ସମ୍ବଲପୁର,(ବି.ବି.ନୁ୍ୟଜ): ପୁରୀ ଶ୍ରୀ ମନ୍ଦିର ଏବଂ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ପରି ଚମକିବ ମାଁ ସମଲେଶ୍ୱରୀଙ୍କ ପୀଠ । ଏହାର ଉନ୍ନତି ସକାଶେ ଉଚ୍ଛେଦ ହେବାକୁ ଥିବା ପରିବାର ଗୁଡିକର ଥଇଥାନ ପାଇଁ ମଧ୍ୟ ସ୍ୱତନ୍ତ୍ର ପ୍ୟାକେଜ୍ ଲାଗୁ କରାଯିବ । ଏହାକୁ ଦେଶର ଏକ ପ୍ରମୁଖ ଧାର୍ମିକ ସ୍ଥଳ ଭାବେ ପରିଣତ କରାଯିବ । ଆଉ ଖୁବ୍ ଶୀଘ୍ର ଏହାର ନିର୍ମାଣ କାମ ଆରମ୍ଭ ହେବ ବୋଲି ଆଜି ସମଲେଶ୍ୱରୀଙ୍କ ମନ୍ଦିର ପରିଦର୍ଶନରେ ଆସିଥିବା ସଚିବସ୍ତରୀୟ କମିଟି ଏହା ସ୍ପଷ୍ଟ କରିଛି । ତେବେ, ଏହାର ବିକାଶ କଥା ଉଠିବା ଦିନରୁ ବିସ୍ଥାପନକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ସେବାୟତ ପରିବାରମାନେ ମନ୍ଦିର ନିକଟରେ ହିଁ ରହିବେ ବୋଲି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି ।
ଲକ୍ଡାଉନ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଁ ସମଲେଶ୍ୱରୀଙ୍କ ମନ୍ଦିର ପରିଦର୍ଶନରେ ଆସି ଏହାର ସୌନ୍ଦର୍ଯ୍ୟକରଣ ଏବଂ ପାରିପାଶ୍ୱର୍ିକ ବିକାଶ ପାଇଁ ଘୋଷଣା କରିଥିଲେ । ମନ୍ଦିର ବିକାଶ ପ୍ରକଳ୍ପରେ ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ ପାରିପାଶ୍ୱର୍ିକ ବିକାଶ, ଐତିହ୍ୟ କରିଡରର ବିକାଶ, ଭୋଗମଣ୍ଡପ, ଯାତ୍ରୀ ଓ ଭକ୍ତ ନିବାସ, ପାର୍କିଂ ସୁବିଧା ଏବଂ ନଦୀ ସମ୍ମୁଖ ଭାଗର ବିକାଶକୁ ଅନ୍ତର୍ଭୁକ୍ତ କରାଯାଇଛି । ମୋଟ୍ ଉପରେ ପୁରୀ ଶ୍ରୀମନ୍ଦିର ଏବଂ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଢାଞ୍ଚାରେ ଏହାର ବିକାଶ ହେବ ବୋଲି ଘୋଷଣା ହୋଇଥିଲା ।
ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଅନୁଧ୍ୟାନ କରି ବିସ୍ତୃତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯାଇଥିଲା । ଆଉ ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶରେ ଏକ ୫ ଜଣିଆ ସଚିବସ୍ତରୀୟ ପ୍ରତିନିଧି ଦଳ ଆସି ମନ୍ଦିର ପରିଦର୍ଶନ କରି ସମୀକ୍ଷା କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି.କେ. ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ୍ କ୍ରୀଷ୍ଣା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ ଏବଂ ପୂର୍ତ୍ତ ସଚିବ ଡ. କ୍ରୀଷନ୍ କୁମାର ପ୍ରମୁଖ ଆଜି ଦିନ ଗୋଟାଏରେ ସମଲେଶ୍ୱରୀ ମନ୍ଦିରକୁ ଆସିଥିଲେ ।
ମନ୍ଦିରରେ ମାଁଙ୍କ ଦର୍ଶନ କରିବା ପରେ ଏହାର ଚର୍ତୁପାଶ୍ୱର୍ ବୁଲି ଦେଖିଥିଲେ । ରିଂରୋଡ଼ରୁ ଆରମ୍ଭ କରି ରାଜଘାଟ ଦେଇ ଚେରୁଆପଡ଼ା ରାସ୍ତା ପର୍ଯ୍ୟନ୍ତ ଏବଂ ପାଟଣେଶ୍ୱରୀ ମନ୍ଦିରରୁ ବଡ଼ବଜାର ପର୍ଯ୍ୟନ୍ତ ଅଞ୍ଚଳ ବୁଲି ଅନୁଧ୍ୟାନ କରିଥିଲେ । ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଡବ୍ଲୁଓଡିସି ଅଧ୍ୟକ୍ଷ ଅସିତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀ କରି ପ୍ରକଳ୍ପ ନେଇ ସବିଶେଷ ସୂଚନା ଦେଇଥିଲେ । ସମଲେଶ୍ୱରୀ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ପୀଠ ହୋଇଥିବା ବେଳେ ଏହା ପଡେ଼ାଶୀ ରାଜ୍ୟର ହଜାର ହଜାର ଭକ୍ତଙ୍କ ଆସ୍ଥାର ସ୍ଥଳୀ ଭାବେ ପରିଣତ ହୋଇଛି । ଏହାର ବିକାଶ ପାଇଁ ବହୁତ ବଡ଼ ପ୍ରକଳ୍ପ ହାତକୁ ନିଆଯାଇଛି ବୋଲି ସେ ସୂଚନା ଦେଇଥିଲେ ।
