ସବୁ ମାପକରେ ପାକ୍ ପଛୁଆ

Get real time updates directly on you device, subscribe now.

ଇସ୍ଲାମାବାଦ:ପାକିସ୍ତାନ ବଜେଟ୍ ଏହାର ବିଶ୍ୱସନୀୟତା ହରାଇଛି । ପ୍ରାୟ ସବୁ ପରିଚାଳନାତ୍ମକ ମାପକରେ ଦେଶ ପଛୁଆ ରହିଥିବା ବିଶ୍ୱବ୍ୟାଙ୍କ ଏହାର ରିପୋର୍ଟରେ ପ୍ରକାଶ କରିଛି । ଦେଶର ସାଧାରଣ ଋଣ ପରିଚାଳନା ବ୍ୟବସ୍ଥା ଟଳିପଡ଼ିଥିବା ଏହା କହିଛି ।
ସାଧାରଣ ବ୍ୟୟ ଏବଂ ଆର୍ଥିକ ଉତ୍ତରଦାୟିତ୍ୱ(ପିଇଏଫ୍ଏ) ରିପୋର୍ଟ ପ୍ରକାଶ କରି ବିଶ୍ୱ ବ୍ୟାଙ୍କ କହିଛି ଯେ, ୨୦୧୫-୧୬ରୁ ୨୦୧୭-୧୮ ଯାଏ ପାକିସ୍ତାନ ପ୍ରସ୍ତୁତ କରିଥିବା ବଜେଟ୍ର କୌଣସି ଅସ୍ତିତ୍ୱ ନାହିଁ । ଏହା ଦେଶକୁ ଆଗକୁ ବଢ଼ାଇବା ବଦଳରେ ଅଧିକ ପଛକୁ ପଛକୁ ନେଇଛି । ଏହା ପାକ୍ ଅର୍ଥ ମନ୍ତ୍ରାଳୟର ବିଫଳତାକୁ ସ୍ପଷ୍ଟ ଭାବେ ପ୍ରଦର୍ଶନ କରୁଛି । ପାକିସ୍ତାନର ଅର୍ଥ ମନ୍ତ୍ରାଳୟର ପ୍ରଦର୍ଶନ ଅତ୍ୟନ୍ତ ଦୁର୍ବଳ ରହିଛି । ଏହା ନିଜର ଦାୟିତ୍ୱ ସମ୍ଭାଳିବାରେ ବିଫଳ ହୋଇଛି । ଏହା ବିତ୍ତୀୟ ନିୟମଗୁଡିକୁ ଉଲ୍ଲଂଘନ ହେବାକୁ ଦେଇଥିବା ବିଶ୍ୱ ବ୍ୟାଙ୍କ କହିଛି ।
ତେବେ ରିପୋର୍ଟରେ କୋହଳତା ଦେଖାଇବା ପାଇଁ ପାକ୍ ଅର୍ଥ ମନ୍ତ୍ରାଳୟ ବିଶ୍ୱ ବ୍ୟାଙ୍କ ଉପରେ ଚାପ ପକାଇ ଆସୁଥିଲା । ସୂତ୍ରରୁ ଜଣାଯାଇଛି ଯେ, ଅର୍ଥ ମନ୍ତ୍ରାଳୟର ବିଭିନ୍ନ ବିଭାଗ ବିଫଳତା ପାଇଁ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।
୨୦୧୨ରେ ମଧ୍ୟ ଏଭଳି ଏକ ରିପୋର୍ଟ ବିଶ୍ୱ ବ୍ୟାଙ୍କ ପକ୍ଷରୁ ପ୍ରକାଶ ପାଇଥିଲା । ଏହାର ଯଦି ତୁଳନା କରାଯାଏ ତେବେ ବର୍ତ୍ତମାନ ପ୍ରାୟ ସବୁ ମାପଦଣ୍ଡ ଏବଂ ସମସ୍ତ ୭ଟି ଯାକ ସ୍ତମ୍ଭରେ ପାକିସ୍ତାନ ଅର୍ଥନୀତି ଦୁର୍ବଳ । ରିପୋର୍ଟରେ ଦର୍ଶାଯାଇଛି ଯେ, ୩୧ଟି ପରିଚାଳନାତ୍ମକ ମାପକରେ ପାକ୍ର ପ୍ରଦର୍ଶନ ଅତ୍ୟନ୍ତ ଦୁର୍ବଳ ରହିଛି ।
