ଜୟପୁର: ଦୁଇ ଝିଅ ପରେ ପୁଅ ହେବାରୁ ଖୁସି ହୋଇଥିଲେ ଉମୁରୀର ଦମ୍ପତି କମଳା ଓ ରାମଚନ୍ଦ୍ର ମଙ୍ଗରିଆ । କିନ୍ତୁ ସେମାନଙ୍କ ଖୁସି ବେଶି ସମୟ ରହିନଥିଲା । ଶିଶୁପୁତ୍ରର କାନ ନଥିବା ଦେଖି ଉଭୟ ଭାଙ୍ଗିପଡିଥିଲେ । ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର କିମ୍ବା କଟକ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ହେଲେ ପାଖରେ ସମ୍ବଳ ନଥିବାରୁ ବ୍ରହ୍ମପୁର ଓ କଟକ ନଯାଇ ମେଡିକାଲରୁ ଘରକୁ ଫେରାଇ ନେଇଛନ୍ତି କମଳା ଓ ରାମଚନ୍ଦ୍ର । ଶିଶୁପୁତ୍ରକୁ ଏବେ ୨୨ ଦିନ ହୋଇଛି । ପିଲାଟି ସୁସ୍ଥ ରହିଛି । ହେଲେ କିପରି ଚିକିତ୍ସା କରିବେ, ସେହି ଚିନ୍ତା ଘାରିଛି । ସରକାରୀ ସହାୟତା ମିଳିଲେ ବ୍ରହ୍ମପୁର କିମ୍ବା କଟକ ନେଇ ଚିକିତ୍ସା କରାଇବେ ବୋଲି କହିଛନ୍ତି ଏହି ଦମ୍ପତି ।
ରାମଚନ୍ଦ୍ର କହିଛନ୍ତି, ସ୍ତ୍ରୀ କମଳାଙ୍କ ଗର୍ଭଯନ୍ତ୍ରଣା ଆରମ୍ଭ ହେବା ପରେ ମେ’ ୧୬ ତାରିଖରେ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ପୁଅ ଜନ୍ମ ହୋଇଥିଲା । ୨ ଝିଅ ପରେ ପୁଅ ହେବା ଶୁଣି ଖୁସି ଲାଗିଥିଲା । ଜନ୍ମହେବା ବେଳକୁ ଶିଶୁର ଓଜନ ୨ କେଜି ୮୮୫ ଗ୍ରାମଥିଲା ଓ ସୁସ୍ଥ ଥିଲା । କିନ୍ତୁ କାନ ନଥିବା ଜାଣିବା ପରେ ଦୁଃଖ ଲାଗିଲା । ୫ଦିନ ପରେ ଅଧିକ ଚିକିତ୍ସା ପାଇଁ କୋରାପୁଟ ମେଡିକାଲକୁ ଯିବାକୁ ଡାକ୍ତର କହିଲେ । ସେଠାରୁ କୋରାପୁଟ ମେଡିକାଲ୍ ନେଇ କମଳା ଓ ଶିଶୁକୁ ଭର୍ତ୍ତି କରିଥିଲେ । ୭ ଦିନ ଚିକିତ୍ସା କରିଥିଲେ ଡାକ୍ତର । ମେଡିକାଲରେ କାନ ଅପରେସନ ପାଇଁ ସୁବିଧା ନଥିବାରୁ ବ୍ରହ୍ମପୁର କିମ୍ବା କଟକ ନେବାକୁ ଡାକ୍ତର କହିଲେ । କିନ୍ତୁ ସେଠାକୁ ଯାଇ ଚିକିତ୍ସା କରିବାକୁ ଟଙ୍କା ନଥିବାରୁ ଘରକୁ ଫେରିଆସିଛୁ । ଭାଗ୍ୟକୁ ଆଦରି ଘରେ ରହିଛୁ । କୁଲିକାମ କଲେ ପରିବାର ଚଳୁଛି । ଏଭଳି ପରିସ୍ଥିତିରେ ପୁଅର ଚିକିତ୍ସା ପାଇଁ କିପରି ହଜାର ହଜାର ଟଙ୍କା ଖର୍ଚ୍ଚ କରିପାରିବେ ବୋଲି ଦୁଃଖର ସହିତ କହିଛନ୍ତି । ଯଦି ସରକାର ଆର୍ଥିକ ସହାୟତା ଯୋଗାଇ ଦିଅନ୍ତି, ତାହେଲେ ପୁଅର ଅପେରସନ କରିବାକୁ ବ୍ରହ୍ମପୁର କିମ୍ବା କଟକ ଯାଇପାରନ୍ତି ବୋଲି କହିଛନ୍ତି ରାମଚନ୍ଦ୍ର । ସୂଚନାଥାଉକି, କମଳା ଓ ରାମଚନ୍ଦ୍ରଙ୍କର ୨ଟି ଝିଅ ଅଛନ୍ତି । ୭ ବର୍ଷର ବାସନ୍ତି ଓ ୩ ବର୍ଷର ବର୍ଷା ।
ରିପୋର୍ଟ: ସତ୍ୟ ନାରାୟଣ ସାହୁ
Comments are closed, but trackbacks and pingbacks are open.