ତେବେ, ଏଥିରେ କ୍ଷତିଗ୍ରସ୍ତ ହେବାକୁ ଥିବା ପରିବାରଙ୍କ ଥଇଥାନ ପାଇଁ ମଧ୍ୟ ସ୍ୱତନ୍ତ୍ର ପ୍ୟାକେଜ୍ ଲାଗୁ ହେବ । ପୂର୍ବରୁ ଶ୍ରୀମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର କ୍ଷେତ୍ରରେ ଯେମିତି ଥଇଥାନ ପ୍ୟାକେଜ୍ ଲାଗୁ ହୋଇଥିଲା ସେହିଭଳି ଏଠାରେ ବି ଲାଗୁ କରାଯିବ । ଆଉ ବିସ୍ଥାପିତ ହେବାକୁ ଥିବା ଲୋକେ ବର୍ତ୍ତମାନ ଠାରୁ ଅଧିକ ଉନ୍ନତ ବ୍ୟବସ୍ଥାରେ ରହିବେ ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଥିଲେ । ସେହିପରି ଭଡାରେ ରହୁଥିବା ଲୋକଙ୍କ ପାଇଁ ବି ସବୁ ବ୍ୟବସ୍ଥା କରାଯିବ । ଏହା ଏକ ଅତି ଜଟିଳ ଏବଂ ସମ୍ବେଦନଶୀଳ ପ୍ରକ୍ରିୟା ହୋଇଥିଲେ ବି ପୁରୀ ଏବଂ ଲିଙ୍ଗରାଜ ପ୍ରକଳ୍ପରୁ ସରକାର ଅନେକ ସଫଳତା ସାଉଁଟିସାରିଥିବାରୁ ଏଠାରେ କୌଣସି ଅସୁବିଧା ହେବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ହେଲେ ଏହି ବିକାଶର ପ୍ରକୃତ ରୂପରେଖ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ଆଜି ଆସିଥିବା କମିଟି ତାର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦେଲା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ପ୍ରକାଶ କରିଛନ୍ତି । ଏହାଛଡା ସେବାୟତ ପରିବାର ଉଚ୍ଛେଦ ନେଇ ପ୍ରଶ୍ନ ହେବାରୁ ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ସମସ୍ତ ସେବାୟତ ପରିବାର ମନ୍ଦିର ନିକଟରେ ହିଁ ରହିବେ ।
ଅପରପକ୍ଷେ, ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ ଦେଇଥିବା ବିବୃତିରେ ସମଲେଶ୍ୱରୀ ମନ୍ଦିରର ଚର୍ତୁପାଶ୍ୱର୍ର ପ୍ରାୟ ୭୦ରୁ ୮୦ ଏକର ଅଞ୍ଚଳର ବିକାଶ କରାଯିବ । ଆଉ ଏହି ବୃହତ ପ୍ରକଳ୍ପ ପାଇଁ ବି ସ୍ୱତନ୍ତ୍ର ପ୍ୟାକେଜ୍ ବ୍ୟବସ୍ଥା ହୋଇଥିବା ବେଳେ ଖୁବ୍ ଶୀଘ୍ର କାମ ଆରମ୍ଭ ହୋଇ ୨ ବର୍ଷ ମଧ୍ୟରେ ଶେଷ ବୋଲି ସେ ପ୍ରକାଶ କରିଛନ୍ତି । ଆଉ ଏହି ପ୍ରକଳ୍ପ ମଧ୍ୟ ସରକାରଙ୍କ ୫ଟି ଅଧୀନରେ ହେବ ବୋଲି ସୂଚନା ଦିଆଯାଇଛି । ଆଜିର ଗସ୍ତ ବେଳେ ଅନ୍ୟମାନଙ୍କ ମଧ୍ୟରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ନିରଞ୍ଜନ ସାହୁ, ଡିଆଇଜି ନରସିଂହ ଭୋଳ, ଜିଲ୍ଲାପାଳ ଶୁଭମ ସକ୍ସେନା, ଏସ୍ପି ବି. ଗଙ୍ଗାଧର, ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ପ୍ରମୁଖ ସାମିଲ ଥିଲେ ।
Comments are closed, but trackbacks and pingbacks are open.