ନୂଆଦିଲ୍ଲୀ: ବର୍ଷୀୟାନ ଅଭିନେତ୍ରୀ ସାବ୍ନା ଆଜ୍ମୀ (୬୯) ଶନିବାର ମହାରାଷ୍ଟ୍ରର ରାଇଗଡ ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ନାକ ଓ ଆଖିରେ ଗଭୀର ଆଘାତ ଲାଗିଛି । ତାଙ୍କୁ ପ୍ରଥମେ ପାନ୍ଭେଲର ଏମ୍ଜିଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ମୁମ୍ବାଇର କୋକିଳାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି ।
ଗାଡ଼ିରେ ଥିବା ସାବ୍ନାଙ୍କ ସ୍ୱାମୀ ତଥା ବିଶିଷ୍ଟ ଗୀତିକାର ଜାଭେଦ ଅଖତର ସୁରକ୍ଷିତ ଅଛନ୍ତି । ମୁମ୍ବାଇ ଠାରୁ ୬୦ କି.ମି. ଦୂର ଖାଲପୁର ଟୋଲ ପ୍ଲାଜା ନିକଟ ମୁମ୍ବାଇ-ପୁନେ ଏକ୍ସପ୍ରେସ ୱେରେ ଅପରାହ୍ନ ୩ଟା ୩୦ରେ ଏହି ଦୁର୍ଘଟଣା ଘଟିଛି । ସାବନା ଯାଉଥିବା ଗାଡିଟି ଏକ ଟ୍ରକ୍ ପଛରେ ପିଟିହୋଇଯାଇଥିଲା । ଦୁର୍ଘଟଣାରେ ଗାଡ଼ିର ସମ୍ମୁଖ ପାଶ୍ୱର୍ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ରାଇଗଡ ଏସ୍ପି ଅନିଲ ପାରସକରଙ୍କ ସୂଚନା ଅନୁଯାୟୀ ସାବ୍ନା ଆଜମି ଏକ ଏସ୍ୟୁଭିରେ ମୁମ୍ବାଇରୁ ପୁନେ ଯାଉଥିଲା ବେଳେ ତାହା ରାଜପଥରେ ଯାଉଥିବା ଏକ ମାଲବାହୀ ଟ୍ରକକୁ ପଛରୁ ଧକ୍କା ଦେଇଥିଲା । ସାବ୍ନା ଆଜମିଙ୍କ ଦୁର୍ଘଟଣା ଖବର ମିଳିବା ପରେ ବହୁ ଅଭିନେତା ଓ ଅଭିନେତ୍ରୀ ତଥା ପ୍ରଶଂସକମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।


Comments are closed, but trackbacks and pingbacks are open.