ଗୁଣପୁର,(ବି.ବି.ନୁ୍ୟଜ୍): ଦୁଇଦିନର ଲଗାଣ ବର୍ଷାରେ ବଢୁଛି ବଂଶଧାରା ନଦୀର ଜଳସ୍ତର । ବିଶେଷ କରି ଗଜପତି ଜିଲ୍ଲା ଏବଂ ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଆଜି ସାନ ନଦୀର ପାଣି ମିଶିଛି । ଫଳରେ ଗୁଣପୁରଠାରେ ବଂଶଧାରା ନଦୀର ଜଳସ୍ତର ସତର୍କ ସଙ୍କେତ ପାଖାପାଖି ପହଞ୍ଚିଛି । ଅନ୍ୟପକ୍ଷରେ ବଡ଼ନାଳ ଡ୍ୟାମ୍ର ଗୋଟିଏ ଗେଟ୍ ଖୋଲାଯାଇଛି । ଆଗକୁ ଅଧିକ ବର୍ଷା ହେବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ଆଜି ତଳିଆ ଅଞ୍ଚଳବାସୀଙ୍କୁ ସଚେତନ କରାଯାଇଛି । ଉଚ୍ଚ ଯାଗାକୁ ଚାଲିଯିବା ଲାଗି ଗାଁ ଗାଁରେ ମାଇକ ଯୋଗେ ଘୋଷଣା କରାଯାଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଗଜପତି ଜିଲ୍ଲାର ଗୁମାରେ ୯୪ ମିମି, ନୂଆଗଡ଼ରେ ୭୨ ମିମି, ଆର୍. ଉଦୟଗିରିରେ ୭୫ ମିମି, ମୋହନାରେ ୧୩୩ ମିମି ବର୍ଷା ହୋଇଛି । ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁରରେ ୧୬.୬ ମିମି, ମୁନିଗୁଡ଼ାରେ ୧୮.୬ମିମି, ବିଷମକଟକରେ ୧୬.୪, ଗୁଡ଼ାରୀରେ ୨୦ମିମି, ପଦ୍ମପୁରରେ ୨୬.୪ ମିମି ଏବଂ ଗୁଣପୁରରେ ୩୨ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଆଜି ସକାଳ ୮ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଗୁଡ଼ାରୀରେ ୬.୮ ମିମି, କୁଟୁରାଗଡ଼ରେ ୧୪.୬ ଓ ଗୁଣପୁରରେ ୫.୪ ମିମି ବର୍ଷା ରେକର୍ଡ କରାଯାଇଛି । ଗଜପତି ଜିଲ୍ଲାରେ ବର୍ଷା ଲାଗି ରହିଥିବାରୁ ବଂଶଧାରାର ଉପରମୁଣ୍ଡରେ ପାଣି ମିଶୁଛି । ଲଗାଣ ବର୍ଷାକୁ ଆଖିରେ ରଖାଯାଇ ସୋମବାର ରାତିରୁ ବଡ଼ନାଳ ଡ୍ୟାମ୍ର ଗୋଟିଏ ଗେଟ୍ ଖୋଲାଯାଇଛି । ଏହି ଗେଟ୍ ଦେଇ ପ୍ରତି ସେକେଣ୍ଡରେ ୪୦ ଘନମିଟର ଜଳ ନିଷ୍କାସିତ ହେଉଛି । ଏସବୁ ସତ୍ତେ୍ୱ ଆଜି ସନ୍ଧ୍ୟାସୁଧା ଗୁଣପୁରରେ ବଂଶଧାରା ଜଳସ୍ତର ୮୨.୬୬ ମିଟରରେ ପହଞ୍ଚିଛି । ଏଠାରେ ସତର୍କ ସଙ୍କେତ ୮୩ ମିଟର ଓ ବିପଦସଙ୍କେତ ୮୪ ମିଟର ରହିଛି ।
ସତର୍କ ସଙ୍କେତ ପାଖରେ ଜଳସ୍ତର ପହଞ୍ଚିବା ପରେ ପ୍ରଶାସନ ସଜାଗ ହୋଇଛି । ଉପଜିଲ୍ଲାପାଳ ସୋନାଲ କୁମାର ଜେନା ଓ ତହସିଲଦାର ଲକ୍ଷ୍ମୀନାରାୟଣ ଶାବତ ଗୁଣପୁର ଅଞ୍ଚଳର ବିକ୍ରମପୁର, କତାଲୁଗୁଡ଼ା, କତୁରୁ, ପ୍ରଧାନୀଗୁଡ଼ା, ତୁର୍କାନୀଗୁଡ଼ା, ଗାଦିଆଖଳା, ଲିମାମଡ଼ା, ସୌରାପ୍ରଧାନୀଗୁଡ଼ା, ଚାଲକମ୍ବା, କାଲ୍ମା, ଡମ୍ବସରା, ବାଘଶଳା, ଜଗନାଥପୁର, କରମା ପ୍ରଭୃତି ଅଞ୍ଚଳ ବୁଲି ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି । ତଳିଆ ଅଞ୍ଚଳ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।


Comments are closed, but trackbacks and pingbacks are open.