ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସରକାର ଆଜି ହୋମ୍ କ୍ୱାରେଣ୍ଟାଇନ୍ ଓ ଡିସ୍ଚାର୍ଜ ମାର୍ଗଦର୍ଶିକାରେ ପରିବର୍ତ୍ତନ ଆଣିଛନ୍ତି । ବିଲକୁଲ୍ ଲକ୍ଷଣ ନଥିବା କିମ୍ବା ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀ ଆଉ କୋଭିଡ୍ ହସ୍ପିଟାଲ ଯିବେନି । ଯଦି ସେମାନଙ୍କ ଘରେ ସୁବିଧା ଥିବ, ତେବେ ରୋଗୀ ଘରେ ପୃଥକବାସରେ ରହିପାରିବେ । ହେଲେ ସେ ମେଡିକାଲ ସର୍ଭେଲାନ୍ସରେ ରହିବେ । ହୋମ୍ କ୍ୱାରେଣ୍ଟାଇନ୍ ମାର୍ଗଦର୍ଶିକାରେ ଏମିତି ପରିବର୍ତ୍ତନ ହୋଇଥିବା ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଶ୍ରୀ ମହାପାତ୍ର କହିଛନ୍ତି, କେବଳ ସହରାଞ୍ଚଳ ରୋଗୀ ଘରେ ରହିପାରିବେ । ତେବେ ଗ୍ରାମାଞ୍ଚଳ ଆକ୍ରାନ୍ତଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯିବ । ଗ୍ରାମାଞ୍ଚଳର ଯେଉଁ ଆକ୍ରାନ୍ତ ଘରେ ରହିବାକୁ ଅନୁମତି ମାଗିବେ, ତେବେ ପ୍ରଶାସନ ଏଥିପାଇଁ ଅନୁମତି ଦେଇ ପାରିବ । ସହରାଞ୍ଚଳ ହେଉ କି ଗ୍ରାମାଞ୍ଚଳର ଗୁରୁତର ରୋଗୀଙ୍କୁ କିନ୍ତୁ ପୂର୍ବଭଳି ହସ୍ପିଟାଲକୁ ଆଣି ଚିକିତ୍ସା କରାଯିବ । ଘରେ ଥିବା ପଜିଟିଭ୍ ଆକ୍ରାନ୍ତଙ୍କୁ କିନ୍ତୁ ପୃଥକବାସରେ ନିୟମକାନୁନ୍ ମାନି ଚଳିବାକୁ ହେବ । ପୃଥକବାସରେ ଥିବା ବ୍ୟକ୍ତିଙ୍କ ହାତରେ ଅଲିଭା କାଳି ଷ୍ଟାମ୍ପ ଲାଗିବ । ତାଙ୍କ ଘର ସମ୍ମୁଖରେ କ୍ୱାରେଣ୍ଟାଇନ୍ ଷ୍ଟିକର ମଧ୍ୟ ମରାଯିବ । ଯେଉଁ ଆକ୍ରାନ୍ତଙ୍କ ଘରେ ଶୌଚାଳୟ ବା କୋଠରୀ ନଥିବ, ସରକାରଙ୍କ ଦ୍ୱାରା ଅନୁÂାନିକ ପୃଥକବାସର ବ୍ୟବସ୍ଥା କରାଯିବ ।
ରାଜ୍ୟରେ ଯେତିକି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଏହାର ୯୦ ଭାଗ ହେଉଛନ୍ତି ସାମାନ୍ୟ କିମ୍ବା ଲକ୍ଷଣ ନଥିବା ଆକ୍ରାନ୍ତ । ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଲକ୍ଷଣ ନଥିବା ସଂକ୍ରମିତକୁ ହସ୍ପିଟାଲ ଆଣି ବେଡ୍ ପୂରଣ କରାଯିବନି । ଗୁରୁତର ନୂଆ ରୋଗୀଙ୍କୁ ଏହି ସେଣ୍ଟରକୁ ଅଣାଯାଇ ପାରିବ । ସରକାର ଏଥିପାଇଁ ମାର୍ଗଦର୍ଶିକାରେ ନିୟମ କୋହଳ କରିଛନ୍ତି ।
ଏହାବାଦ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ଆକ୍ରାନ୍ତଙ୍କ ଡିସ୍ଚାର୍ଜ ମାର୍ଗଦର୍ଶିକାରେ ପରିବର୍ତ୍ତନ ହୋଇଛି । ଗତକାଲି କେନ୍ଦ୍ର ସରକାର ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଆଜି ରାଜ୍ୟ ସରକାର ଏଥିରେ କିଛିଟା ପରିବର୍ତ୍ତନ କରି ନୂଆ ମାର୍ଗଦର୍ଶିକା ଆଣିଛନ୍ତି । ସାମାନ୍ୟ ଓ ଲକ୍ଷଣ ନଥିବା ରୋଗୀ ଲକ୍ଷଣ ପ୍ରକାଶ ପାଇବାର ୧୦ ଦିନ ପରେ କିମ୍ବା ୩ ଦିନ ଧରି ଜ୍ୱର ନଥିଲେ, ରୋଗୀଙ୍କୁ ଡିସଚାର୍ଜ କରାଯାଇପାରିବ । ତେବେ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଲକ୍ଷଣ ପ୍ରକାଶ ପାଇବା ବନ୍ଦ ହେଲେ, ତିନି ଦିନ ପରେ ଯାଇ ଡିସଚାର୍ଜ କରାଯାଇ ପାରିବ । କେନ୍ଦ୍ର ସରକାରଙ୍କ ଏହି ମାର୍ଗଦର୍ଶିକାରେ ପରିବର୍ତ୍ତନ ଆଣିବା ସହ ରାଜ୍ୟ କଠୋର ହୋଇଛି । ରୋଗୀ ଡିସ୍ଚାର୍ଜ ପରେ କେନ୍ଦ୍ର ସରକାର ୭ ଦିନର କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରିଛନ୍ତି । ସରକାର ଏହାକୁ ୧୪ ଦିନକୁ ବୃଦ୍ଧି କରିଛନ୍ତି । ତେବେ ଘରେ ପୃଥକବାସ ସମୟରେ ବ୍ୟକ୍ତିଙ୍କ ହାତରେ ଅଲିଭା କାଳିର ଷ୍ଟାମ୍ପ ମରାଯିବ । ହାତରେ ଏକ ବ୍ୟାଣ୍ଡ ମଧ୍ୟ ପିନ୍ଧିବେ ।
ପୃଥକବାସରେ ଥିବା ବ୍ୟକ୍ତି ବା ତାଙ୍କ ପରିବାର ବର୍ଗ ଘର ଭିତରେ ଓ ବାହାରେ ବୁଲାବୁଲି ପ୍ରତି ସତର୍କ ରହିବେ । ଘରକୁ କାହାକୁ ଆସିବାକୁ ଅନୁମତି ଦେବେ ନାହିଁ । ଘର ଆଗରେ ତାଙ୍କର କ୍ୱାରେଣ୍ଟାଇନ୍ ଷ୍ଟିକର ମରାଯିବ । ଏଠାରେ ମଧ୍ୟ ଘରେ ଶୌଚାଳୟ ନଥିଲେ, ସରକାରୀ ବ୍ୟବସ୍ଥାରେ ରହିବେ ।
ସାମ୍ବାଦିକ ସମ୍ମିଳନୀରେ ସରକାରୀ ମୁଖପାତ୍ର ସୁବ୍ରତ ବାଗ୍ଚୀ ସୂଚନା ଦେଇ କହିଛନ୍ତି, ଚିହ୍ନଟ ହୋଇଥିବା ଶେଷ ୨୪୧ ଆକ୍ରାନ୍ତଙ୍କ ମଧ୍ୟରେ ୨୨୮ ଜଣ ହୋମ୍ କ୍ୱାରେଣ୍ଟାଇନ୍ରେ ଥିଲେ । ତେବେ ମାତ୍ର ୧୨ ଜଣ ସହର କିମ୍ବା ଗ୍ରାମାଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଗ୍ରାମାଞ୍ଚଳରେ କ୍ୱାରେଣ୍ଟାଇନ୍ରେ ଥିବା ବ୍ୟକ୍ତି ସେଣ୍ଟର ମଧ୍ୟରେ ଥିବା ବିଭିନ୍ନ ଉନ୍ନତିମୂଳକ କାମରେ ନିଜକୁ ନିୟୋଜିତ କରିପାରିବେ । ସାମାଜିକ ଦୂରତା ରକ୍ଷା କରି ସେମାନେ ସଫେଇ, ଗଛ ଲଗାଇବା, ରଙ୍ଗ ମାରିବା ଭଳି କାମ କଲେ, ତାଙ୍କୁ ଦୈନିକ ୧୫୦ ଟଙ୍କାର ପାରିଶ୍ରମିକ ମିଳିବ । ୧୦ ଦିନ ପାଇଁ ଜଣଙ୍କୁ ୧,୫୦୦ ଟଙ୍କା ଦିଆଯିବ ।
କ୍ୱାରେଣ୍ଟାଇନ୍ ସେଣ୍ଟରରେ ସେମାନଙ୍କୁ କରୋନା ମୁକାବିଲାର ମନ୍ତ୍ର ମଧ୍ୟ ଦିଆଯିବ । କ’ଣ କରିବା, କ’ଣ ନକରିବା ଦରକାର ସେ ସମ୍ପର୍କରେ ସେମାନଙ୍କୁ ତାଲିମ ଦିଆଯିବ । ଏଠାରୁ ଶିଖିବା ପରେ ଗାଁ କୁ ଯିବା ପରେ ସେମାନେ ଅନ୍ୟ ମାନଙ୍କୁ ତାଲିମ ଦେବେ । ତେବେ କ୍ୱାରେଣ୍ଟାଇନ୍ ସେଣ୍ଟର ସରପଞ୍ଚଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରହଛିି । ସେ ନିୟମିତ ଭାବେ ସେଣ୍ଟର ଗସ୍ତ କରିବା ସହ କ୍ୱାରେଣ୍ଟାଇନ୍ରେ ଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିବେ । କୌଣସି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟରେ ଅବନତି ହେଲେ, ତୁରନ୍ତ ତାଙ୍କର ନମୁନା ପରୀକ୍ଷା ସହ ପଜିଟିଭ୍ ଆସିଲେ, ତାଙ୍କୁ ଅଲଗା କରାଯିବା ସହ ଚିକିତ୍ସା ବ୍ୟବସ୍ଥା କରାଯିବ । ଏବେ ରାଜ୍ୟରେ ୬୭୦୦ଟି କେନ୍ଦ୍ରରେ ୪୭ ହଜାର ବ୍ୟକ୍ତି ରହିଛନ୍ତି । ତେବେ ବୟସ୍କ, ଗର୍ଭବତୀ ମହିଳା ଓ ୫ ବର୍ଷରୁ କମ୍ ବୟସର ଶିଶୁଙ୍କୁ ପରୀକ୍ଷା ପରେ ନେଗେଟିଭ୍ ଆସିଲେ, ଘରକୁ ଛଡ଼ାଯିବ । ସେମାନେ ନିଜ ଘରେ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବେ ।
Comments are closed, but trackbacks and pingbacks are open.