚାରିବାରୁ ସେ ପୁଲିସର ସୁରକ୍ଷାରେ ଢିଲା ଯୋଗୁ ଶ୍ରମିକମାନେ ଖସି ପଳାଇବାରେ ସଫଳ ହୋଇଥିବା କହିଛନ୍ତି । ଅନ୍ୟପଟେ ଶ୍ରମିକମାନେ ପଳାୟନ ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଏହି ସଂଗରୋଧ ଗୃହରେ ରହୁଥିବା ଅନ୍ୟ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଏକ ମେଡିକାଲ ଟିମ୍ ପହଞ୍ଚିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons