ଭୁବନେଶ୍ୱର,(ବି.ବି.ବ୍ୟୁରୋ): ରାଜ୍ୟ ସଚିବାଳୟ (ଷ୍ଟେଟ୍ ସେକ୍ରେଟାରିଏଟ୍) ଆଉ ରହିବନି । ବଦଳିଯିବ ସ୍ୱାଧୀନତା ପରର ରାଜ୍ୟ ଶାସନ ମୁଖ୍ୟାଳୟର ଏହି ନାଁ । ସଚିବାଳୟ ହେବ ଲୋକସେବା ଭବନ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ବିଧାନସଭାରେ ଏହି ଘୋଷଣା କରିଛନ୍ତି । ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।
ରାଜ୍ୟର ଆଇନ ଶୃଙ୍ଖଳା ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ସାମଗ୍ରିକ ଭାବେ ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ନିକଟ ଅତୀତରେ ସମାପ୍ତ ହୋଇଥିବା ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସରିଛି । ଗତ ଫୋନି ବାତ୍ୟାରେ ପୁଲିସ କେବଳ ଆଇନ ଶୃଙ୍ଖଳା ରକ୍ଷା କରିବାରେ ସକ୍ଷମ ହୋଇନି ବରଂ ରିଲିଫ୍ ଓ ପୁନର୍ବାସରେ ମଧ୍ୟ ସହାୟତା କରିଛି । ରାଜ୍ୟର କୌଣସି ସ୍ଥାନରେ ସାଂପ୍ରଦାୟିକ ହିଂସା, ଛାତ୍ର ବିଶୃଙ୍ଖଳା କିମ୍ବା ବଡ଼ଧରଣର ଶ୍ରମିକ ଆନ୍ଦୋଳନ ହୋଇନାହିଁ । ସେହିଭଳି ଆଖିଦୃଶିଆ ଭାବେ ମାଓବାଦୀ କାର୍ଯ୍ୟକଳାପ ହ୍ରାସ ପାଇଛି । କେବଳ ପାହାଡ଼ିଆ ଓ ସୀମାନ୍ତ ଅଞ୍ଚଳରେ ଏହା ସୀମିତ ଅଛି । ୨୦୧୮ ମସିହାରେ ୧୯ଜଣ ମାଓବାଦୀ ପୁଲିସ ଗୁଳିରେ ପ୍ରାଣ ହରାଇଥିଲା ବେଳେ ଚଳିତ ବର୍ଷ ୭ଜଣ ମୃତ୍ୟୁବରଣ କରିଛନ୍ତି । ଗୁରୁପ୍ରିୟା ସେତୁ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବା ଏବଂ ସେ ଅଞ୍ଚଳରେ ବ୍ୟାପକ ବିକାଶମୂଳକ କାମ ହାତକୁ ନିଆଯିବା ଯୋଗୁ ସେ ଅଞ୍ଚଳ ସ୍ୱାଭିମାନ ଅଞ୍ଚଳ ହୋଇଛି ।
ମୁଖ୍ୟମନ୍ତ୍ରୀ କହିଥିଲେ, ମୋ ସରକାର ମହିଳା, ଶିଶୁ ଓ ପଛୁଆ ବର୍ଗକୁ ସର୍ବାଧିକ ଗୁରୁତ୍ୱ ଦେଉଛି । ମହିଳାଙ୍କ ବିରୋଧରେ ହେଉଥିବା ହିଂସା ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥା ନିୟୋଜିତ କରାଯାଇଛି । ୨୯ଟି ଜିଲ୍ଲାରେ ମହିଳା ଓ ଶିଶୁ ଡେସ୍କ ଓ ମାନବ ଚାଲାଣ ରୋକିବାକୁ ସ୍ୱତନ୍ତ୍ର ୟୁନିଟ୍ ପ୍ରସ୍ତୁତ କରାଯାଇଛି । ସମସ୍ତ ନାବାଳିକା ଦୁଷ୍କର୍ମ ଓ ବଡ଼ଧରଣର ଦୁଷ୍କର୍ମ ଘଟଣାକୁ ‘ରେଡ୍ ଫ୍ଲାଗ୍’ ମାମଲା ଭାବେ ବିବେଚନା କରାଯାଇ ସ୍ୱତନ୍ତ୍ର ତଦନ୍ତ କରାଯାଉଛି ।
