ଭୁବନେଶ୍ୱର,(ବି.ବି.ବ୍ୟୁରୋ): କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାଜ୍ୟ ସରକାର ବିଜୁ ପକ୍କାଘର ଯୋଜନାରେ ହିତାଧିକାରୀଙ୍କୁ ଘର ପାଇଁ ଆର୍ଥିକ ସହାୟତା ଦେଉଛନ୍ତି । କିନ୍ତୁ ପରିବାରର ଆକାର ଦୃଷ୍ଟିରୁ ବଡ଼ ଘର ଆବଶ୍ୟକତା ପଡୁଛି । ଏଣୁ ରାଜ୍ୟ ସମବାୟ ହାଉସିଂ କର୍ପୋରେସନ ଘର ତିଆରି ପାଇଁ ଆର୍ଥିକ ପଛୁଆ ଶ୍ରେଣୀର ଲୋକଙ୍କୁ ଲକ୍ଷେରୁ ୨ ଲକ୍ଷ ଟଙ୍କା ଯାଏ ଆର୍ଥିକ ସହାୟତା ଯୋଗାଇ ଦେଉ । ରାଜ୍ୟ ସମବାୟ ହାଉସିଂ କର୍ପୋରେସନକୁ ଏଭଳି ପ୍ରସ୍ତାବ ଦେଇଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
ଶନିବାର ଜାତୀୟ କୋ-ଅପରେଟିଭ୍ ହାଉସିଂ ଫେଡେରେସନର ୧୮୩ତମ ବୋର୍ଡ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି, ନିଜର ଏକ ଘର ତିଆରି କରିବା ପାଇଁ ସମସ୍ତଙ୍କର ସ୍ୱପ୍ନ ଥାଏ । ଲୋକଙ୍କ ଏହି ସ୍ୱପ୍ନକୁ ପୂରା କରିବାକୁ ସମବାୟ ଗୃହ ନିର୍ମାଣ ସଂସ୍ଥାଗୁଡ଼ିକ ପ୍ରୟାସ କରନ୍ତୁ । ଜନସଂଖ୍ୟା ବୃଦ୍ଧି ଓ ଦ୍ରୁତ ସହରୀକରଣ ଯୋଗୁଁ ସହରରେ ବାସଗୃହର ଅଭାବ ଦେଖା ଦେଉଛି । ନିମ୍ନ ଓ ମଧ୍ୟମ ଆୟବର୍ଗର ଲୋକେ ସମସ୍ୟା ଭୋଗୁଛନ୍ତି । ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ଭାରତରେ ସମବାୟ ଏକ ଆନ୍ଦୋଳନର ରୂପ ନେଇଥିଲା । ଗୃହ ନିର୍ମାଣ କ୍ଷେତ୍ରରେ ସମବାୟକୁ ସାମିଲ କରିବାକୁ ଜାତୀୟ ସମବାୟ ହାଉସିଂ ଫେଡେରେସନ ପ୍ରତିଷ୍ଠା କରାଯାଇଥିଲା । ଗୃହ ନିର୍ମାଣ କ୍ଷେତ୍ରରେ ଜାତୀୟକରଣ ବ୍ୟାଙ୍କ ଓ ହୁଡ୍କୋ ପ୍ରମୁଖ ଭୂମିକା ନେଉଛନ୍ତି । ନିମ୍ନ ଓ ମଧ୍ୟମ ଆୟ ବର୍ଗଙ୍କୁ ରାଜ୍ୟର ସମବାୟ ଗୃହନିର୍ମାଣ ନିଗମଗୁଡ଼ିକ ଗୃହ ଋଣ ଦେଉଛନ୍ତି । କିନ୍ତୁ ରାଜ୍ୟର ଏହି ସଂସ୍ଥାଗୁଡ଼ିକ ପେଶାଦାର ପରିଚାଳନାରେ ଅକ୍ଷମ । ଆର୍ଥିକ ପରିଚାଳନାରେ ବି ସ୍ୱଚ୍ଛଳ ନୁହଁନ୍ତି । ଏଥିପାଇଁ ସେମାନେ ଅନ୍ୟ ଅର୍ଥ ଲଗାଣକାରୀ ସଂସ୍ଥା ସହ ପ୍ରତିଯୋଗିତା କରିପାରୁନାହାନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ରାଜ୍ୟ କୋ-ଅପରେଟିଭ ହାଉସିଂ କର୍ପୋରେସନଗୁଡ଼ିକ ଆର୍ଥିକ ପରିଚାଳନା ଦୃଷ୍ଟିରୁ ମଜବୁତ୍ ହୁଅନ୍ତୁ ବୋଲି ସେ କହିଛନ୍ତି ।
ବୈଠକରେ ନ୍ୟାସନାଲ କୋ-ଅପରେଟିଭ୍ ହାଉସିଂ ଫେଡେରେସନର ଅଧ୍ୟକ୍ଷ ଏସ୍. ଏନ୍ ଶର୍ମା, ମଧ୍ୟପ୍ରଦେଶ ସମବାୟ ମନ୍ତ୍ରୀ ଡ. ଗୋବିନ୍ଦ ସିଂହ, ଦିଲ୍ଲୀ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ରାଜସ୍ଥାନ, ଛତିଶଗଡ଼, ଉତ୍ତରାଖଣ୍ଡ ରାଜ୍ୟର ସମବାୟ ହାଉସିଂ କର୍ପୋରେସନ୍ର ନିର୍ଦ୍ଦେଶକ ଓ ପ୍ରବନ୍ଧକଙ୍କ ସମେତ ସମବାୟ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.