୨୦୧୨ରେ ପ୍ରକାଶ ପାଇଥିବା ରିପୋର୍ଟରେ ପାକ୍ ୫ଟି ‘ଏ’ ଗ୍ରେଡ୍ ହାସଲ କରିଥିଲା । କିନ୍ତୁ ୨୦୧୯ରେ ଗୋଟିଏ ହେଲେ ମାପକରେ ଏହା ‘ଏ’ ଗ୍ରେଡ୍ ହାସଲ କରିନାହିଁ । ବଜେଟ୍ର ବର୍ଗୀକରଣ, ବଜେଟ୍ ତଥ୍ୟର ବ୍ୟାପକତା, ଆନ୍ତଃ-ସରକାରୀ ବିତ୍ତୀୟ କାର୍ଯ୍ୟକଳାପରେ ସ୍ୱଚ୍ଛତା, ବଜେଟ୍ ପ୍ରକ୍ରିୟାରେ ଯୋଗଦାନ ଆଦି କ୍ଷେତ୍ରରେ ଏହାର ସ୍କୋର ଅତ୍ୟନ୍ତ ଖରାପ ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ସାଧାରଣତଃ ‘ଡି ପ୍ଲସ’ ଏବଂ ‘ଡି’କୁ ସବୁଠାରୁ ନିମ୍ନ ସ୍କୋର ବୋଲି ଧରାଯାଇଥାଏ । ୨୦୧୨ରେ ଏହା ୬ଟି ‘ଡି’ ଏବଂ ‘ଡି ପ୍ଲସ୍’ ସ୍କୋର କରିଥିଲା । ୨୦୧୯ରେ ଏହା ୧୩ଟି ‘ଡି’ ଏବଂ ‘ଡି ପ୍ଲସ’ ସ୍କୋର କରିଛି । ଏଥିରୁ ଅର୍ଥ ମନ୍ତ୍ରାଳୟର ଅତି ଦୁର୍ବଳ ପ୍ରଦର୍ଶନ ସମ୍ପୂର୍ଣ୍ଣ ବାରି ହେଉଛି । ୨୦୧୨ରେ ଏହା ୧୦ଟି ‘ସି’ ସ୍କୋର ଲାଭ କରିଥିଲା । ୨୦୧୯ରେ ଏହା ୮କୁ ଖସିଆସିଛି ।
ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ବ୍ୟୟ ଏବଂ ରାଜସ୍ୱ ହ୍ରାସ ଯୋଗୁ ପାକ୍ର ରେଟିଂକୁ ବିଶ୍ୱ ବ୍ୟାଙ୍କ ଅତି ତଳକୁ ହ୍ରାସ କରିଛି । ଅନେକ କ୍ଷେତ୍ରରେ ଏହାର ପ୍ରଦର୍ଶନ ଦୁର୍ବଳ ରହିଛି । ସେବା ଯୋଗାଣ ନେଇ ମନ୍ତ୍ରାଳୟ ନିକଟରେ ତଥ୍ୟର ଅଭାବ ରହିଛି । ବାର୍ଷିକ ଆର୍ଥିକ ବିବରଣୀ, ସାର୍ବଜନୀନ ସମ୍ପତ୍ତି ଏବଂ ରାଜସ୍ୱ ପ୍ରଶାସନ ଅତ୍ୟନ୍ତ ନିମ୍ନମାନର ରହିଥିବା ବିଶ୍ୱ ବ୍ୟାଙ୍କ ପକ୍ଷରୁ ପ୍ରକାଶ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons