ସଫେଇ କର୍ମଚାରୀଙ୍କୁ ମିଳିନି ଦରମା

Get real time updates directly on you device, subscribe now.

ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): କରୋନା ବେଳେ ସେମାନେ ଜୀବନକୁ ପାଣି ଛଡ଼ାଇ କାମ କରୁଛନ୍ତି । ଅଥଚ ପୌରସଂସ୍ଥାରେ କାର୍ଯ୍ୟରତ ୨୫୦ରୁ ଅଧିକ ସଫେଇ କର୍ମଚାରୀଙ୍କୁ ଦରମା ମିଳିନି । କାହାକୁ ମାସକର ତ ଆଉ କାହାକୁ ୫ ମାସର । ଠିକା ସଂସ୍ଥା ଆଜି କାଲି କହି ଦିନ ଗଡ଼ାଇ ଚାଲିଛି । ପ୍ରତିବାଦରେ ଆଜି କର୍ମଚାରୀମାନେ ଉପଜିଲ୍ଲାପାଳ ତଥା ପୌର ନିର୍ବାହୀ ଅଧିକାରୀ ହେମକାନ୍ତ ସୟଙ୍କୁ ଭେଟିଛନ୍ତି । ସମସ୍ୟା ସମାଧାନ ଲାଗି ଗୁହାରି କହିଛନ୍ତି । ୨ ଦିନ ଭିତରେ ସମସ୍ତଙ୍କୁ ଦରମା ମଳିବ ବୋଲି ଶ୍ରୀ ସୟ ପ୍ରତିଶ୍ରୁତି ଦେଇଥିବା କର୍ମଚାରୀମାନେ କହିଛନ୍ତି ।
ଆଜି ପୂର୍ବାହ୍ନ ୧୧ଟାରେ ଶତାଧିକ କର୍ମଚାରୀ ପୌର କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଠିକାଦାର ଦରମା ଦେଉନଥିବାରୁ ଉପଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିବାକୁ ନିଷ୍ପତ୍ତି ନେଇଥିଲେ । କର୍ମଚାରୀଙ୍କୁ ଛାଡ଼ି ୨୦ରୁ ଅଧିକ ଜମାଦାର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ଅସୁବିଧା ସମ୍ପର୍କରେ ଅବଗତ କରିଥିଲେ । କର୍ମଚାରୀମାନେ କହିଛନ୍ତି, ପୌର ସଂସ୍ଥାର ସଫେଇ କାମ ୨ଟି ଠିକାସଂସ୍ଥାକୁ ମିଳିଛି । ସେମାନଙ୍କ ଅଧୀନରେ ୨୫୦ରୁ ଅଧିକ ସୁଇପର, ଶ୍ରମିକ ଏବଂ ସୁପରଭାଇଜର କାମ କରୁଛନ୍ତି । ସୁଇପରମାନଙ୍କୁ ଦୈନିକ ୧୪୦ ଟଙ୍କା, ଶ୍ରମିକମାନଙ୍କୁ ଦୈନିକ ୩୨୦ ଟଙ୍କା ଏବଂ ସୁପରଭାଇଜରମାନଙ୍କୁ ମାସକୁ ୯ ହଜାର ଟଙ୍କା ପାରିଶ୍ରମିକ ମିଳୁଛି । ସୁଇପରମାନଙ୍କୁ ଗତ ୫ ମାସ ହେବ ଦରମା ମିଳିନଥିବା ବେଳେ ସୁପରଭାଇଜରମାନେ ୩ ମାସର ଦରମା ପାଇ ନାହାନ୍ତି । କୋରାପୁଟରୁ ଆସୁଥିବା ଶ୍ରମିକମାନେ ମାସେ ହେବ ସେମାନଙ୍କ ପାଉଣା ପାଇ ନାହାନ୍ତି । ଦରମା ନମିଳିବାରୁ ଆର୍ଥିକ ସମସ୍ୟା ଦେଖାଯାଉଛି । ପରିବାର ଚଳାଇବା ଅସମ୍ଭବ ହୋଇ ପଡିଛି । ସାଉକାର ଉଧାରୀ ଦେବାକୁ ମନା କରୁଛନ୍ତି । ଘରେ ବୟସ୍କ ଏବଂ ଛୋଟ ପିଲାଙ୍କ ଲାଳନପାଳନ କରି ହେଉନି । ନିୟମିତ ଦରମା ଦେବା ଲାଗି ଠିକାଦାରଙ୍କୁ ଅନୁରୋଧ କଲେ ସେ ବିଲ୍ ହୋଇ ନଥିବା କହୁଛନ୍ତି । ଆଜି କାଲି କହି ଭଣ୍ଡଉଛନ୍ତି । ପୌର ସଂସ୍ଥା ବିଲ୍ କରି ନଥିବାରୁ ସେ ଟଙ୍କା ଦେଇ ପାରୁ ନଥିବା ସଫେଇ ଦେଉଛନ୍ତି । ତେଣୁ ଉପଜିଲ୍ଲାପାଳଙ୍କୁ ସମସ୍ୟା ଜଣାଇଥିଲେ । ଠିକାଦାର ପୌରସଂସ୍ଥା ସହ ଏଗ୍ରୀମେଣ୍ଟ କରି ନଥିବାରୁ ସମସ୍ୟା ଦେଖାଯାଇଛି । ଦିନେ ୨ ଦିନ ଭିତରେ ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons