କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇ ଦୁର୍ଘଟଣାର ସମ୍ମୁଖୀନ ହୋଇ ବୁଡ଼ିଯାଇଛି ରାମଚଣ୍ଡୀ ନାମକ ମାଛଧରା ଡଙ୍ଗା । ଏହି ଡଙ୍ଗା ଦୁର୍ଘଟଣାରେ ଜଣେ ମତ୍ସ୍ୟଜୀବୀ ନିଖୋଜ ଥିବା ବେଳେ ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀମାନେ ହେଲେ ଜମ୍ୱୁର ପହଲି ଦାସ(୪୫), ଗୌତମ ଦାସ(୪୨) ଓ ବିଶ୍ୱନାଥ ଗରାମି(୫୦) । ନିଖୋଜ ବ୍ୟକ୍ତି ମଧ୍ୟ ସେଇ ଜମ୍ୱୁ ଅଞ୍ଚଳର ତପନ କୁମାର ଦାସ(୪୦) ବୋଲି ପ୍ରାପ୍ତ ଖବରରୁ ସୂଚନା ମିଳିଛି ।
ତେବେ ଯେଉଁ ୩ ଜଣ ସୌଭାଗ୍ୟବଶତଃ ଉଦ୍ଧାର ହୋଇଛନ୍ତି ସେମାନଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇଥିଲା ପ୍ଲାଷ୍ଟିକ ଜାରକିନ୍ । ସମୁଦ୍ରର ଅଥଳ ଚଳରାଶିରେ ଜୀବନ ରକ୍ଷାକାରୀ ଭଳି କାମ ଦେଇଥିଲା ଜାର୍କିନ୍ ଗୁଡ଼ିକ । ଡଙ୍ଗା ବୁଡ଼ି ଯାଉଥିବା ଦେଖି ମଝି ସମୁଦ୍ରରେ ଜୀବନ ବଞ୍ଚାଇବାକୁ ଯାଇ ଉପସ୍ଥିତ ବୁଦ୍ଧି ଖଟାଇ ତିନି ଜଣ ବୋଟ୍ରେ ଥିବା ଜାରକିନ୍ ଗୁଡ଼ିକୁ ଜାବୁଡ଼ି ଧରି ପାଣିରେ ଭାସି ରହିଥିଲେ । ପରେ ପାଖରେ ଥିବା ଡଙ୍ଗା ସେଠାକୁ ଚାଲିଆସି ସେମାନଙ୍କୁ ଉଦ୍ଧାର କରିଥିଲା । ଦୁର୍ଘଟଣା ସନ୍ଧ୍ୟା ସମୟରେ ଘଟିଥିବାରୁ ଘନ ଅନ୍ଧକାରରେ ନିଖୋଜ ତପନଙ୍କୁ ଉଦ୍ଧାର କରିବାରେ ବିଳମ୍ୱ ହୋଇଛି । ତଥାପି ଉଦ୍ୟମ ଜାରି ରହିଥିବା ଜଣାପଡ଼ିଛି । ତେବେ ସମୁଦ୍ର ଅଶାନ୍ତ ଥିବା ସତ୍ତେ୍ୱ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ କେମିତି ଡାକବାଜି ଯନ୍ତ୍ର ଯୋଗେ ସଚେତନ କରାଗଲାନି ତାହା ସବୁଠୁ ବଡ଼ ପ୍ରଶ୍ନବାଚୀ ହୋଇରହିଛି । ଡାକବାଜି ଯନ୍ତ୍ର ଯୋଗେ ସୂଚନା ଦିଆଯାଇନଥିଲା କିମ୍ବା ବୋଟ ମାଲିକ, ମତ୍ସ୍ୟଜୀବୀଙ୍କୁ କୌଣସି ଜରିଆରେ ବି ବାର୍ତ୍ତା ପ୍ରେରଣ କରାଯାଇନଥିଲା ସମୁଦ୍ର ମଧ୍ୟକୁ ନଯିବାକୁ ।
