ସରକାରୀ ସୁବିଧା ଲାଗି ଆଧାର ବାଧ୍ୟତାମୂଳକ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ରାଜ୍ୟ ସରକାରଙ୍କ ଜନମଙ୍ଗଳ ଯୋଜନାଗୁଡିକରୁ ସୁବିଧା ପାଇବାକୁ ହେଲେ ଏଣିକି ଆଧାର ସଂଯୋଗ ବାଧ୍ୟତାମୂଳକ । ଅର୍ଥ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ନିଦେ୍ର୍ଧଶନାମା ଜାରି ହେବାପରେ ବିଭାଗମାନେ ବିଜ୍ଞପ୍ତି ଜାରି କରିବାକୁ ଯାଉଛନ୍ତି ।
ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) କର୍ତ୍ତୃପକ୍ଷ ଏ ସଂକ୍ରାନ୍ତୀୟ ସର୍କୁଲାର ଜାରି କରିବା ପରେ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ପି.କେ ବିଶ୍ୱାଳ ବିଭାଗଗୁଡିକୁ ଏହି ମର୍ମରେ ନିଦେ୍ର୍ଧଶାବଳୀ ପଠାଇଛନ୍ତି । ହିତାଧିକାରୀମାନଙ୍କୁ ସ୍ୱଚ୍ଛତା ଭାବେ ସେବା ଯୋଗାଇବା ଏବଂ ସିଧାସଳଖ ସବସିଡ୍ ଅର୍ଥ ପଠାଇବା ପାଇଁ ଆଧାର ସଂଯୋଗ ବାଧ୍ୟତାମୂଳକ ହୋଇଛି । ଫଳରେ ଜଣଙ୍କ ପରିଚୟ ଲାଗି ଆଉ ବହୁବିଧ ପ୍ରମାଣ ଦେବାକୁ ପଡିବ ନାହିଁ ।
ଆଧାର ଆଇନ୍-୨୦୧୬ର ଧାରା ୭ ଅନୁଯାୟୀ କୌଣସି ଯୋଜନା ପାଇଁ ରାଜ୍ୟ ବିତ୍ତୀୟ ପାଣ୍ଠିରୁ ଆଶିଂକ ବା ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରାଯାଉଥିଲେ ଯୋଜନାରୁ ଲାଭ ପାଇବାକୁ ଥିବା ହିତାଧିକାରୀମାନଙ୍କ ଲାଗି ଆଧାର ସଂଯୋଗ ବାଧ୍ୟତାମୂଳକ । ତଦନୁଯାୟୀ ବିଭାଗମାନେ କେନ୍ଦ୍ର ସରକାର ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ କରିବେ । ଇତିମଧ୍ୟରେ କେନ୍ଦ୍ର ସରକାର କେନ୍ଦ୍ରୀୟ ବିତ୍ତୀୟ ପାଣ୍ଠିରୁ କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକରେ ଆଧାର ସଂଯୋଗ ବାଧ୍ୟତାମୂଳକ ଲାଗି ବିଜ୍ଞପ୍ତି ଜାରି କରିଛନ୍ତି ।
ପୂର୍ବରୁ ରାଜ୍ୟ ସରକାର କେତେକ କଲ୍ୟାଣକାରୀ ଯୋଜନାରେ ଆଧାର ସଂଯୋଗ ଉପରେ ଗୁରୁତ୍ୱ ଦେଉନଥିଲେ । ହେଲେ କେନ୍ଦ୍ର ସରକାରଙ୍କ ନିଦେ୍ର୍ଧଶାବଳୀ ଆଧାରରେ ଏଣିକି ସମସ୍ତ ଯୋଜନା ପାଇଁ ଆଧାର ସଂଯୋଗ ବାଧ୍ୟତାମୂଳକ ହୋଇଛି । ଏବେ ପ୍ରତ୍ୟେକ ବିଭାଗ ଲୋକଙ୍କୁ ସୁବିଧା ଦିଆଯାଉଥିବା ଯୋଜନାଗୁଡିକୁ ଚିହ୍ନଟ କରିବେ । ଚିହ୍ନଟ ପରେ ବିଜ୍ଞପ୍ତି ଜାରି ଲାଗି ଆଇନ୍ ବିଭାଗରୁ ମଞ୍ଜୁରୀ ଆଣିବାକୁ ପଡିବ ।
ଜାତୀୟସ୍ତରରେ ହାରାହାରି ୯୦ ପ୍ରତିଶତ ଆଧାରକାର୍ଡ ପାଇଥିବାବେଳେ ଓଡିଶାରେ ଏହା ୯୩ ପ୍ରତିଶତ ରହିଛି । ୨୦୧୯ ସୁଦ୍ଧା ୪କୋଟି ୫୮ଲକ୍ଷ ଆଧାର ସଂଯୋଗ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୮ବର୍ଷ ବୟସରୁ ଅଧିକ ୪କୋଟି ୪୧ଲକ୍ଷ ବ୍ୟକ୍ତିଙ୍କୁ ଆଧାରକାର୍ଡ ଦିଆଯାଇ ସାରିଲାଣି । ଯାହାକି ଧାର୍ଯ୍ୟ ଲକ୍ଷ୍ୟର ୯୩.୧ ପ୍ରତିଶତ ।
ବର୍ତ୍ତମାନ ରାଜ୍ୟ ସରକାର ପୌରାସଂସ୍ଥା ଓ ଡାକ୍ତରଖାନା ଗୁଡିକରେ ଆଧାର ସୁବିଧା କେନ୍ଦ୍ର ଖୋଲିବା ପାଇଁ ସ୍ଥିର କରିଥିବାବେଳେ ଇଲେକ୍ଟେ୍ରାନିକ ଏବଂ ଆଇଟି ବିଭାଗର ଶାସନ ସଚିବ ମନୋଜ କୁମାର ମିଶ୍ର ଏ ଦିଗରେ ସକରାତ୍ମକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏଥିସହିତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଥିବା ପିଲାଙ୍କ ପଞ୍ଜିକରଣ ସହିତ ଆଧାର ସଂଯୋଗ ଲାଗି ସ୍ଥିର କରିଛନ୍ତି । ଏଭଳି ପଦକ୍ଷେପ ରାଜ୍ୟରେ ଆଧାର ପଞ୍ଜିକରଣ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons