ଜୟପୁର: ଟୋକନ୍ ଅବଧି ବୃଦ୍ଧି କରାଯାଉ । ଏଥିସହ ସପ୍ତାହକୁ ୨ଦିନ ବଦଳରେ ୩ ଦିନ ମଣ୍ଡି ଖୋଲାଯାଉ । ଏଭଳି ଦାବିରେ ଆଜି ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଘେରାଉ କରିଥିଲେ କାଳିଆଗାଁର ଚାଷୀ । ତୁରନ୍ତ ସେମାନଙ୍କ ସମସ୍ୟା ସମାଧାନ କରିବାକୁ ଦାବି କରିଥିଲେ । ଏ ଦିଗରେ ପଦକ୍ଷେପ ନେବେ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କହିଥିବା ଚାଷୀମାନେ ପ୍ରକାଶ କରିଛନ୍ତି ।
କାଳିଆଗାଁ ଅଞ୍ଚଳର ଚାଷୀ ମୁକୁନ୍ଦ ମାଳି, କମଳଲୋଚନ ମାଳି, ଅଭି ପଣ୍ଡା, ସନ୍ତୋଷ ପାଢି, ସେକ୍ ମୁକତାର, ପୁଲାସିଂ ହରିଜନ, ଜିତୁ ମାଳି, ବନସିଂ ହରିଜନ ପ୍ରମୁଖ କହିଛନ୍ତି ସପ୍ତାହକୁ ୨ ଦିନ ମଣ୍ଡିରୁ ଧାନ କିଣାଯାଉଛି । ଦିନକୁ ୫ ହଜାର କୁଇଣ୍ଟାଲ ଧାନ ହିଁ କିଣାଯାଉଛି । ୨୯ ତାରିଖରେ ପ୍ରାୟ ୧୨ ହଜାର କୁଇଣ୍ଟାଲ ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକନ ଆସିଥିଲା । କିନ୍ତୁ ପ୍ରଥମ ଦିନରେ ମାତ୍ର ୫ ହଜାର ଓ ପରବର୍ତ୍ତି ମଣ୍ଡିରେ ବଳକା ଚାଷୀଙ୍କ ଆଉ ୫ ହଜାର କୁଇଣ୍ଟାଲ ଧାନ କିଣାଯାଇଛି । ଏବେବି ସେଥିରୁ ୨ ହଜାର କୁଇଣ୍ଟାଲ ଧାନ ବିକ୍ରି କରିବାକୁ ଚାଷୀ ଅପେକ୍ଷା କରିଛନ୍ତି । ଆଜି ସେମାନେ ବିକ୍ରି କରିବା କଥା । କିନ୍ତୁ ଲ୍ୟାମ୍ପସ ପକ୍ଷରୁ ଧାନ କିଣାଗଲା ନାହିଁ । ଫଳରେ ସେମାନେ ଧାନ ବିକ୍ରି କରିବାରୁ ବଞ୍ଚିତ ହୋଇଛନ୍ତି । ଅବଧି ଶେଷ ହୋଇଯାଇଥିବାରୁ ସେମାନଙ୍କ ଟୋକନ ଅଚଳ ହୋଇଯାଇଛି । ସେମାନେ ଆଉ ଧାନ ବିକିପାରିବେ କି କି ନାହିଁ ଦ୍ୱନ୍ଦ୍ୱରେ ଅଛନ୍ତି । ଗତ ୨ ତାରିଖରେ ପୁଣି କେତେକ ଚାଷୀଙ୍କ ଟୋକନ ଆସିଛି । ସେମାନଙ୍କ ଧାନ କିଣାଯାଇନି । ଯଦି ଧାର୍ଯ୍ୟ ଅବଧି ମଧ୍ୟରେ ଧାନ କିଣାନଯିବ ସେମାନଙ୍କ ଟୋକନ ଅଚଳ ହୋଇଯିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ସପ୍ତାହକୁ ଆଉ ଗୋଟିଏ ଦିନ ଅଧିକ ମଣ୍ଡି ଖୋଲାଯାଉ । ସେହିପରି ଟୋକନ ଅବଧିକୁ ଅଧିକ ଦିନ ବୃଦ୍ଧି କରାଯାଉ ।
ରିପୋର୍ଟ: ବାସୁଦେବ ଜେନା
Comments are closed, but trackbacks and pingbacks are open.