ପ୍ରାପ୍ତ ସୂଚନା ଅନୁସାରେ, ଜମ୍ୱୁ ସାମୁଦ୍ରିକ ଥାନା ଅଧୀନ ଜମ୍ୱୁ ଜେଟିରୁ ଏକ ମାଛଧରା ଡଙ୍ଗାରେ ସମୁଦ୍ର ମଧ୍ୟକୁ ଆଜି ମାଛ ଧରିବାକୁ ବାହାରିଥିଲେ ଜମ୍ୱୁର ୪ ଜଣ ମତ୍ସ୍ୟଜୀବୀ । ଡଙ୍ଗା ମାଲିକ ବୋଲି ଶୁଣାଯାଉଥିବା ତପନଙ୍କ ସହ ପହଲି, ଗୌତମ ଓ ବିଶ୍ୱନାଥ ଡଙ୍ଗାରେ ବାହାରି ଯାଇଥିଲେ ସବୁଦିନ ପରି ମଝି ସମୁଦ୍ରକୁ ମାଛ ଧରିବା ପାଇଁ । ହେଲେ ସମୁଦ୍ର ଯେ ହଠାତ ଅଶାନ୍ତ ହୋଇପଡ଼ି ଦୁର୍ଘଟଣାର କାରଣ ହେବ ସେମାନେ କଦାପି ଚିନ୍ତା କରିନଥିଲେ । ପ୍ରଶାସନ ଯେପରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଚଳିତ ଅକ୍ଟୋବର ୨୪ ଓ ୨୫ ତାରିଖ ୨ ଦିନ ଧରି ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ କରିଥିଲା ମତ୍ସ୍ୟଜୀବୀଙ୍କୁ ବାରଣ ଲାଗି କୌଣସି ସୂଚନା ଦେଇନଥିଲା । ସମୁଦ୍ର ମଧ୍ୟକୁ ମାଛ ଧରିବା ବାରଣ କରାଯାଇନଥିଲା । ତେଣୁ ମନରେ କୌଣସି ଆଶଙ୍କା ନରଖି ସମୁଦ୍ର ମଧ୍ୟକୁ ଯାଇଥିଲେ ସେମାନେ । ତେବେ ସନ୍ଧ୍ୟାବେଳକୁ ହଠାତ ପାଣିପାଗ ବଦଳି ଯାଇଥିଲା । ଯାହାର ଶିକାର ହୋଇଥିଲା ଉକ୍ତ ଡଙ୍ଗା । ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ତେବେ ଡଙ୍ଗା ଦୁର୍ଘଟଣା ହେଉଥିବା ଆଭାସ ପାଇ କୌଶଳ କ୍ରମେ ଉପସ୍ଥିତ ବୁଦ୍ଧି ଖର୍ଚ୍ଚ କରି ପହିଲି, ଗୌତମ ଓ ବିଶ୍ୱନାଥ ପାଖରେ ଥିବା ପ୍ଲାଷ୍ଟିକ୍ ଜାରକିନ୍ ଗୁଡ଼ିକୁ ଧରି ନେଇଥିଲେ । ଯାହା ମଝି ଦରିଆରେ ଆଶାର କିରଣ ସାଜିଥିଲା । ରିପୋର୍ଟ ଲେଖାଯିବା ସୁଦ୍ଧା ନିଖୋଜ ତପନଙ୍କ ସମ୍ପର୍କରେ କୌଣସି ଖବର ମିଳିନି । ଆଜିକୁ ଠିକ୍ ମାସକ ତଳେ ସେପ୍ଟେମ୍ୱର ୨୪ରେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ରାମନଗରପାଟଣା-ବାଲିପାଟର ବାବୁ ସାମଲ ନିଖୋଜ ଅଛନ୍ତି । ସେ କୁଆଡେ଼ ଗଲେ ଅଦ୍ୟାବଧି ତାଙ୍କ ସମ୍ପର୍କରେ କୌଣସି ଖବର ମିଳିନାହିଁ । ଥାନାରେ ଏତଲା ହୋଇଥିଲେ ବି ପୁଲିସ ଚୁପ୍ ବସିଛି । ସାମୁଦ୍ରିକ ମତ୍ସ୍ୟ ବିଭାଗର ବି କୌଣସି ପ୍ରକାର ତତ୍ପରତା ଦେଖିବାକୁ ମିଳିନି ।
Comments are closed, but trackbacks and pingbacks are open.