ଦୋଷୀମାନେ ଯେଭଳି କୋର୍ଟ କଚେରୀରେ ବିଚାର ପ୍ରକ୍ରିୟାରେ ଦଣ୍ଡ ନ ପାଇ ଖସି ନ ଯିବେ, ସେଥିପାଇଁ ଗୁରୁତ୍ୱ ଦିଆଯାଉଛି । ସଂପ୍ରତି ୧୪୮ଜଣ କ୍ୟାଡର ଏପିପି ଓ ୧୧ଜଣ କ୍ୟାଡର ପିପି ନିଯୁକ୍ତି ଦିଆଯାଇଛି । ପୁଲିସ ବ୍ୟବସ୍ଥାକୁ ଆଧୁନିକୀକରଣ କରାଯାଉଛି । ସାଇବର କ୍ରାଇମର ମୁକାବିଲା ପାଇଁ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରାଯାଉଛି ।
ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ସମ୍ପର୍କରେ ବକ୍ତବ୍ୟ ଉତ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଚଳିତବର୍ଷ ‘ଫୋନି’ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୪୬୨ କୋଟି ଟଙ୍କାର ସହାୟତା ମିଳିଛି । ମୁଖ୍ୟମନ୍ତ୍ରୀ କହିଥିଲେ, ଏକ ଉତ୍ତମ ପ୍ରଶାସନ ଓ ସେବା ଯୋଗାଇ ଦେବାକୁ ମୋ ସରକାର ‘୫-ଟି’ ମନ୍ତ୍ର ଆପଣାଇଛି । ସ୍ୱଚ୍ଛତା ଅବଲମ୍ବନ ପାଇଁ ସବୁପ୍ରକାର ନିଯୁକ୍ତି ଓଡ଼ିଶା ପବ୍ଲିକ ସର୍ଭିସ କମିଶନ(ଓପିଏସ୍ସି) ଭଳି ସଂସ୍ଥା ଦ୍ୱାରା କରାଯାଉଛି । ରାଜ୍ୟରେ ବିମାନ ସେବାର ଉନ୍ନତି ପାଇଁ ସମସ୍ତ ଏୟାରଷ୍ଟ୍ରିପର ବିକାଶ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରି ୧୦୦କୋଟିର ବ୍ୟୟବରାଦ କରିଛି । ମୋ ସରକାର ସ୍ୱଚ୍ଛତା ଆଣିବା ପାଇଁ ଗତ ମାର୍ଚ୍ଚ ୨୦ ତାରିଖରୁ ଲୋକାୟୁକ୍ତ କାର୍ଯ୍ୟକାରୀ କରିଛି ।
ସ୍ୱଚ୍ଛତା ପାଇଁ ଗତବର୍ଷ ରାଜ୍ୟ ଭିଜିଲାନ୍ସ ଏକାଡେମୀ ସ୍ଥାପନ କରାଯାଇଛି । ୨୦୧୯ ଆର୍ଥିକ ବର୍ଷରେ ୧୩୭ଟି ଭିଜିଲାନ୍ସ ମାମଲା ରୁଜୁ କରଛି । ସେଥିରୁ ୨୬ଟି ଆୟବହିର୍ଭୂତ ସମ୍ପତ୍ତି ମାମଲା ହୋଇ ଥିବାବେଳେ ୬୭ଟି ଟ୍ରାପ୍ ଏବଂ ୪୪ଟି ଅର୍ଥ ଆତ୍ମସାତ୍ ମାମଲା ରୁଜୁ ହୋଇଛି । ମୁଖ୍ୟମନ୍ତ୍ରୀ କହିଥିଲେ, ଖୁବଶୀଘ୍ର ମୋ ସରକାର ରାଜ୍ୟରେ ନୂଆ ପୁଲିସ ଆଇନ ପାରିତ କରିବ । ରାଜ୍ୟର ଆର୍ଥିକ ଅଭିବୃଦ୍ଧି ଶାନ୍ତିଶୃଙ୍ଖଳା ଓ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନିର୍ଭର କରେ ।
ସେଥିଲାଗି ସାଢ଼େ ୪କୋଟି ଓଡ଼ିଆ ଲଗାତର ପଞ୍ଚମ ଥର ପାଇଁ ମୋ ସରକାରକୁ ଆଶୀର୍ବାଦ ଦେଇଛନ୍ତି । ମୋ ସରକାର ଲୋକଙ୍କ ସମସ୍ତ ଆଶା ଓ ଆକାଂକ୍ଷା ପୂରା କରିବାକୁ କଠିନ ପରିଶ୍ରମ କରିବ । ମୁଖ୍ୟମନ୍ତ୍ରୀ କହିଥିଲେ, ଗଣତନ୍ତ୍ରରେ ସାଧାରଣ ଜନତା ହେଉଛନ୍ତି ପ୍ରକୃତ ପ୍ରଭୁ । ଆମେ ସମସ୍ତେ କେବଳ ତାଙ୍କ ସେବା କରିବୁ ।
Comments are closed, but trackbacks and pingbacks are open.