ସବୁ ଛାତ୍ରବୃତ୍ତି ପାଇଁ ଗୋଟିଏ ପୋର୍ଟାଲରେ ଆବେଦନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଛାତ୍ରବୃତ୍ତି ପାଇଁ ଭିନ୍ନ ଭିନ୍ନ ପୋର୍ଟାଲକୁ ଯାଇ ଆବେଦନ କରିବାକୁ ହେବନି ଛାତ୍ରଛାତ୍ରୀଙ୍କୁ । ଏଣିକି ମାତ୍ର ଗୋଟିଏ ପୋର୍ଟାଲ ଙ୍ଗଙ୍ଗଙ୍ଗ.ଗ୍ଦମଷକ୍ଟକ୍ଷବrଗ୍ଦଷସକ୍ଟ୍ର.କ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭରେ କ୍ଲିକ୍ କଲେ, ପିଲାମାନେ ସେମାନଙ୍କ ଛାତ୍ରବୃତ୍ତିର ଆବେଦନ କରିପାରିବେ । ଏହି ପୋର୍ଟାଲ ସହ ଅନ୍ତଃଜାତି ବିବାହ କରୁଥିବା ବ୍ୟକ୍ତିଙ୍କ ପାଇଁ ସୁମଙ୍ଗଳ ପୋର୍ଟାଲକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି ।
ଛାତ୍ରବୃତ୍ତି ପୋର୍ଟାଲ ଆରମ୍ଭ ପରେ ୧୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ । ରାଜ୍ୟ ସରକାରଙ୍କ ତରଫରୁ ଏବେ ୬ଟି ବିଭାଗ ଦ୍ୱାରା ୨୧ଟି ଛାତ୍ରବୃତ୍ତି ଦିଆଯାଉଛି । ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମରେ ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ ପାଇଁ ବୈଷୟିକ ବିଦ୍ୟାର ବ୍ୟାପକ ପ୍ରୟୋଗ ହେବା ଦରକାର । ବୈଷୟିକ ବିଦ୍ୟାର ପ୍ରୟୋଗ ଦ୍ୱାରା ହିଁ ଆମେ ସାଧାରଣ ଲୋକଙ୍କୁ ଦକ୍ଷତା ଓ ସ୍ୱଚ୍ଛତା ସହ ଠିକ୍ ସମୟରେ ସର୍ବୋକୃଷ୍ଟ ସେବା ଯୋଗାଇ ପାରିବା ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଭିନ୍ନ ବିଭାଗ ଅଧୀନରେ ୨୧ଟି ବୃତ୍ତି ପାଇଁ ଗୋଟିଏ ପୋର୍ଟାଲରେ ବୃତ୍ତି ପ୍ରଦାନ କରାଯାଉଛି । ଏହି ଏକକ ପୋର୍ଟାଲ ଦ୍ୱାରା ବୃତ୍ତି ପ୍ରଦାନ କରୁଥିବା ସରକାରୀ ବିଭାଗ ଓ ଆଶାୟୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୂରତ୍ୱ କମିବ । ସେମାନେ ସୁବିଧାରେ ଘରେ ବସି ଆବେଦନ କରିବା ସହ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ବୃତ୍ତି ପାଇପାରିବେ । ଅନୁସୂଚିତ ଜାତି, ଜନଜାତି, ଅନ୍ୟ ପଛୁଆବର୍ଗ, ସାମାଜିକ ଓ ଶିକ୍ଷାଗତଭାବେ ପଛୁଆବର୍ଗ ଆଦି ଅନଗ୍ରସର ଶ୍ରେଣୀର ଛାତ୍ରଛାତ୍ରୀମାନେ ଏହି ବୃତ୍ତିର ସୁବିଧା ପାଇବାରେ ସର୍ବାଗ୍ରେ ରହୁଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକଟ କରିଛନ୍ତି ।
ଦୁର୍ବଳ ଶ୍ରେଣୀର ପିଲାଙ୍କ ଶିକ୍ଷା ସୁବିଧା ରାଜ୍ୟ ସରକାରଙ୍କ ପ୍ରାଥମିକତା ରହିଛି । ଏକକ ପୋର୍ଟାଲ ଦ୍ୱାରା ସେମାନେ ବିଶେଷ ଭାବେ ଉପକାର ପାଇବେ । ଅନୁସୂଚିତ ଜନଜାତି, ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ଶ୍ରମ ଓ ଇଏସ୍ଆଇ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଓ କୃଷି ବିଭାଗ ସବୁ ବୃତ୍ତି ଛାତ୍ରବୃତ୍ତି ପୋର୍ଟାଲ ଜରିଆରେ ଆବେଦନ କରିହେବ । ରାଜ୍ୟ ଟ୍ରେଜେରୀ ସହିତ ଏହି ପୋର୍ଟାଲ ଲିଙ୍କ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟଙ୍କୁ ବୃତ୍ତିରାଶି ସିଧାସଳଖ ଜମା ହୋଇପାରିବ ।
ସୁମଙ୍ଗଳ ପୋର୍ଟାଲକୁ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଅନ୍ତଃଜାତି ବିବାହ ଦ୍ୱାରା ସାମାଜିକ ଏକତା ବଢ଼ିବା ସହ ଜାତିଗତ ବାଛବିଚାର ହ୍ରାସ ପାଇବ । ସମାଜରେ ସମାନତା ଓ ଶାନ୍ତିପୂର୍ଣ୍ଣ ସହବସ୍ଥାନ ବୃଦ୍ଧି ପାଇବ । ସୁମଙ୍ଗଳ ପୋର୍ଟାଲ ଏହି ଦିଗରେ ବହୁ ପରିମାଣରେ ସହାୟକ ହୋଇପାରିବ । ଙ୍ଗଙ୍ଗଙ୍ଗ. ଗ୍ଦଙ୍କଜ୍ଞବଦ୍ଭଶବକ୍ଷବ.କ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭରେ ଆବେଦନ କଲେ, ଆନ୍ତଃ ଜାତି ବିବାହ କରିଥିବା ଯୋଗ୍ୟ ହିତାଧିକାରୀମାନେ ୬୦ ଦିନ ମଧ୍ୟରେ ପ୍ରୋତ୍ସାହନ ରାଶି ଆକାରରେ ଅଢେ଼ଇ ଲକ୍ଷ ଟଙ୍କା ପାଇପାରିବେ ।
ଦୁଇ ପୋର୍ଟାଲ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, କେବଳ ଅନୁସୂଚିତ ଜାତି ଓ ଜନଜାତି ବିକାଶ ଅଧୀନରେ ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ବୃତ୍ତି ପାଉଛନ୍ତି । ୫-ଟି କାର୍ଯ୍ୟକ୍ରମ ଜରିଆରେ ବ୍ୟାପକ ପରିବର୍ତ୍ତନ ସୁଯୋଗ ଆଣିବାରେ ଓଡ଼ିଶା ଆଜି ଅନ୍ୟରାଜ୍ୟଙ୍କ ପାଇଁ ଉଦାହରଣ ପାଇଟିଛି । ଏହାର ଶ୍ରେୟ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯାଉଛି ।
କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସଚିବ ଅଞ୍ଜନା ଚୋପ୍ରା, ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ଉପସ୍ଥିତ ଥିଲେ ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର୍. ବାଲାକ୍ରିଷ୍ଣନ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ରବ୍ରତ ସାହୁ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ୍ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସଂପୃକ୍ତ ବିଭାଗର କ୍ଷେତ୍ର କର୍ମଚାରୀ ଅଂଶ ଗ୍ରହଣ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons