ରାଜଗାଙ୍ଗପୁର,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଓ ଲେଫ୍ରିପଡ଼ା ଥାନା ଇଲାକାରେ ଘଟିଛି ଦୁଇଟି ପୃଥକ ପୃଥକ ମାମଲା । ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତୁ୍ୟ ଘଟିଛି । ଡମ୍ପର ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତୁ୍ୟ ଘଟିଥିବା ବେଳେ ବୋଲେରୋ ଧକ୍କାରେ ସାଇକଲ ଚାଳକଙ୍କ ମୃତୁ୍ୟ ଘଟିଛି ।
ରାଜଗାଙ୍ଗପୁର ରମାବାହାଲ ଅଞ୍ଚଳର ଦୁଇ ଜଣ ଯୁବକ ସନ୍ଦିପ ଡୁଙ୍ଗଡୁଙ୍ଗ ଓ ପ୍ରମୋଦ ଡୁଙ୍ଗଡୁଙ୍ଗ ଏକ ବାଇକ୍ (ଓଡ଼ି୧୪ଭି ୦୧୩୪) ଯୋଗେ ୧୦ ନମ୍ବର ରାଜ୍ୟ ରାଜପଥର ରାଣୀବନ୍ଧ ଦେଇ ରାତି ପ୍ରାୟ ୭ଟା ସମୟରେ ରାଜଗାଙ୍ଗପୁର ଆଡ଼କୁ ଆସୁଥିଲେ । ଏହି ସମୟରେ ରାଜପଥର ଭୁଲ ରାସ୍ତାରେ ଯାଉଥିବା ଏକ ଡମ୍ପର ସେମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଛି । ଏହି ଦୁର୍ଘଟଣାରେ ଦୁଇ ଯୁବକଙ୍କ ଘଟଣା ସ୍ଥଳରେ ମୃତୁ୍ୟ ଘଟିଛି । ଖବର ପାଇ ରାଜଗାଙ୍ଗପୁର ଏସ୍ଡିପିଓ ଡ. ଶଶାଙ୍କ ଶେଖର ବେଉରା ଓ ଥାନା ଅଧିକାରୀ ଗୋକୁଳାନନ୍ଦ ସାହୁ ଘଟଣା ସ୍ଥଳରେ ପହଞ୍ଚି ଶବ ଦ୍ୱୟକୁ ଜବତ କରି ବ୍ୟବଚ୍ଛେଦ ଲାଗି ରାଜଗାଙ୍ଗପୁର ହସ୍ପିଟାଲକୁ ପଠାଇଛନ୍ତି । କେଉଁ ଗାଡ଼ି ଏମାନଙ୍କୁ ଧକ୍କା ଦେଇଛି ସେ ନେଇ ପୁଲିସ୍ ଛାନ୍ଭିନ୍ ଆରମ୍ଭ କରିଛି ।
ଅନ୍ୟ ଏକ ଦୁର୍ଘଟଣା ଘଟିଛି ସଂଧ୍ୟା ୬ଟା ସମୟରେ ଲେଫ୍ରିପଡ଼ାର ଉଜ୍ୱଳପୁର ବାଇପାସ ରାସ୍ତାରେ । ଉଜ୍ୱଳପୁର ଗ୍ରାମର ଅନନ୍ତ ରଉଡିଆ (୫୫) ସାଇକଲ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ଦ୍ରୁତଗତିରେ ଆସୁଥିବା ବୋଲେରୋ (ଓଡ଼ି୧୬ବି ୩୨୪୩) ତାଙ୍କୁ ଧକ୍କା ଦେବା ସହ ରାସ୍ତାରେ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରୋ ଘଟଣା ସ୍ଥଳରେ ହିଁ ଅନନ୍ତଙ୍କ ମୃତୁ୍ୟ ଘଟିଛି । ଦୁର୍ଘଟଣା ପରେ ଗାଡ଼ି ଛାଡ଼ି ଚାଳକ ଫେରାର ହୋଇଯାଇଛନ୍ତି । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ଦାବିରେ ସ୍ଥାନୀୟ ଉତ୍ତ୍ୟକ୍ତ ଲୋକେ ଶବ ରଖି ରାସ୍ତାରୋକ କରିଛନ୍ତି । ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ହେଁ କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ରାସ୍ତାରୋକ ହଟିବ ନାହିଁ ବୋଲି ଜିଦ୍ ଧରି ବସିଛନ୍ତି ଲୋକେ । ରିପୋର୍ଟ ଲେଖା ହେବା ସୁଦ୍ଧା ରାସ୍ତାରୋକ ଜାରି ରହିଛି ।


Comments are closed, but trackbacks and pingbacks are open.