କୋଣାର୍କ, (ବି.ବି.ନୁ୍ୟଜ୍) : ଚନ୍ଦ୍ରଭାଗା ସମୁଦ୍ର ବେଳାଭୂମିରେ ଥିବା ଅସ୍ଥାୟୀ କଇଁଛ ସୁରକ୍ଷା ଓ ପ୍ରଜନନ କେନ୍ଦ୍ରରୁ ୧୦୦ ଅଲିଭରିଡ୍ଲେ କଇଁଛ ଛୁଆଙ୍କୁ ମଙ୍ଗଳବାର ଅପରାହ୍ନରେ ସମୁଦ୍ର ମଧ୍ୟକୁ ଛଡ଼ାଯାଇଛି । ଏହି ନବଜାତକ କଇଁଛ ଛୁଆ ଗୁଡ଼ିକ ବେଳାଭୂମିରୁ ଧିରେଧିରେ ସମୁଦ୍ର ମଧ୍ୟକୁ ଯାଉଥିବାର ଦୃଶ୍ୟ ବେଶ୍ ଚିତାକର୍ଷକ ଥିଲା । ପୂର୍ବରୁ ଅଲିଭରିଡ୍ଲେ କଇଁଛଙ୍କ ଅଣ୍ଡା ସଂଗ୍ରହ କରି ପ୍ରଜନନ କେନ୍ଦ୍ରରେ ରଖାଯାଇ ଅଣ୍ଡାଗୁଡ଼ିକରୁ ଛୁଆ ଫୁଟିବାମାତ୍ରେ ଦାୟିତ୍ୱରେ ଥିବା ଅଧିକାରୀ ବନପାଳ ବିଜୟଲକ୍ଷ୍ମୀ ବଳ, ବନରକ୍ଷୀ ନିର୍ମଳ ପାତ୍ର ଓ ରାମ ପ୍ରଧାନ ଏହି ଛୁଆଗୁଡ଼ିକୁ ନେଇ ସମୁଦ୍ରରେ ଛାଡ଼ିଥିଲେ ।
ସୂଚନା ଥାଉକି, ଅପ୍ରେଲ ୨୧ ତାରିଖ ପର୍ଯ୍ୟନ୍ତ କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅଧୀନ ଚନ୍ଦ୍ରଭାଗା ଓ କଅଁରପୁର ଅସ୍ଥାୟୀ କଇଁଛ ସୁରକ୍ଷା ଏବଂ ପ୍ରଜନନ କେନ୍ଦ୍ରରେ ୧୭୯ ବସାରୁ ୧୯୧୮୨ଅଣ୍ଡା ସଂଗ୍ରହ କରାଯାଇଥିଲା । ଗତ ଜାନୁୟାରୀ ମାସ ଶେଷ ସପ୍ତାହରୁ ଅପ୍ରେଲ ୨୧ ତାରିଖ ପର୍ଯ୍ୟନ୍ତ କଅଁରପୁର ଅସ୍ଥାୟୀ କଇଁଛ ସୁରକ୍ଷା ପ୍ରଜନନ କେନ୍ଦ୍ରରେ ୧୦୮ବସାରୁ ୧୨ ହଜାର ୩୪ ଅଣ୍ଡା, ଚନ୍ଦ୍ରଭାଗା ଅସ୍ଥାୟୀ କଇଁଛ ସୁରକ୍ଷା ଓ ପ୍ରଜନନ କେନ୍ଦ୍ରରେ ୭୧ବସାରୁ ୭ହଜାର୧୪୮ ଅଣ୍ଡା ସଂଗ୍ରହ କରାଯାଇ ସତର୍କତାର ସହିତ ବାଲିରେ ପୋତା ଯାଇଛି । ପ୍ରାୟ ୪୫ରୁ ୫୦ ଦିନ ମଧ୍ୟରେ ଏହି ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ ହୋଇଥାଏ । ଛୁଆ ଫୁଟିବା ମାତ୍ରେ ବିଭାଗ ପକ୍ଷରୁ ଅତ୍ୟନ୍ତ ସତର୍କତାର ସହ ପ୍ରଥମେ ଏକ ଟ୍ରେରେ ସୁରକ୍ଷିତ ଉପାୟରେ ସଂଗ୍ରହ କରାଯିବା ପରେ ସମୁଦ୍ରରେ ଛାଡି ଦିଆଯାଇଥାଏ । ଗତ ବର୍ଷ ଅସ୍ଥାୟୀ କଇଁଛ ସୁରକ୍ଷା ଓ ପ୍ରଜନନ କେନ୍ଦ୍ରରେ ୨୧ହଜାର୪୭୪ ଅଣ୍ଡା ସଂଗ୍ରହ କରାଯାଇଥିଲା । ପର୍ଯ୍ୟାୟକ୍ରମେ ଆସନ୍ତା ୧୫ ଦିନରେ ଅବଶିଷ୍ଟ ବସାରେ ଥିବା ଅଣ୍ଡାଗୁଡ଼ିକରୁ ଛୁଆ ଫୁଟିଲେ ସମୁଦ୍ର ମଧ୍ୟକୁ ଛଡ଼ାଯିବ ବୋଲି କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ବେଣୁଧର ବେହେରା ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.